Pragativadi
ଦଶରଥପୁର: ଦଶରଥପୁର ବିଦ୍ୟୁତ୍ ଉପଖଣ୍ଡରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଗାଳିଗୁଲଜ କରିବା ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଜଣେ ଯୁବକଙ୍କ ନାଁରେ ମାମଲା ରୁଜୁ ହୋଇଛି।
ଆନ୍ଦୋଳା ଗ୍ରାମର ଖଗେଶ୍ୱର ଦାସଙ୍କ ଝିଅ ଡେଜି ଦାସ ବିରଜା ଇଲେକ୍ଟ୍ରିକାଲ୍ ଠିକାସଂସ୍ଥା ଅଧୀନରେ ଦଶରଥପୁର ବିଦ୍ୟୁତ୍ ଉପଖଣ୍ଡ କଲ୍ ସେଣ୍ଟରରେ କାର୍ଯ୍ୟ କରୁଛନ୍ତି। ଗତ ୨୫ ତାରିଖ ଅପରାହ୍ଣ ୪ଟା ୩୦ ରେ ନନ୍ଦିପୁର ଶାସନର ସତ୍ୟଜିତ ଶତପଥୀ ଓରଫ୍ ପିଣ୍ଟୁ କଲ୍ ସେଣ୍ଟରକୁ ନିଜର ବିଦ୍ୟୁତ୍ଜନିତ ସମସ୍ୟା ପାଇଁ ଫୋନ୍ କରିଥିଲେ।
ସମସ୍ୟା ସମାଧାନ ପାଇଁ ମହିଳା କର୍ମଚାରୀ ଡେଜି ଦାସ ଛତ୍ରପଡ଼ା ଅଞ୍ଚଳରେ ଥିବା ବିଦ୍ୟୁତ୍ ବିଭାଗ କଲ୍ ସେଣ୍ଟରକୁ ସୂଚନା ଦେଇଥିଲେ। ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବାରେ ବିଳମ୍ବ ହେବାରୁ ସତ୍ୟଜିତ ପୁନର୍ବାର ମହିଳା କର୍ମଚାରୀଙ୍କୁ ଫୋନ୍ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପଦାକୁ ବାହାରିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ କର୍ମଚାରୀ ଡେଜି ଦାସ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପକ୍ଷରୁ କେସ୍ ନଂ. ୮୧/୨୩ ରୁଜୁ କରି ୨୬୪, ୫୦୬ ଓ ୫୦୭ ଦଫାରେ ତଦନ୍ତ କରାଯାଉଛି ବୋଲି ଜଣାପଡ଼ିଛି।
Follow Us