ଇଟାଭାଟିରେ ଫସି ରହିଛନ୍ତି ହଜାର ହଜାର ଶ୍ରମିକ

ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ମାଲିକଙ୍କ ନିବେଦନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ବ୍ଲକରେ ଥିବା ଇଟାଭାଟି ଗୁଡ଼ିକ‌ରେ ହଜାର ହଜାର ବାହାର ରାଜ୍ୟର ଶ୍ରମିକ ଫସି ରହିଛନ୍ତି। ଲକ୍‌ଡାଉନ ଯୋଗୁ ସେମାନଙ୍କ ଫେରିବା ସମ୍ଭବ ନହେବାରୁ ଭାଟି ମାଲିକମାନେ ରହିବାଖାଇବା କଥା ବୁଝୁଛନ୍ତି। ହେଲେ ମାସାଧିକ କାଳ ଭାଟିକାମ ବନ୍ଦ ରହିବାରୁ ଉଭୟ ଶ୍ରମିକ ଓ ମାଲିକଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତେବେ ପରିସ୍ଥିତିକୁ ଆଖିଆଗରେ ରଖି ସେମାନଙ୍କୁ ଫେରାଇବା ପାଇଁ ମାଲିକମାନଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ହେଁ ପ୍ରଶାସନ ପକ୍ଷରୁ ଏକକ‌ାଳୀନ ସେମାନଙ୍କ ଯିବାକୁ ଅନୁମତି ନମିଳିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି।

ଜିଲ୍ଲାରେ ବାହାରୁ ରାଜ୍ୟରୁ କେତେ ପ୍ରବାସୀ ଓଡ଼ିଆ ଫେରୁଛନ୍ତି ବା ଫେରିବେ ଏବଂ ଜିଲ୍ଲାରେ ବାହାର ରାଜ୍ୟର ଶ୍ରମିକ କେତେସଂଖ୍ୟାରେ ଅଟକି ରହିଛନ୍ତି ତାର ହିସାବ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଯାଉନଥିବା ବେଳେ ବାହାରୁ ପ୍ରାୟ ଲକ୍ଷେ ୩୦ହଜାରରୁ ଅଧିକ ଶ୍ରମିକ ଫେରିବା ପାଇଁ ପଂଜୀକରଣ କରିଛନ୍ତି ଓ ସାଢ଼େ ୫ ହଜାରରୁ ଅଧିକ ବାହାର ରାଜ୍ୟର ଶ୍ରମିକ ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନ, କଳକାରଖାନା, ଇଟାଭାଟି ଆଦିରେ ଫସି ରହିଥିବା ଜଣାପଡ଼ିଛି। ଉକ୍ତ ଶ୍ରମିକମାନଙ୍କୁ ଫେରାଇବା ପାଇଁ ପ୍ରତିଦିନ ବସ୍ତା, ବାଲିଆପାଳ, ବାଲେଶ୍ବର ସଦର, ସୋର, ଭୋଗରାଇ, ଜଳେଶ୍ବର ଆଦି ଅଞ୍ଚଳରୁ ୧୫ରୁ ଊର୍ଧ୍ବ ଇଟାଭାଟି ମାଲିକ ଆବଶ୍ୟକ କାଗଜପତ୍ର ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି। ଏଠାରେ ତହସିଲ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟା‌ଳୟରୁ ତହସିଲ ବାରମ୍ବାର ଘୁରିଘୁରି ନୟାନ୍ତ ହେଲେଣି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହଜରେ ଅନୁମତି କିପରି ମିଳିପାରିବ ସେନେଇ କେହି କିଛି କହୁନଥିବା ସାଧାରଣରେ ଅଭିଯୋଗ ହୋଇଛି। ବାହାର ରାଜ୍ୟରୁ ଫେରିବାକୁ ଥିବା ଶ୍ରମିକ ବା ପ୍ରବାସୀ ଓଡ଼ିଆ ଏବଂ ଏପ‌ଟୁ ବାହାର ରାଜ୍ୟକୁ ଯିବାକୁ ଥିବା ଶ୍ରମିକଙ୍କ ତଥ୍ୟ ପ୍ରଦାନ‌ ପାଇଁ ପ୍ରଶାସନ କାହିଁକି ପଞ୍ଚଘୁଞ୍ଚା ଦେଉଛି ସେନେଇ ଚର୍ଚ୍ଚା ଜୋର ଧରିଛି।

କିଛିଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ବାରା ମୋ ସରକାର ତଥା ୫ଟି ଫର୍ମୁଲା ଲାଗୁ କରିଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନାଫଳକ ଲଗାଯାଇଛି। ହେଲେ ଏ‌ହା କେବଳ ସେହି ସୂଚନାଫଳକରେ ସୀମିତ ରହିଯାଇଛି। ଏବେ କୋଭିଡ-୧୯ ବା କରୋନା ମୁକାବିଲା ପାଇଁ ସରକାର ନେଉଥିବା ପ୍ରତ୍ୟେକ ପଦକ୍ଷେପ ଜନସାଧାରଣଙ୍କୁ ସୂଚନା ଦେଉଥିବା ବେଳେ ବାଲେଶ୍ବର ଜିଲ୍ଲା ପ୍ରଶାସନ କାହିଁକି ଲୋକଙ୍କୁ ଅନ୍ଧାରରେ ରଖୁଛି ତାର ରହସ୍ୟ ବୁଝାପଡ଼ୁନାହିଁ। ଏନେଇ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

ସମ୍ବନ୍ଧିତ ଖବର