ବାମରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Advertisment

ସୂଚନା ଅନୁସାରେ, ଯୁବତୀ ଜଣକ ବୁଧବାର ଅପରାହ୍‌ଣ ୧ଟାରେ ଟାଙ୍ଗରମୁଣ୍ଡା ଷ୍ଟେଟ୍‌ ବ୍ୟାଙ୍କକୁ ଯାଇଥିଲେ। ସେଠାରୁ ବଡଗାଁ ସାହାଜବାହାଲ ଯିବା ପାଇଁ ବାହାରି ଥିଲେ। ବାଟରେ ୨ ଜଣ ଯୁବକ ଗୋଟିଏ ବାଇକରେ ଆସି ତାଙ୍କୁ ବଡ଼ଗାଁରେ ଛାଡ଼ି ଦେବେ କହି ବାଇକରେ ବସାଇଥିଲେ। ସେମାନେ ଦିନ ୨ଟାରୁ ରାତି ୨ ଟା ପର୍ଯ୍ୟନ୍ତ ଯୁବତୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ। ରାତିରେ ଆଉ ଜଣେ ଅଭିଯୁକ୍ତ ବଲେରୋ ଗାଡ଼ିରେ ଓ ଅନ୍ୟ ଜଣେ ମହାବୀର ପାହାଡ଼ ନିକଟ ଏକ ଭଙ୍ଗା ଘର ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ସେମାନେ ପୀଡ଼ିତାଙ୍କୁ ଗଡ଼ପୋଷ ଗାଁ ପାଖରେ ଛାଡ଼ି ଦେଇ ପଳାଇ ଯାଇଥିଲେ। ଗୁରୁବାର ପୀଡ଼ିତା ଗଡ଼ପୋଷ ଫାଣ୍ଡିରେ ଅଭିଯୋଗ କଲା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଗୋଟିଏ ବଲେରୋକୁ ଜବତ କରିଛି। ଥାନା ଅଧିକାରୀ ବାସୁଦେବ ସେଠ୍‌ ମାମଲାର ତଦନ୍ତ କରୁଛନ୍ତି।