ବାଲେଶ୍ବର/ଯାଜପୁର: ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଧମକପୂର୍ଣ୍ଣ କଲ୍ ମାମଲାରେ ପୁଲିସ ଦୁଇ ଜଣଙ୍କୁ ଉଠାଇନେଇଥିବାର ଖବର ମିଳିଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ସାଇବର ଥାନା ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାଇବର ଥାନା ପୁଲିସ ଯାଜପୁର ମଙ୍ଗଳପୁର ଥାନା ସହଯୋଗରେ ୨ ଜଣ ଯୁବକଙ୍କୁ ଉଠାଇନେଇଛି।

Advertisment

publive-image
ଗୋପାଳପୁର ପଞ୍ଚାୟତ ପୀର ଛକ ବଡ଼ ବସ୍ତି ଅଞ୍ଚଳରୁ ୨ ଯୁବକଙ୍କୁ ଉଠାଇନେଇଛି ପୁଲିସ। ବାଲେଶ୍ୱର ସାଇବର ଥାନା ଏବଂ ମଙ୍ଗଳପୁର ଥାନା ସହଯୋଗରେ ଚଢ଼ାଉ କରାଯାଇଥିବା ଜଣାଯାଇଛି।।
ସୂଚନାଯୋଗ୍ୟ, ଗତକାଲି ସକାଳ ସାଢ଼େ ୮ଟା ବାଲେଶ୍ବର ଜିଲ୍ଲା ବସ୍ତା ବିଧାୟକ ଶ୍ରୀ ସାହୁଙ୍କ ମୋବାଇଲ ନମ୍ବରକୁ ଏକ ଅଜଣା ନମ୍ବର(୮୦୯୩୮୯୯୦୮୮)ରୁ ଆସିଥିଲା ଫୋନ୍ କଲ୍। ସେ ଫୋନ୍ ଉଠାଇବା ପରେ ଉକ୍ତ ନମ୍ବରରୁ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ, ‘ଆପଣଙ୍କୁ ହତ୍ୟା କରିବାକୁ ୩ ଜଣ ବ୍ୟକ୍ତି ମତେ ସୁପାରି ଦେବାକୁ ଆସିଛନ୍ତି। ହେଲେ ସେମାନେ ଭୁଲ ଜାଗାରେ ପହଞ୍ଚିଛନ୍ତି, ମୁଁ ସୁପାରି କିଲର ନୁହେଁ।’
ଏତିକି କହି ବ୍ୟକ୍ତିଜଣକ ଫୋନ୍ କାଟି ଦେଇଥିଲେ ଏବଂ କିଛି ସମୟ ପରେ ପୁଣି ସେହି ନମ୍ବରରୁ ଫୋନ୍ କରି ବ୍ୟକ୍ତିଜଣକ ବିଧାୟକ ଶ୍ରୀ ସାହୁଙ୍କୁ କହିଥିଲେ ‘ସେମାନଙ୍କୁ ମୁଁ ଅଟକ ରଖିଛି, ଆପଣ ମୋ ନିକଟକୁ ଆସିବେ ନା ମୁଁ ସେମାନଙ୍କୁ ନେଇ ଆପଣଙ୍କ ନିକଟରେ ପହଞ୍ଚିବି।’ ବିଧାୟକ ଶ୍ରୀ ସାହୁ ତାଙ୍କୁ ଆସିବାକୁ କହିବାରୁ ସେ କିଛି ଟଙ୍କା ଦାବି କରି ଫୋନ କାଟି ଦେଇଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁ ଘଟଣା ସମ୍ପର୍କରେ ବାଲେଶ୍ବର ଏସ୍ପି ସୁଧାଂଶୁଶେଖର ମିଶ୍ରଙ୍କୁ ଜଣାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ସାଇବର ଥାନା ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା।