କଳାବାଡ଼ିଆ : ଶିକାରୀଙ୍କ ଗୁଳିରେ ଶିମିଳିପାଳ ଅଭୟାରଣ୍ୟର ବନରକ୍ଷୀ ବିମଳ ଜେନାଙ୍କ ମୃତ୍ୟୁ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ପୁଲିସର ସ୍ପେଶାଲ୍ ସ୍କ୍ବାଡ୍କୁ ମିଳିଛି ବଡ଼ ସଫଳତା। ଜଙ୍ଗଲରେ ଦୀର୍ଘ ୪୮ ଘଣ୍ଟାର କମ୍ବିଂ ଅପରେସନ୍ ଓ ବିଭିନ୍ନ ସ୍ଥାନରେ ଖାନତଲାସ ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବନ୍ଧୁକ ଓ ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ବାଙ୍ଗିରିପୋଷି ବ୍ଲକ୍ ବଡ଼ଗାଁ ପଞ୍ଚାୟତ ସୁନାପୋଷି ଗ୍ରାମର ପୂର୍ବତନ ସରପଞ୍ଚ ବୁଦ୍ଧଦେବ ସିଂ (୫୨), କୁଆଳି ଗ୍ରାମର ଶୁକୁଲାଲ ମାରାଣ୍ଡି (୩୭) ଓ ସୁନାପୋଷି ଜରଗାଡେହି ଗ୍ରାମର ଜୁଗୁଳୁ ସିଂ (୩୮)।
ସୂଚନାଯୋଗ୍ୟ, ବନରକ୍ଷୀଙ୍କୁ ଗୁଳିମାଡ଼ ପରଠାରୁ ଶିମିଳିପାଳ ଭିତରେ ଓ ପାଦଦେଶରେ ଥିବା ଗାଁଗୁଡ଼ିକରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନ୍ ସାଙ୍ଗକୁ ବ୍ୟାପକ ଖାନ୍ତଲାସୀ ଚାଲିଛି। ଗତ ଦୁଇ ଦିନ ମଧ୍ୟରେ ଶିମଳିପାଳ ସଂଲଗ୍ନ ବାଙ୍ଗିରିପୋଷି ଓ କପ୍ତିପଦା ଅଞ୍ଚଳରୁ ୬ଟି ଦେଶୀ ବନ୍ଧୁକ ଜବତ ହେଲାଣି।