ହାଇକୋର୍ଟରେ ଚାକିରି ଦେବାକୁ କହି ଠକେଇ: ୨୦ ଲକ୍ଷରୁ ଅଧିକ ଠକିଥିବା ଅଭିଯୋଗରେ ୩ ଗିରଫ

କଟକ : ହାଇକୋର୍ଟରେ ଚାକିରି ଦେବାକୁ କହି ଠକେଇ ଅଭିଯୋଗରେ ଲାଲ୍‌ବାଗ ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି; ଲାଲବାଗ ଦିଓ୍ବାନ୍‌ବଜାରର ଜି. କମଲ୍ କୁମାର, ସିଡିଏ ସେକ୍ଟର-୯ର ସିଦ୍ଧାର୍ଥ ପଟ୍ଟନାୟକ, ମଙ୍ଗଳାବାଗ ମହ୍ଲାସାହିର ସ୍ବରାଜ ଓରଫ ଜିମି ରାଉତରାୟ। ପୁଲିସ ଏମାନଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।

ସୂଚନା ଅନୁଯାୟୀ, ଗଲା ୪ ବର୍ଷ ହେବ ହାଇକୋର୍ଟରେ ଚାକିରି ଦେବାକୁ କହି ଏହି ୩ଜଣ କଟକ ସହରର ବେକାର ଯୁବକମାନଙ୍କୁ ଠକି ଆସୁଥିଲେ। ନିଜକୁ ଆଇନଜୀବୀ ପରିଚୟ ଦେଇ ଜଣଙ୍କ ପିଛା ୫୦ରୁ ୭୦ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ। ୩୦ ଜଣଙ୍କ ନିକଟରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଥିଲା। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର୍ ଜୁଡିସିଆଲ୍ ସୁମନ କୁମାର ମିଶ୍ର ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲା ଆଧାରରେ ଏହି ଠକ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିଥିବା ବେଳେ ମାମଲାରେ ଫେରାର ଅନ୍ୟ ସହଯୋଗୀଙ୍କୁ ବି ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଲାଲ୍‌ବାଗ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ଲାଲ୍‌ବାଗ ଥାନା ପୁଲିସ ଖୁବ୍‌ଶୀଘ୍ର ଏମାନଙ୍କ ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର