ଜମିବାଡ଼ି ପାଇଁ ବୃଦ୍ଧାଙ୍କୁ ବାନ୍ଧି ପିଟିବା ଘଟଣା: ୩ କୋର୍ଟ ଚାଲାଣ

କୋରେଇ : କୋରେଇ ଥାନା ଅନ୍ତର୍ଗତ ହଳଦୀଗଡ଼ିଆ ପଞ୍ଚାୟତ ଶିଶୁଆ ଗ୍ରାମରେ ଗତ ୧୬ ତାରିଖରେ ଜମିଜମା ବିବାଦକୁ ନେଇ ଜଣେ ବୃଦ୍ଧାଙ୍କୁ କେତେକ ଦୁର୍ବୃତ୍ତ ବାନ୍ଧି ମାଡ଼ ମାରିଥିଲେ। ଏହି ଘଟଣାରେ ରବିବାର କୋରେଇ ପୁଲିସ୍‌ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ପୁଲିସ୍‌ ଏହି ଘଟଣାରେ ଦୁଇଦିନ ଧରି ତଦନ୍ତ କରିବା ପରେ ରବିବାର ୪ ଜଣଙ୍କୁ ଗିରଫ କରିଥିଲା। ସେଥିମଧ୍ୟରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଅନ୍ୟ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୋରେଇ ଥାନା ଅନ୍ତର୍ଗତ ଖସାଗଡ଼ିଆ ଗ୍ରାମର ପଦ୍ମିନୀ ମହାରଣା, ଅଲେଖ ମହାରଣା ଓ ରାମଚନ୍ଦ୍ର ମହାରଣା। କୋରେଇ ଥାନା କେସ ନମ୍ବର ୨୦୯/୨୧ ତଥା ବିଭିନ୍ନ ଦଫାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଯେ, ଶିଶୁଆ ଗ୍ରାମର ଗନ୍ଧର୍ବ ମହାରଣା ଓ ତାଙ୍କର ଦୁଇ ଭାଇ କୈଳାସ ଏବଂ ଅଲେଖଙ୍କ ମଧ୍ୟରେ ୨୦ବର୍ଷ ହେଲା ଜମିଜମାକୁ ନେଇ ବିବାଦ ରହିଥିଲା। ୧୬ ତାରିଖ ଅପରାହ୍ଣରେ କୈଳାସ, ଅଲେଖ, ପଦ୍ମିନୀ, କୈଳାସଙ୍କ ଦୁଇପୁଅ ଓ ଅନ୍ୟ କେତେକ ସମ୍ପର୍କୀୟ ପହଞ୍ଚି ଗନ୍ଧର୍ବଙ୍କ ଘରକୁ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଗନ୍ଧର୍ବଙ୍କ ପତ୍ନୀ ବାସନ୍ତୀଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଅଭିଯୋଗ ପରେ ପୁଲିସ ୧୦ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା।

ସମ୍ବନ୍ଧିତ ଖବର