ଫ୍ଲିପ୍‌କାର୍ଟରୁ ୩୯ ଲକ୍ଷ ଟଙ୍କା ହଡ଼ପ, ୩ ଅଭିଯୁକ୍ତ ଗିରଫ

୨ ବାଇକ୍‌, ଗୋଟିଏ ଲାପ୍‌ଟପ୍‌, ୩ଟି ମୋବାଇଲ ଓ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଉଦ୍ଧାର

ବୌଦ୍ଧ : ଫ୍ଲିପ୍‌କାର୍ଟର ୩୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ବୌଦ୍ଧ ପୁଲିସ କମ୍ପାନିର ବିତରଣ କେନ୍ଦ୍ର ଦାୟିତ୍ବରେ ଥିବା ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ପାଇକରାସାହି ପୋଡ଼ାଡ଼ିହ ଗାଁର ଆଶିଷ ରଞ୍ଜନ ପ୍ରଧାନ (୨୪ବର୍ଷ), ନୟାଗଡ଼ ଜିଲ୍ଲା ଦୁର୍ଗାପ୍ରସାଦ ଗାଁର ସୁନୀଲ ପ୍ରିୟରଞ୍ଜନ ପାଲ (୨୫ବର୍ଷ) ଓ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ବ୍ୟୋମକେଶ ଗିରି (୩୧ବର୍ଷ)। ସେମାନଙ୍କ ପାଖରୁ ୨ଟି ବାଇକ ବାଇକ (ଓଡି ୩୩ଏଜି ୯୭୮୫ ଓ ଓଡି ୦୨ସିଜେ ୦୯୬୩) ସହ ଗୋଟିଏ ଲାପ୍‌ଟପ୍‌, ୩ଟି ମୋବାଇଲ ଓ ସାଢ଼େ ୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସ୍‌ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତମାନେ କ୍ୟାସ୍‌ ଅନ୍‌ ଡେଲିଭରି (ସିଓଡି)ରେ ଗ୍ରାହକଙ୍କ ପାଖରୁ ଆସୁଥିବା ଟଙ୍କା କମ୍ପାନି ଖାତାରେ ଜମା ନକରି ନିଜେ ହଡ଼ପ କରୁଥିଲେ। ଏପରିକି ନିଜେ ଜାଲ ନାମରେ ଅର୍ଡର କରି ସିଓଡିରେ ଜିନିଷ ମଗାଇଲେ। କମ୍ପାନିକୁ ଟଙ୍କା ନଦେଇ ଜିନିଷ ବିକ୍ରିକଲେ। ଏଭଳି ଉପାୟରେ ଲକ୍ଷାଧିକ ଟଙ୍କା ହଡ଼ପ କରିବା ପରେ ଘରକୁ ଯିବା ବାହାନାରେ ଫେରାର ହୋଇଗଲେ। ଏନେଇ ଫ୍ଲିପ୍‌କାର୍ଟର ଉକ୍ତ ୩ ଜଣ ହବ୍‌ ଇନଚାର୍ଜଙ୍କ ନାଁରେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଓ କଣ୍ଟାମାଳ ଥାନାରେ ଲିଖିତ ​ଅଭିଯୋଗ ହୋଇଥିଲା। ଅନୁଗୁଳ ଜିଲ୍ଲା ବାମୁର ଅଞ୍ଚଳରେ ମଧ୍ୟ ଠକେଇ ହୋଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା।

ମୋଟ ୩୯ ଲକ୍ଷ ଟଙ୍କାରୁ ଅଧିକ ହଡ଼ପ ହୋଇଥିବା ବେଳେ ବୌଦ୍ଧ ଏସ୍‌ପି ରାଜ ପ୍ରସାଦଙ୍କ ତତ୍ତ୍ବାବଧାନରେ ଗଠିତ ସ୍ବତନ୍ତ୍ର ଦଳ ଶନିବାର ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ବାଉଁଶୁଣି ଥାନା କେସ୍‌ ନମ୍ବର ୮୫/୧୭.୬.୨୩ ଅନୁସାରେ ଆଶିଷ ଓ ସୁନୀଲ ମିଶି ୨୮,୪୩,୫୬୭ ଟଙ୍କା ହଡ଼ପ କରିଛନ୍ତି। ସେହିପରି କଣ୍ଟାମାଳ ଥାନା କେସ୍‌ ନମ୍ବର ୧୧୧/୪.୭.୨୦୨୩ ଅନୁସାରେ ୧,୯୨,୭୨୦ ଟଙ୍କା ସୁନୀଲ ହଡ଼ପ କରି ଫେରାର ହୋଇଥିଲା। ଏଥି ସହିତ ବାମୁର ଡିପୋରୁ ୯ ଲକ୍ଷ ଟଙ୍କା ହଡ଼ପ କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ନୟାଗଡ଼ ଥାନାରେ ମଧ୍ୟ ଏମାନଙ୍କ ନାମରେ ମାମଲା ଦାଏର ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଦଳ ଦିଲ୍ଲୀ ଯାଇ ଫେରିଆସିଥିବା ବେଳେ ଏମାନଙ୍କ ଗତିବିଧି ଉପରେ ପୁଲିସ ନଜର ରଖିଥିଲା। ଶନିବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ସୀମାରୁ ଉକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର