ବୁଲେଟ ଶବ୍ଦକୁ ବିରୋଧ କରିବାରୁ ମାରପିଟ୍‌, ୩ ଗିରଫ

ବଡ଼ବିଲ : ବୁଲେଟ୍‌ରେ ବିକଟାଳ ଶବ୍ଦ କରି ଯାଉଥିଲେ। ସ୍ଥାନୀୟ ଲୋକେ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏହି ଘଟଣାରେ ୫ଜଣ ଆହତ ହୋଇଥିବା ବେଳେ ବଡ଼ବିଲ ପୁଲିସ ତିନିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ପୁଲିସ ସୂଚନା ଅନୁସାରେ, ଗତକାଲି ପୂର୍ବାହ୍ନ ୧୧ଟାବେଳେ ଦୁଇଜଣ ଯୁବକ ଏକ ବୁଲେଟ୍‌ (ଓଡି-୦୯-ପି-୪୧୯୭)ରେ ଫିଲ୍ମହଲ୍‌-ବିକାଶମହଲ ଛକ ରାସ୍ତାରେ ଦ୍ରୁତଗତିରେ ବିକଟାଳ ଶବ୍ଦ କରି ଯାଉଥିଲେ। ରାସ୍ତାକଡ଼ରେ ରହୁଥିବା ମଣ୍ଟି ସିଂହ ଓ ତାଙ୍କ ଭାଇ ସେମାନଙ୍କୁ ଅଟକାଇ ଦ୍ରୁତଗତିରେ କାହିଁକି ଯାଉଛ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ବୁଲେଟ୍‌ରେ ଥିବା ଦୁଇଜଣ ଯୁବକ ଫୋନ୍‌ କରି ନିଜ ସହଯୋଗୀମାନଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ। ଏକ ବାଇକ୍‌ (ଓଡି-୦୯-ଜି-୦୯୭୨) ଓ ଏକ ବୋଲେରୋ (ଓଆର୍‌-୦୨-ବିଏ-୩୭୭୯)ରେ କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ମାରପିଟ୍‌ ଆରମ୍ଭ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀର ୫ଜଣ ଆହତ ହୋଇଥିଲେ। ଅଭିଯୋଗ ପରେ ଏନେଇ ବଡ଼ବିଲ ଥାନାରେ କେସ୍‌ ନମ୍ବର ୧୭୨/୨୨ ଦଫା ୩୪୧, ୩୨୩, ୩୨୪, ୩୦୭, ୨୯୪, ୫୦୬, ୩୯୪ ଆଇପିସିରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ତିନିଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଶ୍ରୀରାମନଗରର ମନଜିତ୍ ଚୌରାସିଆ (୨୧), ଆଦର୍ଶ ଚୌରାସିଆ (୧୮) ଓ ଆଜାଦବସ୍ତିର ସନୁ ଗୁପ୍ତା (୨୦)। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର