ଭବାନୀପାଟଣା ସହରରେ ଅଭାବନୀୟ କାଣ୍ଡ: ପୁଲିସ ସହିତ ଧସ୍ତାଧସ୍ତି ଘଟଣାରେ ୩ ଗିରଫ, ଅନ୍ୟ ୩ଜଣ ଫେରାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମଙ୍ଗଳବାର ରାତିରେ ଅପରାଧୀମାନଙ୍କୁ ଧରିବାକୁ ଯାଇ ପୁଲିସ ଆକ୍ରମଣର ଶିକାର ହୋଇଛି। ଏଥିରେ କନେଷ୍ଟବଳ ଶୁକଦେବ ବଗର୍ତ୍ତି ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ବୁଧବାର ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ୩ଜଣ ଫେରାର ଥିବା ସୂଚନା ମିଳିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଭବାନୀପାଟଣା ବାଲାଜୀ ସୁଇଟ୍ସରେ ପ୍ରାୟ ୫ଜଣ ଯୁବକ ଗଣ୍ଡଗୋଳ କରିଥିଲେ। ଏନେଇ ବାଲାଜୀ ସୁଇଟ୍ସର ମାଲିକ କୃଷ୍ଣ ଶର୍ମା ଭବାନୀପାଟଣା ଟାଉନ ଥାନାରେ ଏତଲା ଦେଇଥିଲେ। କଳାହାଣ୍ଡି ବଣିକ ସଙ୍ଘ ଥାନାକୁ ଆସି ଅପରାଧୀମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଥିଲା। ପୁଲିସ ମଙ୍ଗଳବାର ରାତିରେ ଭାଗୀରଥି ମଲ୍‌ଠାରେ ଅଭିଯୁକ୍ତମାନଙ୍କୁ ଠାବ କରିଥିଲା। ପୁଲିସକୁ ଦେଖି ନିକଟସ୍ଥ ଚେକଗେଟ ପଡ଼ିଆକୁ ଦୌଡ଼ି ଯାଇଥିଲେ। ପୁଲିସ ସେମାନଙ୍କୁ ପିଛା କରିବା ସମୟରେ ଟିଅର ଗ୍ୟାସ ଛାଡ଼ି ପୁଲିସକୁ ଆକ୍ରମଣ କରିଥିଲେ। ଖବର ପାଇ ଟାଉନ ଥାନା ଆଇଆଇସି ସତ୍ୟକୁମାର ନନ୍ଦ ପୁଲିସ ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚି ଭବାନୀପାଟଣା ସହରସ୍ଥିତ ଆମ୍ବଗଛ ପଡ଼ାର ଗୁରୁ ପ୍ରସାଦ ଚଣ୍ଡୀ (୩୩) ଓ ହିଲଟାଉନର ସୈଫ ଖାନ (୨୮)ଙ୍କୁ ଗିରଫ କରିଥିଲେ। ଅନ୍ୟ ୩ଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତନାଘନା କରୁଥିଲା।

ବୁଧବାର ସକାଳେ ଦେୱାନ ସାହେବ ପଡ଼ାର ମାନସ ରଞ୍ଜନ ଶତପଥୀ (୩୪)କୁ ପୁଲିସ ଗିରଫ କରିଥିଲା। ପୁଲିସକୁ ଆକ୍ରମଣ ଘଟଣା ନେଇ ସହରବାସୀଙ୍କ ସୁରକ୍ଷା ନେଇ ଉପରେ ସୃଷ୍ଟି ହୋଇଛି। ତୁରନ୍ତ ଏନେଇ ଠୋସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର