ବ୍ରଜରାଜନଗର: ଗୁଳି କରି ହତ୍ୟା ଘଟଣାରେ ୩ ଗିରଫ

ଟଙ୍କା କାରବାରକୁ ନେଇ ଶତ୍ରୁତା, ଗଳିକାଣ୍ଡ

ବ୍ରଜରାଜନଗର : ଓରିଏଣ୍ଟ ଥାନା ଅନ୍ତର୍ଗତ କାଳୀନଗରଠାରେ ପଙ୍କଜ କୁମାର ଓରଫ ବିକ୍ରମ (୨୭) ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡର ୨୪ ଘଣ୍ଟା ନପୂରୁଣୁ ପୁଲିସକୁ ଏହି ସଫଳତା ମିଳିଛି। ଗିରଫ ଅଭିଯୁକ୍ତମାନେ ବାପା ମୀନକେତନ ବେହେରା (୪୮), ପୂର୍ଣ୍ଣଚନ୍ଦ୍ର ନାଏକ (୩୧), ମୀନକେତନର ପୁଅ ବାଦଲ ବେହେରା (୧୯)। ସମସ୍ତଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ଏକ ବାଇକ୍‌ ସହ ରକ୍ତଭିଜା ପୋଷାକକୁ ପୁଲିସ ଜବତ କରିଛି। ଟଙ୍କା କାରବାରକୁ ନେଇ ସେମାନଙ୍କ ଭିତରେ ସୃଷ୍ଟି ହୋଇଥିବା ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ଏସ୍‌ପି ବିକାଶ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ମୀନକେତନର ଭାଇ ସୁବାସ ବେହେରା ଓ ଅନ୍ୟମାନେ ଫେରାର ଅଛନ୍ତି।

ହତ୍ୟା ଘଟଣାରେ ସମ୍ପୃକ୍ତ ହତ୍ୟାକାରୀକୁ ଧରିବା ପାଇଁ ଏସ୍‌ପି ବିକାଶ ଦାଶଙ୍କ ନିର୍ଦେଶରେ ଦୁଇଟି ଟିମ୍‌ ଗଠିତ ହୋଇଥିଲା। ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ ଓ ଅନ୍ୟ ଏକ ଟିମ ଝାରସୁଗୁଡା ଏସ୍‌ଡିପିଓ ନିର୍ମଳ ଦାସ  ନେତୃତ୍ୱରେ ତଦନ୍ତ ଚାଲିଥିଲା। ଏହି ଟିମ୍‌ରେ ଓରିଏଣ୍ଟ ଥାନା ଅଧିକାରୀ କଲ୍ୟାଣୀ ବେହେରା, ଲାଇକେରା ଏସ୍‌ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ, ଓରିଏଣ୍ଟ ଏସଆଇ ରବିଶଙ୍କର ଭାଇଁଷା, ଝାରସୁଗୁଡା ଏସଆଇ ମହେଶ୍ୱର ପାଣିଗ୍ରାହୀ, ଏଏସ୍‌ଆଇ ସଞ୍ଜୟ ସାହୁ ଓ ଝାରସୁଗୁଡ଼ା ସାଇବର ସେଲ କାର୍ଯ୍ୟ କରୁଥିଲେ। ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୀନକେତନ ପୂର୍ବରୁ ନିଜ ଘରେ ଚୋରାରେ ବିଦେଶୀ ମଦ କାରବାର କରୁଥିଲା। ଏହି କାରବାରରେ ପଙ୍କଜ ମଧ୍ୟ ସାମିଲ ଥିଲା। ପ୍ରାୟ ଦେଢ଼ବର୍ଷ ହେବ ମୀନକେତନ ଏହି କାରବାର ବନ୍ଦ ରଖିଥିଲା। ବେପାର ବନ୍ଦ ହୋଇଯାଇଥିଲେ ମଧ୍ୟ ମୀନକେତନଠାରୁ ପଙ୍କଜ କିଛି ଟଙ୍କା ପାଇବାର ଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଥିଲା। ୭/୮ମାସ ତଳେ ପଙ୍କଜ ତାଙ୍କ ଗାଁକୁ ପଳାଇଥିଲା। କିଛିଦିନ ତଳେ ସେ ବ୍ରଜରାଜନଗର ଫେରିଥିଲା। ବୁଧବାର ମୀନକେତନ କାଳୀନଗରଠାରେ କରିଥିବା ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲା। ପରେ ସେଠାରେ ପ୍ରସାଦ ସେବନ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ପଙ୍କଜ ଯୋଗ ଦେଇଥିଲା। ସେଠାରେ ପ୍ରସାଦ ସେବନ କରିବା ପରେ କିଛି ସମୟ ବସିଥିଲା। ରାତି ପ୍ରାୟ ୧୦ଟା ସମୟରେ ମୀନକେତନର ଭାଇ ସୁବାସ ସହିତ ପଙ୍କଜଙ୍କ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ମୀନକେତନ ଉତ୍ତ୍ୟକ୍ତ ହୋଇ ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ପଙ୍କଜଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ସୁବାସ ଫେରାର ହୋଇଯାଇଥିଲା। ମୀନକେତନର ପୁଅ ବାଦଲ, ପୂର୍ଣ୍ଣଚନ୍ଦ୍ର ଓ ମୀନକେତନ ଶବକୁ ନେଇ ଇବ୍‌ ନଦୀ ବ୍ରିଜ୍‌ ନିକଟରେ ଫିଙ୍ଗି ଦେଇଥିଲେ।

