ଗ୍ରାମ କମିଟି ପୂର୍ବତନ ସଭାପତିଙ୍କୁ ହତ୍ୟା ଅଭିଯୋଗରେ ତିନି ଗିରଫ, ଜରିମାନା କରିଥିବାରୁ ହଟାଇଦେଲେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ପୁଣି ବିଚ୍‌ ରାସ୍ତାରେ ବୁଲିଲା ଫାର୍ସା, ଠେଙ୍ଗା। ଗଂଜାମ ବ୍ଲକ୍‌ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର କଣ୍ଠିଆପଲ୍ଲୀ ଗ୍ରାମ ରାସ୍ତାରେ ପୂର୍ବ ଶତ୍ରୁତାକୁ ନେଇ ଗ୍ରାମ କମିଟିର ପୂର୍ବତନ ସଭାପତି କେ. ଗୋବିନ୍ଦ ରେଡ୍ଡୀ(୫୬)ଙ୍କୁ ସ୍ପଷ୍ଟ ଦିବାଲୋକରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ସୂଚନା ଅନୁସାରେ, ସବୁଦିନ ଭଳି ଆଜି ଭୋର ୫ଟା ସମୟରେ ଗୋବିନ୍ଦ ଗ୍ରାମ ନିକଟସ୍ଥ ଛୋଟବସା ଛକକୁ ଚାହା ପିଇବାକୁ ଯାଇଥିଲେ। ସେଠାରୁ ଚାହା ପିଇ ସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ଯୋଜନା ମୁତାବକ ଫେରିବା ବାଟରେ ଜଗି ରହିଥିବା କେ.ମୁରଲୀ, କେ.ରବି ଓ କେ.ବାବୁଲା ତାଙ୍କୁ ପଛପଟୁ ଅତର୍କିତ ଭାବେ ଠେଙ୍ଗା ଓ ଫାର୍ସାରେ ଆକ୍ରମଣ କରିଥିଲେ। ଏଥିରେ କେ.ଗୋବିନ୍ଦ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଖବର ପାଇ ପୋଇରାଶି ସରପଞ୍ଚ ପ୍ରତିନିଧି କେ.ରଘୁନାଥ ପ୍ରଧାନ ତାଙ୍କୁ ତୁରନ୍ତ ଉଦ୍ଧାର କରି ପୁରୁଷୋତ୍ତମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ଖେଳିଯାଇଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅଭିଯୁକ୍ତ ମୁରଲୀ, ରବି, ବାବୁଲା। ଏ ନେଇ ରମ୍ଭା ଥାନା ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୫୪୮, ୩୦୨ ଓ ୩୪ରେ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି। ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଗୋବିନ୍ଦ ଗ୍ରାମ୍ୟ କମିଟି ସଭାପତି ଥିବାବେଳେ ଅଭିଯୁକ୍ତଙ୍କ ସଂପର୍କୀୟଙ୍କୁ ବିଭିନ୍ନ କାରଣ ପାଇଁ ଜରିମାନା କରିଥିବାରୁ ଆକ୍ରୋଶ ରଖି ପ୍ରତିଶୋଧ ନେବାକୁ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର