ଅପରାଧ ଯୋଜନା ଫେଲ୍‌; ୩ ଅଭିଯୁକ୍ତ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ବର: ବଡ଼ଧରଣର ଅପରାଧ ଘଟାଇବା ପାଇଁ ‌ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଜଟଣୀ ପୁଲିସ ହାତରେ ଧରାପଡ଼ିଛନ୍ତି ୩ ଜଣ ଅଭିଯୁକ୍ତ। ଗିରଫ ଅଭିଯୁକ୍ତମାନେ ହେଲେ ବିକ୍ରମ ଓରଫ ଧର୍ମେନ୍ଦ୍ର ରାଉତ (୨୭), ଦୀପୁ ଓରଫ ଦୀପ୍ତିନାରାୟଣ ଜେନା (୨୪) ଓ ସୁନ୍ଦର ମାର୍ଥା। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଏକ ୯ଏମ୍‌ଏମ୍‌ ଦେଶୀ ପିସ୍ତଲ, ଏକ ୭.୬୫ ଏମ୍‌ ଦେଶୀ ପିସ୍ତଲ, ୧୩ ରାଉଣ୍ଡ ଜୀବନ୍ତ ଗୁଳି, ଏକ ବାଇକ୍‌ (ଓଡି ୩୩ ଏଡି ୦୦୯୬), ଏକ କାର୍‌ (ଟୋୟଟା) ଓ ୩ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଛି।

ମଙ୍ଗଳବାର ରାତିରେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ଦୁଇ ଜଣ ଦୁର୍ବୃତ୍ତ ଏକ କଳାରଙ୍ଗର ବାଇକ୍‌ରେ ବନ୍ଧୁକ ଧରି କେନ୍ଦ୍ରାପଡ଼ାରୁ ଜଟଣୀ ଅଞ୍ଚଳକୁ ଆସିଛନ୍ତି ଓ ସେମାନେ କୌଣସି ଅପରାଧ ଘଟାଇବାକୁ ଯୋଜନା କରୁଛନ୍ତି। ଏହି ଖବର ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଖୁଦୁପୁର ଆଇଆଇଟି ରାସ୍ତାରେ ୨ ଜଣ ଯୁବକଙ୍କ ସହ ଏକ ବାଇକୁ ବାଇକ୍‌କୁ ଠାବ କରିଥିଲା। ସେମାନଙ୍କୁ ଧରି ସେମାନଙ୍କର ତଲାସୀ ନେବାରେ ଏକ ୯ଏମ୍‌ଏମ୍‌ ଦେଶୀ ମାଉଜର ସହ ୭ ଗୋଟି ଗୁଳି ଉଦ୍ଧାର କରିଥିଲା ଓ ସେମାନଙ୍କୁ ପଚାରିବାରେ କହିଲେ ଯେ, ସୁନ୍ଦରପଦା ଅଞ୍ଚଳର ସନ୍ତୋଷ ମାର୍ଥା ନାମକ ଜଣେ ଯୁବକ କୌଣସି ଅପରାଧ ପାଇଁ ଜଟଣୀକୁ ଡକାଇଥିଲା। ପୁନଶ୍ଚ ସେମାନଙ୍କ ସୂଚନା ଆଧାରରେ ସନ୍ତୋଷ ମାର୍ଥାକୁ ହରିଚନ୍ଦନପୁର-ଭୁବନେଶ୍ବର ରାସ୍ତାର ବୁଢ଼ାପଡ଼ା ନିକଟରୁ ମାଉଜାର ସହ ୬ ରାଉଣ୍ଡ ଜୀବନ୍ତ ଗୁଳି ଏବଂ ଏକ କାର ଜବତ କରିଛି। ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର