ବରଗଡ଼ : ଫେସ୍ବୁକ୍ରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଧମକ ମିଳିଛି। ଏହାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଛନ୍ତି। ପିଙ୍କୁ କମ୍ପ ନାମକ ଜଣେ ଯୁବକ ନିଜର ଫେସ୍ବୁକ୍ ପେଜ୍ରେ ‘ଗୁଳିର ଜବାବ ଗୁଳିରେ ଦିଆଯିବ’ ବୋଲି ଉଲ୍ଲେଖ କରିଛନ୍ତି। ଏହି ପୋଷ୍ଟରେ ବିଧାୟକ ଶ୍ରୀ ସିଂ ଓ ତାଙ୍କ ଭାଇ ସୁବ୍ରତଙ୍କ ଉପରେ ଟିପ୍ପଣୀ ରହିଛି। ଏହି ଯୁବକ ଜଣକ ଚାଲେଞ୍ଜ୍ ଦେବାସହିତ ୨୬ ତାରିଖରେ ଭୁବନେଶ୍ବରରୁ ପଦ୍ମପୁର ପହଂଚିବି ବୋଲି ଲେଖିଛନ୍ତି। ଏହି ପୋଷ୍ଟ୍ରେ ସେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହ ଫଟୋ ବି ଛାଡ଼ିଛନ୍ତି। ଏହି ପୋଷ୍ଟିଂକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।
ଏ ସମ୍ପର୍କରେ ବିଧାୟକ ଶ୍ରୀସିଂ କହିଛନ୍ତି, ‘ଯେଉଁ ଯୁବକ ଏହି ପୋଷ୍ଟିଂ କରିଛି, ସେ ଜୟନାରାୟଣ ମିଶ୍ରଙ୍କ ଡାହାଣ ହାତ। ଫଟୋ ବି ତାହା ସ୍ପଷ୍ଟ କରୁଛି।’ ‘ ବିଜେପି ପଦ୍ମପୁରରେ ହାରିବ ବୋଲି ଆକଳନ କରିସାରିଲାଣି । ତେଣୁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିବାକୁ ଏହିଦଳ ଉଦ୍ୟମ କରୁଛି।’ ସେ କହିଛନ୍ତି ଯେ ଏହି ପୋଷ୍ଟିଂରେ ସେ ଆଦୌ ଭୟଭୀତ କିମ୍ବା ବିବ୍ରତ ନୁହନ୍ତି। ସେ ସ୍ବାଭାବିକ ଭାବେ ପଦ୍ମପୁରରେ ଦଳ ପାଇଁ ପ୍ରଚାର କାର୍ଯ୍ୟ ସହିତ ଅନ୍ୟ ଦାୟିତ୍ବ ତୁଲାଇବେ।
ଅନ୍ୟପକ୍ଷରେ, ଫେସ୍ବୁକ୍ରେ ଏହି ବିବାଦୀୟ ପୋଷ୍ଟିଂ କିମ୍ବା ଫଟୋ ସମ୍ପର୍କରେ ଅବଗତ ନଥିବା କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଉକ୍ତ ପୋଷ୍ଟିଂ କରିଥିବା ଯୁବକକୁ ସେ ଜାଣିନାହାନ୍ତି। ବିଜେଡି ପାଖରେ ପ୍ରଶାସନିକ କଳ, ପୁଲିସ ବଳ ରହିଛି। ବିଜେଡି ଚାହିଁଲେ ସବୁ କରିପାରିବ। ତେବେ ବିଜେପି ଶାନ୍ତିପୂର୍ଣ୍ଣ ଭାବେ ପଦ୍ମପୁରରେ ନିର୍ବାଚନ ଲଢ଼ୁଛି। ଆମର ଗଣ୍ଡଗୋଳ କରିବା ପ୍ରବୃତ୍ତି ନୁହଁ। ବିଜେପି ପଦ୍ମପୁରରେ ଜିତିବ ନା ନାହିଁ, ତାହା ଲୋକେ ବିଚାର କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ ବିଜେପୁର ଉପନିର୍ବାଚନ ବେଳେ ସୋହେଲା ବ୍ଲକ ବନାବିରା ଗାଁରେ ରାଜନୈତିକ ସଂଘର୍ଷ ଘଟିଥିଲା। ଯେଉଁଥିରେ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ଆହତ ହୋଇଥିଲେ। ତାଙ୍କ ଡ୍ରାଇଭର୍ ମାଗି ସାହୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜୟନାରାୟଣ ମିଶ୍ର ବି ଗିରଫ ହୋଇଥିଲେ। ବର୍ତ୍ତମାନର ଏହି ପୋଷ୍ଟିଂ ପୂର୍ବ ଘଟଣାବଳୀକୁ ପୁଣି ତାଜା କରିଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Sushant-Singh.jpeg)