ସୂଚନାଯୋଗ୍ୟ ଗୁରୁବାର ସକାଳେ ଇବ ନଦୀ ପୋଲର ଡାହାଣ ପାର୍ଶ୍ଵ  ରାସ୍ତାର କିଛି ଦୂରରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଶବ ଦେଖିବାକୁ ମିଳିଥିଲା। ଖବରପାଇ ଝାରସୁଗୁଡ଼ା ସଦର ଥାନା ଅଧିକାରୀ ଶୁଚିସ୍ମିତା ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଅନୁସନ୍ଧାନରେ ସାଇଣ୍ଟିଫିକ ଟିମ୍‌ର ସାହାୟତା ନିଆଯାଇଥିଲା। ପ୍ରଥମେ ମୃତ ଯୁବକଙ୍କ ପରିଚୟ ମିଳି ନଥିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ନିକଟରେ ଥିବା ଭୋଟର୍‌ କାର୍ଡରୁ ପରିଚୟ ମିଳିଥିଲା। ନା ପଙ୍କଜ କୁମାର ଓ ବିହାର ଲଖିସରାଇ ଗୌରତୋଲା ୱାର୍ଡ ନମ୍ବର ୮, ବଡ଼ିହିୟା ବୋଲି ଜଣାପଡ଼ିଥିଲା। ଯୁବକ ଜଣକ ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ଓରିଏଣ୍ଟ ଥାନା ଅଞ୍ଚଳରେ ରହୁଥିଲା। ଏଠାରେ ଥିବା କାଳୀନଗରର ମୀନ ବେହେରା ଘରକୁ ଆସୁଥିବା ଲୋକେ କହିଛନ୍ତି। ନିକଟସ୍ଥ  ସମଲେଇ ମନ୍ଦିର ପାଖରେ ରକ୍ତ ଛିଟା ଥିବା ଏବଂ ସେଠାରୁ ଫୁଟନ୍ତା ଗୁଳିର ଖୋକା ପୁଲିସ ଜବତ କରିଥିଲା। ଫଳରେ ଯୁବକକୁ ସେହି ସ୍ଥାନରେ ଗୁଳି କରି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହି ଘଟଣା ପରେ ମୀନ ଫେରାର ଥିବାରୁ ସେ ଏପରି କାଣ୍ଡ ଭିଆଇଥିବା ପୁଲିସ ସନ୍ଦେହ କରିଥିଲା। ପଙ୍କଜଙ୍କୁ ହତ୍ୟା ପରେ ତାର ଦୁଇ ପୁଅ ବାଦଲ ଓ ସୁବାସ ସହିତ ଅନ୍ୟମାନେ ଶବକୁ ଇବ୍‌ ନଦୀ ବ୍ରିଜ୍‌ଠାରୁ କିଛି ଦୂରରେ ଫୋପାଡ଼ିଥିଲେ। ମୀନ ପୂର୍ବରୁ ୧୧ରୁ ଅଧିକ ମାମଲାରେ ଜଡ଼ିତ ଥିବା ଏସ୍‌ପି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର