ପାନବରଜ ଗୁଳିକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ରଣା ସହ ୩ ଅଟକ

ଶତ୍ରୁତାର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ୩ଟି ବେଆଇନ ବନ୍ଧୁକ

ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଂଚଳର ପାନବରଜ ଅଙ୍ଗନବାଡ଼ି କେନ୍ଦ୍ର ପାଶ୍ୱର୍ସ୍ଥ ସ୍ଥାନରେ ସୋମବାର ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡ ଘଟଣାର ୨୪ ଘଂଟା ପୂରିଛି । ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ଜଣେ ମହିଳାଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଅଟକ ରଖି ପଚରାଉଚୁରା କରୁଥିବା ଜଣାଯାଇଛି ।

ଗୁଳିମାଡ଼ରେ ଆହତ ହୋଇଥିବା ସେକ୍ ନସିମ୍ ଓରଫ ବବୁଲୁର ପତ୍ନୀ ଦେବିରୂପା ନରେନ୍ଦ୍ର ଖୋର୍ଦ୍ଧା ଟାଉନ୍ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ଅଙ୍ଗନୱାଡ଼ି କେନ୍ଦ୍ର-୧ ଠାରେ ତାଙ୍କ ସ୍ୱାମୀ, ସୂର୍ଯ୍ୟ ମହାନ୍ତି ଓରଫ ମିକୁ, ପ୍ରଦୀପ୍ତ ଓରଫ ତାରିଣୀ ପ୍ରସାଦ ମହାନ୍ତି, ଆଶିଷ ପଟ୍ଟନାୟକ, ରୋସନ ମହାରଣା, ମେହେରାଜ ଖାଁ ଓରଫ ରାଜା ପ୍ରମୁଖ ନିୟମିତ ଭାବେ ଖଟି କରିଥାନ୍ତି । ଗତକାଲି ରାତିରେ, ଭାଲିଆବାଡ଼ିର ସତ୍ୟ ରଂଜନ ପ୍ରଧାନ (ରାଣା) ସେଠାରେ ପହଂଚିଥିଲା । ତାରିଣୀ ପ୍ରସାଦ ସହ ତା’ର ବଚସା ହୋଇଥିଲା । ଏହାପରେ ନିଜ ପକେଟ୍ରୁ ବନ୍ଧୁକ ବାହାର କରି ତାକୁ ମାରିବାକୁ ଉଦ୍ୟତ ହେବା ବେଳେ ନିସମ ବନ୍ଧୁକ ଆଗରେ ଠିଆ ହୋଇ ବିରୋଧ କରିଥିଲା । ଏଥିରେ ରାଗିଯାଇ ସତ୍ୟରଂଜନ ନସିମ ଉପରକୁ ଦୁଇଟି ରାଉଣ୍ଡ ଗୁଳି କରିଥିଲା । ଗୋଟିଏ ଗୁଳି ନସିମରେ ଛାତିରେ ବାଜିଥିଲା ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଉଭୟ ନସିମ ଓ ସତ୍ୟରଂଜନ ପରସ୍ପର ବନ୍ଧୁଥିଲେ । ଦୁଇଦିନ ପୂର୍ବେ ଉଭୟ ମୋଟରସାଇକଲରେ ଖୋର୍ଦ୍ଧା ସହରରେ ବୁଲାବୁଲି କରୁଥିଲେ । ଏପରିକି ସେଠାରେ ଥିବା ଅନ୍ୟମାନଙ୍କ ସହ ମଧ୍ୟ ସତ୍ୟରଂଜନର ଉତ୍ତମ ବନ୍ଧୁତା ଥିଲା । ଏପରିକି ସମସ୍ତେ ବ୍ରାଉନସୁଗାର, ଜାଗା ଆଦି ବ୍ୟବସାୟ, ରାସ୍ତା ଉପରେ ଥିବା ଟ୍ରକ୍ ଆଦିରୁ ବେଆଇନ ବଟି ଆଦାୟ କରିବା ଆଦି ଘଟଣାରେ ସମ୍ପୃକ୍ତ ଥିଲେ । କେତେକଙ୍କ ନାମରେ ଏକାଧିକ ମାମଲା ମଧ୍ୟ ରହିଥିବା ଜଣାଯାଇଛି । ସମସ୍ତ ଯୁବକ ଜଣେ ଜଣାଶୁଣା ବ୍ରାଉନସୁଗାର ବେପାରୀଙ୍କ ଅଧୀନରେ କାମ କରୁଥିବା ମଧ୍ୟ ଜଣାଯାଇଛି । ଘଟଣା ପରେ ପୁଲିସ ସତ୍ୟରଂଜନକୁ ବେଗୁନିଆ-ଗୁଡ଼ୁମ ରାସ୍ତାରୁ ଧରିଥିବା ବେଳେ ତା’ ନିକଟରୁ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ କରିଥିବା ସୂଚନା ରହିଛି । ଅପରପକ୍ଷରେ, ଗୁଳିକାଣ୍ଡ ଦିନ ସତ୍ୟରଂଜନ ଯେଉଁ ମୋଟରସାଇକଲ (ଓଡି୦୨ଏଚ୍୩୨୫୩)ଟି ବ୍ୟବହାର କରିଥିଲା ସେହି ମୋଟର ସାଇକଲଟି ଦ୍ୱତୀୟ ଥର କିଣାଯାଇ ଜଣେ ମହିଳାଙ୍କ ନାମରେ ପଂଜୀକୃତ ହୋଇଛି । ଏହାର ଆଧାରରେ ପୁଲିସ ଉକ୍ତ ମୋଟର ସାଇକଲର ମାଲିକ (ମହିଳା) ଓ ତାଙ୍କ ଭାଇକୁ ଆଣି ଥାନାରେ ପଚରା ଉଚୁରା କରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର