ନିଶ୍ଚିନ୍ତକୋଇଲି/କଣାସ/ଗଡ଼ିଶାଗୋଦା : ସୋମବାର ଦିନ ପ୍ରଚଣ୍ଡ ଖରା ଯୋଗୁ ଅଂଶଘାତର ଶିକାରହୋଇ ୩ଜଣ ଚାଷୀ ବିଲରେ ଟଳିପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ହେଲେ, କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ସୁଦୁଖଣ୍ଡ ଗ୍ରାମର ପବିତ୍ର କୁମାର ଶତପଥୀ (୩୫) ଓ ତୋଟାପଡ଼ା ଗ୍ରାମର ଧନେଶ୍ୱର ବାରିକ (୭୦)। ସୋମବାର ଅପରାହ୍ନରେ ବିଲରେ କାମ କରୁଥିବା ସମୟରେ ଦୁହେଁ ଅଂଶୁଘାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକମାନେ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ହେବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ, ପୁରୀ ଜିଲ୍ଲା କଣାସ ବ୍ଲକ୍ରେ ଚଳିତ ବର୍ଷର ପ୍ରଥମ ଅଂଶୁଘାତ ମୁତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଗଡ଼ବଡ଼ପୁଟ ଗ୍ରାମର ଅରକ୍ଷିତ ପାଲଟାସିଂହ(୬୩) ସୋମବାର ସକାଳ ୯ଟାରେ ନିଜ ଜମିକୁ ଧାନ ବୁଣିବାପାଇଁ ଯାଇଥିଲେ। ଦିନ ୧୦ଟା ବେଳେ ଟ୍ରାକ୍ଟର ଡ୍ରାଇଭର୍ ଅରକ୍ଷିତଙ୍କୁ ସଂଜ୍ଞାହୀନ ଅବସ୍ଥାରେ ବିଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ପରିବାର ଲୋକ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ସମ୍ପର୍କରେ କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ କହିଛନ୍ତି, ଚାଷୀଙ୍କ ଅଂଶୁଘାତ ମୃତ୍ୟୁ ସମ୍ପର୍କରେ ସୂଚନା ପାଇ ଆର୍ଆଇଙ୍କୁ ତଦନ୍ତ ପାଇଁ କୁହାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁଗ୍ମ ଟିମ୍ ଗଠନ କରାଯାଇ ତଦନ୍ତ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।