ଜୟପୁର: ତିନି ବର୍ଷ ତଳେ ଜୟପୁର କଳିଙ୍ଗ ଅଟୋ ସିଣ୍ଡିକେଟ୍ ପରିସରରୁ ଇଣ୍ଡସଇଣ୍ଡ ବ୍ୟାଙ୍କର ୨ଟି ଟ୍ରାକ୍ଟର ଲୁଟ୍ ହୋଇଥିଲା। ଜୟପୁର ସଦରଥାନା ପୁଲିସ ଉକ୍ତ ୨ଟି ଲୁଟ୍ ଟ୍ରାକ୍ଟର ଉଦ୍ଧାର କରିବା ସହ ଏହି ମାମଲାରେ ସଂପୃକ୍ତ ଜଣେ ୱାଚମ୍ୟାନ ତଥା ମାମଲାର ମାଷ୍ଟରମାଇଣ୍ଡ ଏବଂ ଟ୍ରାକ୍ଟର କିଣିଥିବା ଦୁଇ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି।
ମିଳିଥିବା ସୂଚନା ମୁତାବକ, ଇଣ୍ଡସଇଣ୍ଡ ବ୍ୟାଙ୍କରେ ଋଣ ନେଇ ପରିଶୋଧ କରି ପାରିନଥିବା ୨ଜଣ ଋଣୀଙ୍କର ଟ୍ରାକ୍ଟର ଆଣି କଳିଙ୍ଗ ଅଟୋ ସିଣ୍ଡିକେଟ୍ର ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଜିମାରେ ରଖାଯାଇଥିଲା। ଶ୍ରୀ ମହାପାତ୍ର ଏହି ଟ୍ରାକ୍ଟର ଗୁଡିକ କଳିଙ୍ଗ ଅଟୋ ସିଣ୍ଡିକେଟ୍ ବାମୁଣିଗାଁ ପରିସରରେ ରଖିଥିଲେ। ତାଙ୍କ ନିକଟରେ ୱାଚ୍ ମ୍ୟାନ ଭାବେ କାମ କରୁଥିବା ଉପେନ୍ଦ୍ର ଗୌଡ଼ ଓ ଅର୍ଜୁନ ହରିଜନ ମହିନ୍ଦ୍ରା ଓ ହଲାଣ୍ଡ ୨ଟି ଟ୍ରାକ୍ଟର ଗତ ୨୦୨୦ମସିହା ପେବୃଆରୀ ୨୬ତାରିଖ ଦିନ ଲୁଟ୍ କରି ବିକ୍ରୀ କରି ଦେଇଥିଲେ। ଅଭିଯୁକ୍ତ ଉପେନ୍ଦ୍ର ଚୁକ୍ତି ଦଲିଲରେ ନୂଆପୁଟର ସୁକାନ୍ତ ବିଷୋଇଙ୍କୁ ଗୋଟିଏ ଟ୍ରାକ୍ଟର ଓ ଅନ୍ୟ ଟ୍ରାକ୍ଟରଟି ମାଲକାନଗିରୀ ଜିଲ୍ଲାର ଏମଭି-୧୮ଗାଁର ଗୌତମ ବାଚ୍ଛରାଙ୍କୁ ବିକ୍ରୀ କରିଥିଲେ। କଳିଙ୍ଗ ଅଟୋ ସିଣ୍ଡିକେଟ୍ର ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଏ ନେଇ ଜୟପୁର କୋର୍ଟରେ ଅଭିଯୋଗ ମାମଲା ରୁଜୁ କରିଥିଲେ। କୋର୍ଟର ନିର୍ଦ୍ଦେଶକ୍ରମେ ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ସବଇନିସପେକ୍ଟର ଶଙ୍କର ପଣ୍ଡା ଘଟଣାର ତଦନ୍ତ ଆରମ୍ଭ କରି ୨ଟି ଲୁଟ୍ ଟ୍ରାକ୍ଟରକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଉପେନ୍ଦ୍ର, ସୁକାନ୍ତ ଓ ଗୌତମଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛନ୍ତି। ଅର୍ଜୁନ ଫେରାର ଥିବା ବେଳେ ଅତି ଶ୍ରୀଘ୍ର ଧରାଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ।