ବରଗଡ଼/ଭଟଲି : ବରଗଡ଼ ଜିଲ୍ଲା ଭଟଲି ଥାନା ନାରଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ଝିକିଝିକି ଗ୍ରାମର ଗୁରୁଦେବ ବାଗ (୫୫) ତାଙ୍କ ପତ୍ନୀ ଶିବାଗ୍ରୀ ବାଗ (୪୮), ପୁଅ ଚୂଡ଼ାମଣି ବାଗ (୧୫) ଓ ଝିଅ ଶ୍ରାବଣୀ ବାଗ (୧୦)ଙ୍କୁ ଗତ ୨୨ ତାରିଖରେ ହତ୍ୟା କରାଯାଇଥିଲା। ପୁଲିସ୍ ଏହି ମାମଲାରେ ଶିବ ବାଗ, ତାଙ୍କ ସ୍ତ୍ରୀ ପାର୍ବତୀ ଓ ପୁଅ ନକୁଳକୁ ଗିରଫ କରିଛି। ପୁଲିସ୍ ସୂଚନା ଅନୁସାରେ, ଗୁରୁଦେବ ଏବଂ କକା ଶିବଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନର ବିବାଦ ଥିଲା। ପୂର୍ବରୁ ୨୦୧୪ ମସିହାରେ ଗୁରୁଦେବଙ୍କ ସ୍ତ୍ରୀ ଶିବାଗ୍ରୀଙ୍କ ଏତଲାକ୍ରମେ କକା ଶିବ ଏବଂ ତାଙ୍କ ପରିବାରକୁ ଜେଲ୍ ଯିବାକୁ ପଡ଼ିଥିଲା।
ଏହା ପରଠୁ ଉଭୟ ପରିବାର ଗୋଟିଏ ଘରେ ରହୁଥିଲେ ବି ତିକ୍ତତା ବଢ଼ି ଚାଲିଥିଲା। ଶେଷରେ ୨୧ ତାରିଖ ରାତିରେ ଶିବ, ସ୍ତ୍ରୀ ପାର୍ବତୀ ଏବଂ ପୁଅ ନକୁଳ ମିଶି ଗୁରୁଦେବଙ୍କ ସାରା ପରିବାରକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୨ ତାରିଖ ଦିନ ଗୁରୁଦେବ ଘର ଭିତରେ ପାଇଖାନା ତିଆରି ବେଳେ ଶିବଙ୍କ ସହ ପୁଣି ଝଗଡ଼ା ହୋଇଥିଲା। କାମ ବନ୍ଦ କରି ଯିଏ ଜୁଆଡ଼େ ଯାଇଥିଲେ।
ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଜଣକ ପରେ ଜଣକୁ ହତ୍ୟା କରିଥିଲେ। ପ୍ରଥମେ ଶିବାଗ୍ରୀ, ଏହା ପରେ ଝିଅ ଶିବାନୀ, ପୁଅ ଚୂଡ଼ାମଣି ଓ ଶେଷରେ ଗୁରୁଦେବଙ୍କୁ ଏମାନେ ହତ୍ୟା କରିଥିଲେ। ସକାଳୁ ଅପରାହ୍ନ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ହତ୍ୟା ପରେ ଅଭିଯୁକ୍ତ ପରିବାର ଆଗକୁ କ’ଣ କରିବେ, କିଛି ନିଷ୍ପତ୍ତି ନେଇ ପାରିନଥିଲେ। ୨୩ ତାରିଖ ସକାଳୁ ଶିବ ଗାଁ ୱାର୍ଡମେମ୍ବରଙ୍କୁ ସବୁ କଥା କହି ପୁଲିସ୍ ପାଖରେ ଆତ୍ମସମର୍ପଣ କରିଥିଲା। ଜେରା ପରେ ସାରା ପରିବାର ଏହି ଘଟଣାରେ ସଂପୃକ୍ତ ଥିବା ମାନି ଯାଇଥିଲେ।