ଝାରସୁଗୁଡ଼ା: ‘୨୬/୧୧ ଭଳି ସିରିଏଲ୍‌ ବିସ୍ଫୋରଣ ପୁଣିଥରେ ସାରାଦେଶରେ ହେବ। ଏଥିପାଇଁ ମୁଁ ମୋ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିଛି। ଯଦି ତୁମେ ଚାହୁଛ ମୋତେ ଅଟକା‌ଅ।’ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଯଥା ଏନ୍‌ଆଇଏ, ସିବିଆଇ ଓ ଏଟିଏସ୍‌, ବିଭିନ୍ନ ରାଜ୍ୟର ପୁଲିସ୍‌ ରେଞ୍ଜ୍‌ କାର୍ଯ୍ୟାଳୟ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ଯାଇଥିଲା। ଏନେଇ ସୂଚନା ମିଳିବାପରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୁଲିସ୍‌ ନିଜଆଡ଼ୁ ମାମଲା ରୁଜୁକରି ଲମ୍‌ଟିବାହାଲ ଅଞ୍ଚଳରେ ରହୁଥିବା ଜାଭେଦ୍‌ ଅନ୍‌ସାରିକୁ ଗିରଫ କରିଛି। ଜାଭେଦ୍‌ର ଆନ୍ତର୍ଜାତିକ ଲିଙ୍କ୍‌ ଉପରେ ତଦନ୍ତ ଜାରିରହିଥିବା ଏସ୍‌ପି ସ୍ମିତ୍‌ ପରମାର ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ସେପଟେ, ଏନ୍‌ଆଇଏ ମଧ୍ୟ ଏହି ଘଟଣାରେ ଛାନ୍‌ଭିନ୍‌ କରିଥିବା ଜଣାପଡ଼ିଛି।

Advertisment

ଗତ ୧୦ ତାରିଖରେ କିଛି ଆପତ୍ତିଜନକ ଦେଶ ବିରୋଧୀ ଫେସ୍‌ବୁକ୍‌ ପୋଷ୍ଟ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଥିବା ପୁଲିସ୍‌ ସୂଚନା ପାଇଥିଲା। ଓସ୍‌ମା ବିନ୍‌ ଲାଡେନ୍‌, ଦାଉଦ୍‌ ଇବ୍ରାହିମ୍‌ ତଥା ଅନ୍ୟ ଆତଙ୍କବାଦୀଙ୍କ ଫଟୋ ସହିତ ବ୍ରଜରାଜନଗରର କିଛି ସ୍ଥାନୀୟ ଲୋକଙ୍କ ଫଟୋ ଉକ୍ତ ପୋଷ୍ଟରେ ଯୋଡ଼ା ଯାଇଥିଲା। ସେହି ଫଟୋଗୁଡ଼ିକୁ ‘ଇବ୍ରାହିମ୍‌ ଇବ୍ରାହିମ୍‌ ଇବ୍ରାହିମ୍‌’ ନାମ ଥିବା ତଥା ‘ଇଣ୍ଟରନ୍ୟାସନାଲ ଟେରୋରିଷ୍ଟ ଅର୍ଗାନାଇଜେସନ୍‌’ର ବ୍ୟାନର୍‌ରେ ପୋଷ୍ଟ୍‌ କରାଯାଇଥିଲା। ପୁଲିସ୍‌ ଏହି ମାମଲାର ତଦନ୍ତ କରିବା ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଜାଭେଦ୍‌ ଅନ୍‌ସାରି ଏହି ପୋଷ୍ଟିଂ କରିଥିବା ସୂଚନା ମିଳିଥିଲା।

ଜାଭେଦ୍‌କୁ ଧରିବାପରେ ସେ ତମାମ ଘଟଣାକୁ ସ୍ବୀକାର କରିଥିବା ଜଣାପଡ଼ିଛି। ଏହାପରେ ଜାଭେଦ୍‌ର ମୋବାଇଲ୍‌ ଯାଞ୍ଚ ସମୟରେ ଗତ ୬ ତାରିଖରେ ସେ କେନ୍ଦ୍ରୀୟ ଏଜେନ୍ସିଙ୍କୁ କରିଥିବା ଇ-ମେଲ୍‌ ସମ୍ପର୍କରେ ବି ପ୍ରମାଣ ମିଳିଛି। ଏହି ଘଟଣା ପରେ ଭାରତୀୟ ଦଣ୍ଡବିଧି ଧାରା ୫୦୫/ ୫୦୬/ ଆଇଟି ଆକ୍ଟ ୬୬(ସି) ଅନୁସାରେ ଜାଭେଦ୍‌ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ବ୍ରଜରାଜନଗର ଥାନାଧିକାରୀ ଧବଳେଶ୍ବର ସାହୁ କହିଛନ୍ତି। ବ୍ରଜରାଜନଗର ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

କିଏ ଏହି ଜାଭେଦ୍‌ ଅନ୍‌ସା‌ରି?
ଜାଭେଦ୍‌ ଅନ୍‌ସାରି ମୂଳରୁ ହିଁ ବ୍ରଜରାଜନଗର ବାସିନ୍ଦା। ଏପରିକି ସେ ବ୍ରଜରାଜନଗରର ସ୍କୁଲ୍‌ରେ ପାଠପଢ଼ିଥିବା ସନ୍ଦେହ କରାଯାଉଛି। ସେ ଗ୍ୟାରେଜ୍‌ରେ ଗାଡ଼ିର ରଙ୍ଗ ମିସ୍ତ୍ରି ଭାବେ କାମ କରୁଥିବା ବେଳେ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜାଭେଦ୍‌ର କୌଣସି ଅପରାଧିକ କାର୍ଯ୍ୟକଳାପ ସାମ୍ନାକୁ ଆସିନାହିଁ। ତେବେ ଜାଭେଦ୍‌ ପ୍ରକୃତରେ ଆତଙ୍କବାଦୀ ସଂଗଠନର ଲିଙ୍କ୍‌ରେ ରହିଛି କି ନାହିଁ, ତାହା ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ ‌ହୋଇଛି। ପୁଲିସ୍‌ ଜାଭେଦ୍‌ର ବାପା ସଲାମତ୍‌ ଅନ୍‌ସାରିକୁ ଉଠାଇ ପଚରାଉଚରା କରିଥିବା ବେଳେ କୌଣସି ପ୍ରମାଣ ନପାଇ ଛାଡ଼ି ଦେଇଥିବା ଜଣାପଡ଼ିଛି।
କାହିଁକି ଲାଗୁହେଲାନି ୟୁଏପିଏ ଓ ଆଇପିସି ୧୨୧?
ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡ୍‌ଯନ୍ତ୍ର କରିବା, ଉସୁକାଇବା, ପ୍ରବର୍ତ୍ତାଇବା ତଥା ଉଦ୍ୟମ କରିବା ଘଟଣାରେ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନସନ୍‌ ଆକ୍ଟ ୧୯୬୭ର ଧାରା ୧୬, ୧୮ ଅନୁସାରେ ମାମଲା ରୁଜୁ ହୋଇଥାଏ। କୌଣସି ବି ଆତଙ୍କବାଦୀ ସଂଗଠନ ବା ଗ୍ୟାଙ୍ଗ୍‌ର ସଦସ୍ୟ ହେବାମଧ୍ୟ ଅପରାଧ ବୋଲି ଧାରା-୨୦ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ଦେଶ ବିରୋଧରେ ଯୁଦ୍ଧ ପାଇଁ ଉସୁକାଇବା, ପ୍ରବର୍ତ୍ତାଇବା ତଥା ଉଦ୍ୟମ କରିବା ଘଟଣାରେ ଭାରତୀୟ ଦଣ୍ଡବିଧି ଧାରା ୧୨୧ ଅନୁସାରେ ମାମଲା ରୁଜୁ ହେବାର ମଧ୍ୟ ପ୍ରାବଧାନ ରହିଛି। କିନ୍ତୁ, ପୁଲିସ୍‌ ଅଭିଯୁକ୍ତ ବିରୋଧରେ କେବଳ ଭାରତୀୟ ଦଣ୍ଡବିଧି ଧାରା ୫୦୫ ଓ ୫୦୬ ଅନୁସାରେ କାହିଁକି ମାମଲା ରୁଜୁ କଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୂର୍ବରୁ ବି ଝାରସୁଗୁଡ଼ାରେ ରହିଛି ସିମି ଆତଙ୍କବାଦୀ ଲିଙ୍କ୍‌
ଝାରସୁଗୁଡ଼ାରେ ଆତଙ୍କବାଦୀ ଲିଙ୍କ୍‌ର ଏକାଧିକ ଘଟଣା ଦେଖିବାକୁ ମିଳିଛି। ୨୦୧୩ ମସିହାରେ ମଧ୍ୟପ୍ରଦେଶର ଖଣ୍ଡୱା ଜେଲ୍‌ରୁ ଆତଙ୍କବାଦୀ ଅବ୍ବୁ ଫୈଜଲ୍‌ ସହିତ ଫେରାର୍‌ ହୋଇଥିବା ଅନ୍ୟ ୫ ଅଭିଯୁକ୍ତ ସମ୍ବଲପୁର ଓ ଝାରସୁଗୁଡ଼ାରେ ରହିଥିବା ସୂଚନା ମିଳିଥିଲା। ଏହି ଘଟଣାପରେ ମଧ୍ୟପ୍ରଦେଶ ଏଟିଏସ୍‌ ଝାରସୁଗୁଡ଼ାରେ ଆସି ଅଭିଯୁକ୍ତମାନେ କେଉଁଠି ରହୁଥିଲେ, କ‌ାହାସହିତ ମିଶୁଥିଲେ ସେନେଇ ଛାନ୍‌ଭିନ୍‌ କରିଥିଲା। ୨୦୧୬ରେ ଅଭିଯୁକ୍ତମାନେ ରାଉରକେଲାରୁ ଗିରଫ ହେବା ପରେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।