କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳର ବିଭିନ୍ନ ଗାଁରେ କଳାକାର ଭତ୍ତା କରାଇ ଦେବା ନାଁରେ ହଜାର ହଜାର ଟଙ୍କା ଠକି ନେଇଛନ୍ତି ଠକ। ଏହି ଘଟଣାରେ ପୁଲିସ ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ବ୍ରହ୍ମପୁର ଅଙ୍କୁଶପୁରସ୍ଥିତ ‘ଏସ୍.କେ.ପି ବିଶ୍ୱ ଧାର୍ମିକ ଓ ସାଂସ୍କୃତିକ କର୍ମୀ ସଦସ୍ୟ’ ନାମକ ଏକ ସଂସ୍ଥା ନାଁରେ କିଛି ବ୍ୟକ୍ତି କଳାକାର ଭତ୍ତା କରାଇ ଦେବା ନାଁରେ ଅର୍ଥ ଠକେଇ କରୁଥିବା ନେଇ ଗତକାଲି ରାତିରେ ଥାନାରେ ଅଭିଯୋଗ ହୋଇଥିଲା। କଣ୍ଟାପାଳ କଲୋନି-୪ର ସବିତା ରଣା ଥାନାରେ ଅଭିଯୋଗ କରିଥିଲେ ଯେ ଏହି ଠକ ସଂସ୍ଥା ଚଳିତ ମାସ ୩ ଓ ୪ ତାରିଖରେ କଙ୍କଡ଼ାହାଡ଼ସ୍ଥିତ ଶିବ ମନ୍ଦିର ପରିସରରେ ଏକ ବୈଠକ କରିଥିଲା। ସଂସ୍ଥା ପକ୍ଷରୁ ବ୍ରହ୍ମପୁର ଅଙ୍କୁଶପୁର ଗାଁର ସୁକାନ୍ତ କିଶୋର ମିଶ୍ର, କଟକ ନରସିଂହପୁରସ୍ଥିତ ଜେମାଦେଇପୁର ଗାଁର ମମତାମୟୀ ମିଶ୍ର ଓ ବ୍ରହ୍ମପୁର ବାଇଗଣବାଦୀ ଗାଁର ସରୋଜ କୁମାର ରଣା ଉପସ୍ଥିତ ରହି ଲୋକଙ୍କୁ ବୁଝାଇଥିଲେ। ସଂଘର ସଦସ୍ୟ ହେବାକୁ ୫୦ ଟଙ୍କା, ପରିଚୟପତ୍ର ପାଇଁ ୨୫୦ ଟଙ୍କା ଓ ୫୦୦ ଟଙ୍କା ଦେଇ କଳାକାର ପ୍ରମାଣପତ୍ର ପାଇ ପାରିବେ ବୋଲି କହିଥିଲେ। ଏହି ପ୍ରମାଣପତ୍ର ବଳରେ ସରକାରଙ୍କଠାରୁ କଳାକାର ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ମିଳିପାରିବ ବୋଲି ସେମାନେ ଲୋକଙ୍କୁ ପ୍ରଲୋଭିତ କରିଥିଲେ। କଣ୍ଟାପାଳ ପଞ୍ଚାୟତରୁ ଏହି ଠକ ସଂସ୍ଥା ମିଥ୍ୟା ପ୍ରମାଣପତ୍ର ଦେଇ ୪୮,୧୫୦ ଟଙ୍କା ଠକି ନେଇଥିବା ଶ୍ରୀମତୀ ରଣା ଥାନାରେ ଅଭିଯୋଗ କରିଥିଲେ।
ସୂଚନା ଅନୁସାରେ, ଏଥିପାଇଁ ଏକ ମିଥ୍ୟା ଆବେଦନ ଫର୍ମ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ନାଁ, ମୋବାଇଲ ନମ୍ବର୍, ଗ୍ରାମ, ୱାର୍ଡନମ୍ବର, ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ବିବରଣୀ ସହ କଳା ସଂସ୍କୃତି ସହ ଜଡ଼ିତ ପୂଜକ, ପୁରୋହିତ, କଳାକାର, ବାଦକ, ଗାୟକ, ପାଳିଆମାନଙ୍କୁ ଟାର୍ଗେଟ୍ କରାଯାଉଥିଲା। ମନ୍ଦିରର ନାମ, ସଂକୀର୍ତ୍ତନ ମଣ୍ଡଳୀ, ଭାଗବତ ମଣ୍ଡଳୀ ବା ନାଟ୍ୟ ସଂସ୍ଥାର ନାମ ଓ କେଉଁ ମସିହାରୁ କାମ କରୁଛନ୍ତି; ଏସବୁ ଉଲ୍ଲେଖ କରିବାକୁ ମଧ୍ୟ ଆବେଦନ ଫର୍ମରେ କୁହାଯାଇଥିଲା। ଗାଁ ଗାଁ ବୁଲି ଲୋକଙ୍କୁ ଏହି ଫର୍ମ ଦେଇ ସେମାନେ ଠକୁଥିଲେ। ଏପରିକି ଏହି ସଂସ୍ଥାର ଏକ ରେଜିଷ୍ଟ୍ରେସନ୍ ନମ୍ବର ଲେଖା ଥିଲେ ବି ଏହା କୌଣସି ସରକାରୀ କିମ୍ବା ବେସରକାରୀ ଭାବେ ପଞ୍ଜୀକୃତ ହୋଇଥିବା ଉଲ୍ଲେଖ ନଥିଲା। ଗତକାଲି ଏହି ଠକ ସଂସ୍ଥାର ସଦସ୍ୟମାନେ କରଗୋଳା ଓ ଚିଲଦା ଗ୍ରାମରେ ଲୋକଙ୍କୁ ପ୍ରଲୋଭିତ କରୁଥିବା ନେଇ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ସଂସ୍ଥାର ସଦସ୍ୟମାନେ ରାତାରାତି ଚମ୍ପଟ୍ ମାରିବାକୁ ପ୍ରୟାସ କରିବା ବେଳେ କଙ୍କଡ଼ାହାଡ଼ ଥାନା ଅଧିକାରୀ କଳ୍ପନା ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ୩ ଜଣଙ୍କୁ କାବୁ କରିଥିଲେ। ଲୋକଙ୍କଠାରୁ ଟଙ୍କା ହଡ଼ପ ଅଭିଯୋଗରେ ୩ ଅଭିଯୁକ୍ତ ସୁକାନ୍ତ କିଶୋର ମିଶ୍ର, ମମତାମୟୀ ମିଶ୍ର ଓ ସରୋଜ କୁମାର ରଣାଙ୍କୁ ପୁଲିସ ଆଜି କାମାକ୍ଷାନଗର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।