କଟକ: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ନମ୍ବର୍‌ ପ୍ଲେ୍‌ଟ(ଏଚ୍‌ଏସ୍‌ଆର୍‌ପି) ନମ୍ବର୍‌ ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ। ନ ଲଗାଇଲେ ମଟର ଯାନ ନିୟମ(ଏମ୍‌ଭି ଆକ୍ଟ-୧୯୨)ରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ନମ୍ବର୍‌ ଲଗାଇ ନ ଥିଲେ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ‌ଦେବାକୁ ହେବ, ଏଥିରେ କାହାକୁ ବି ଛଡ଼ାଯିବ ନ‌ାହିଁ। ଗତ ୨୦୨୩ ବର୍ଷ ସାରା ଏମିତି ପ୍ରତିଦିନ ଧମକାଉଥିବା ରାଜ୍ୟ ପରବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଏବେ ଆଉ ହାଇ ସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍‌ ଲଗାଇବା କଥା ଉଠାଉନି। ଯିଏ ବିକଳରେ ଲଗାଇଥିଲେ ସେମାନେ ଏବେ ପଶ୍ଚାତାପ କରୁଛନ୍ତି, ଦ୍ବନ୍ଦ୍ବରେ ରହିଛନ୍ତି। ନମ୍ବର୍‌ ପ୍ଲେଟ୍ ଲଗାଇ ସେମାନେ କି ଲାଭ ପାଇଲେ, ଯିଏ ଲଗାଇ ନାହାନ୍ତି ସେମାନଙ୍କର କ’ଣ ହେଲା? ଏଭଳି ସ୍ଥିତିରେ ଏସ୍‌ଟିଏ ମଧ୍ୟ ଅସହାୟ ହୋଇପଡିଛି। ବାରମ୍ବାର ତାରିଖ ଘୁଞ୍ଚାଇବା ପରେ ମଧ୍ୟ ଗତ ୨୦୨୩ ‘ଡେଡ୍‌ ଲାଇନ୍’ (ଜୁନ୍‌ ସୁଦ୍ଧା) ୪୧ ଲକ୍ଷ ଗାଡ଼ିରେ ବି ହାଇ ସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍‌ ପାଇଁ ସ୍ଲଟ୍‌ ବୁକିଂ ହୋଇ ନ ଥିଲା। ଏବେ ସୁଦ୍ଧ‌ା ରାଜ୍ୟରେ ୪୨ଲକ୍ଷ ସ୍ଲଟ୍ ବୁକିଂ ହୋଇଥିବା ବେଳେ ପ‌ାଖାପାଖି ୩୮ଲକ୍ଷ ଗାଡ଼ି‌ରେ ନମ୍ବର ପ୍ଲେଟ୍‌ ଲାଗିଛି। ଅବିଶିଷ୍ଟ ଗାଡ଼ିରେ ନମ୍ବର୍‌ ପ୍ଲେଟ୍ ଲାଗି ପାରି ନାହିଁ। ରାଜ୍ୟରେ ୨୦୧୯ ଏପ୍ରିଲ ପୂର୍ବରୁ ୮୦ଲକ୍ଷରୁ ଅଧିକ ଗାଡ଼ି ରହିଥିଲା। ଯଦି ସେହି ହିସାବକୁ ଧରାଯାଏ ତେବେ ରାଜ୍ୟରେ ଆଧା ଗାଡ଼ି‌ରେ ବି ହାଇ ସିକ୍ୟୁରିଟି ନମ୍ବର୍‌ ‌ପ୍ଲେଟ୍‌ ‌ଲାଗି ପାରିନାହିଁ। ସେହିପରି, ପୁରୁଣା ଗାଡ଼ି ୧୦ଲକ୍ଷକୁ ବାଦ୍‌ ଦେଇ ୭୦ଲକ୍ଷ ଗାଡ଼ିକୁ ଯଦି ହିସ‌ାବକୁ ନିଆଯାଏ, ତେବେ ଆଜି ସୁଦ୍ଧ ୩୦ଲକ୍ଷ ଗାଡ଼ି‌ରେ ହାଇ ସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍ ଲାଗି ନ ଥିବା ତଥ୍ୟ କହୁଛି। ରାଜ୍ୟ ପରିବହନ ବିଭାଗଙ୍କ ଏହି ହାଇ ସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍‌ ଅଭିଯାନ ଏକ ପ୍ରକାର ବିଫଳ ହୋଇଛି। ଭିତ୍ତିଭୂମି ଅଭାବ ଓ ସଠିକ୍ କୌଶଳ ନଥିବାରୁ ଏହା ବିଫଳ ହୋଇଛି। ୨୦୨୩ରେ ପ୍ରତିଦିନ ଜରିମାନାର ଭୟ ଦେଖାଇ ଗାଡ଼ିଚାଳକଙ୍କୁ ଚମକାଉଥିବା ଏସ୍‌ଟିଏ କିନ୍ତୁ ଏବେ ରହସ୍ୟଜନକ ଭାବେ ନିରବ ହୋଇଯାଇଛି। ନିଜ ତ୍ରୁଟିକୁ ଲୁଚାଇବାକୁ ଉଦ୍ୟମ କରୁଛି। ସଠିକ୍ ଯାଞ୍ଚ ଓ ଜରିମାନା ନଥିବାରୁ ସ୍ଲଟ୍‌ ବୁକିଂ ହାର ହ୍ରାସ ପାଇଛି। ଏପରିକି ରାଜ୍ୟର ଅଧାରୁ ଅଧିକ ସରକାରୀ ଗାଡିରେ ମଧ୍ୟ ହାଇ ସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍‌ ଲଗାଯାଇ ନାହିଁ।

Advertisment

ତଥ୍ୟ ମୁତ‌ାବକ, କେନ୍ଦ୍ର ସରକାରଙ୍କ ମଟର ଯାନ ଆଇନ ଅନୁସାରେ ସମଗ୍ର ଦେଶରେ ହାଇ ସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା। ଏହାକୁ ରାଜ୍ୟ ସରକାରଗୁଡ଼ିକ ପାଳନ କରିବାକୁ କୁହାଯାଇଥିଲା। ଏହି ନିୟମ ଅନୁସାରେ ଗତ ଏପ୍ରିଲ ୨୦୧୯ ପୂର୍ବରୁ ପଞ୍ଜିକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ୍‌ ଲଗାଇବାକୁ କୁହାଯାଇଥିଲା। ଏହାକୁ ପାଳନ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତତ୍ପରତା ପ୍ରକ‌ାଶ କରିଥିଲେ। ଏଥିପାଇଁ ୨୦୨୨ ଡିସେମ୍ବରକୁ ଡେଡ୍‌ଲାଇନ ଭାବେ ନିଆଯାଇଥିଲା। ପରେ ବାରମ୍ବାର ତାରିଖ ଘୁଞ୍ଚା ଯାଇଥିଲା। ମାତ୍ର ଅଧିକ ୬ ମ‌ାସ ଅବଧି ବୃଦ୍ଧି କରିବା ସତ୍ତ୍ବେ ଏହା ଫଳପ୍ରଦ ‌ହୋଇ ନ ଥିଲ‌ା। ଭିତ୍ତିଭୂମି ଅଭାବ ‌ଯୋଗୁଁ ଏହା ସମ୍ଭବ ହୋଇ ନ ଥିବା କୁହାଯାଉଛି। ଯେତିକି ଲୋକ ସ୍ଲଟ୍‌ ବୁକିଂ କରିଥିଲେ ସେମାନଙ୍କୁ ଠିକଣା ସମୟରେ ନମ୍ବର ପ୍ଲେଟ୍‌ ‌ଯୋଗାଣ ସମ୍ଭବ ହୋଇ ନ ଥିଲା। ଏବେ ନିଜେ ଏସ୍‌ଟିଏ ଏଥିରୁ ଏକପ୍ରକାର ଓହରିଗଲା ଭଳି ପରିସ୍ଥିତି ଦେଖାଦେଇଛି। ଏହାକୁ ନେଇ ଆଉ ସଚେତନତା ନାହିଁ କି ଅମାନିଆଙ୍କ ବିରୋଧରେ ଜରିମାନା ନାହିଁ। ତେଣୁ ଏଥିରେ କାହାର କି ଲାଭ ‌ହେଲା ତା’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ‌ହେଉଛି।