ଗୁଣପୁରରେ ଅନ୍‌ଲାଇନ କ୍ରିକେଟ୍ ବେଟିଂ : ୩ ଗିରଫ, ୧.୨୬ ଲକ୍ଷ ଜବତ

ଗୁଣପୁର : ପୁଲିସ ଆଖିରେ ଧୂଳି ଦେଇ ଗୁଣପୁରରେ ଚାଲିଥିବା ଅନ୍‌ଲାଇନ୍ କ୍ରିକେଟ୍ ବେଟିଂ ର‍୍ୟାକେଟକୁ ପୁଲିସ୍ କାବୁ କରିଛି। ଗୁଣପୁରରୁ ଭାୟା ରାୟପୁର ଦେଇ ହାଇଦ୍ରାବାଦ୍ ପର୍ଯ୍ୟନ୍ତ ଲମ୍ବିଛି ଏହି ର‍୍ୟାକେଟର ଚେର। ମାମଲାରେ ସଂପୃକ୍ତି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧.୨୬ ଲକ୍ଷ ଟଙ୍କା, ୨ଟି ବାଇକ୍ ଓ ୬ଟି ମୋବାଇଲ୍ ଜବତ କରିଛି। ଗିରଫ ୩ ଯୁବକ ସୁଭଦ୍ରାପୁରର ପି. ଈଶ୍ୱର ରାଓ, ବାଉରୀ ସାହିର ସ‌ନ୍ତୋଷ ବାଉରୀ ଓ ଜୈଲପେଟା ସାହିର ଡି. ରାଜେଶ। ରୢାକେଟର କିଙ୍ଗପିନ୍ ଈଶ୍ବର ପୁଲିସ୍ ହାତରେ ଧରା ପଡ଼ିଥିବାରୁ ଆଗକୁ ଏନେଇ ଅଧିକ ସୂଚନା ‌ମିଳିବ ବୋଲି ଗୁଣପୁର ଏସଡିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଚାଲିଥିବା ମହିଳା ଟି-୨୦ ବିଶ୍ବକପ୍‌ କ୍ରିକେଟ୍ ଓ ପାକିସ୍ତାନ କ୍ରିକେଟ୍ ଲିଗ୍ ପାଇଁ ଏହି ବେଟିଂ ଚାଲିଥିଲା। ବେଟିଂକୁ ପରିଚାଳନା କରୁଥିବା ବ୍ୟକ୍ତି ୧୦ହଜାର ଟଙ୍କା ଦେଇ ସ୍ବତନ୍ତ୍ର ଆପ୍‌କୁ କିଣିବା ପରେ ଏହି ଆପ୍ ମାଧ୍ୟମରେ ଦୈନିକ ଲକ୍ଷାଧିକ ଟଙ୍କାର କାରବାର କରୁଥିଲେ। ଏହି ର‍୍ୟାକେଟ୍ ମାଧ୍ୟମରେ ରାୟଗଡ଼ା, ଗଜପତି, କଳାହାଣ୍ଡି, ହାଇଦ୍ରାବାଦ୍ ସମେତ ରାୟପୁର ଅଞ୍ଚଳର ବ୍ୟବସାୟୀ ଓ କ୍ରିକେଟ୍ ପ୍ରେମୀ ପ୍ରତି ମ୍ୟାଚ୍, ପ୍ରତି ବଲ୍, ୱିକେଟ୍ ଓ ରନକୁ ନେଇ ଲକ୍ଷାଧିକ ଟଙ୍କା ବାଜି ଲଗାଉଥିଲେ। କିଛିଦିନ ତଳେ ଗୁଣପୁର ପୁଲିସକୁ ‌ଏନେଇ ସୂଚନା ମିଳିଥିଲା। ପୁଲିସ୍ ଏହି ଅନଲାଇନ ଜୁଆ ଖେଳୁଥିବା ରୢାକେଟକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଗତକାଲି ରାତିରେ ଏସଡିପିଓ ରାଜ କିଶୋର ଦାଶ, ଥାନା ଅଧିକାରୀ ରଶ୍ମି ରଂଜନ ପ୍ରଧାନ ସଦଳବଳେ ଚଢ଼ଉ କରି ର‍୍ୟାକେଟକୁ ଠାବ କରିବା ସହ ୧.୨୬ ଲକ୍ଷ, ୨ ବାଇକ୍, ୬ ମୋବାଇଲକୁ ଜବତ କରିଥିଲେ। ଗିରଫ ସମସ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଏସ୍‌ଆଇ ରାଜକିଶୋର ବେହେରା, ଏସ. ସାମରିଆ ଏହି ରୢାକେଟର ଚେର ହାଇଦ୍ରାବାଦରୁ ରାୟପୁର ପର୍ଯ୍ୟନ୍ତ ଲମ୍ବିଛି ବୋଲି ସୂଚନା ଦେଇଛନ୍ତି। ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ୨୯୪(ଏ), ୪୨୦, ୧୨୦(ବି), ୪ ଓ ୫ ପ୍ରାଇଜ୍ ଚିଟ୍ ତଥା ମନି ସର୍କୁଲେସନ ବ୍ୟାନିଂ ଆକ୍ଟରେ ମାମଲା ରୁଜୁ କରିଛି। ଆବଶ୍ୟକସ୍ଥଳେ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଏସଡିପିଓ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର