ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା, ମାଲିକଙ୍କ ସମେତ ୩ ଗିରଫ

ବାରିପଦା : ସ୍ବାଧୀନତା ଦିବସ ପୂର୍ବ ରାତିରେ ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ରଘୁନାଥପୁରରେ ଥିବା ସୁଧାର ନିଶା ନିବାରଣ କେନ୍ଦ୍ରରେ ପ୍ରାୟ ୪-୬ ମାସ ହେବ ରହି ଚିକିତ୍ସିତ ହେଉଥିବା ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଯୁବକ ହେଲେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କଳିଙ୍ଗା ଅଞ୍ଚଳର ଦୀପକ କୁମାର ଦାସ। ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ବାରିପଦା ଟାଉନ୍‌ ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ନିଶା ନିବାରଣ କେନ୍ଦ୍ରର ତତ୍ତ୍ବାବଧାରକଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଂସ୍ଥାର ମାଲିକ ରାସଗୋବିନ୍ଦପୁର ଅଞ୍ଚଳର ଦେବବ୍ରତ ଘୋଷ ଓରଫ୍‌ ସୋମ(୨୬), ବାରିପଦା ୱାର୍ଡ ନଂ-୮ ମାଳିସାହି ଅଞ୍ଚଳର ତୁଷାର କୁମାର ଦାସ(୩୬) ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳର ବିଜେନ୍ଦ୍ର କୁମାର ମୁଖୀ ଓରଫ୍‌ ବିଜୁ(୨୫)।

ଉଲ୍ଲେଖଯୋଗ୍ୟ, ଦେବବ୍ରତଙ୍କ ତତ୍ତ୍ବାବଧାନରେ ଚାଲୁଥିବା ସୁଧାର ନିଶା ନିବାରଣ କେନ୍ଦ୍ରକୁ ନିଶାର କବଳିତ ହୋଇଥିବା ମୃତକ ଜଣଙ୍କ ପ୍ରାୟ ୪-୬ ମାସ ତଳେ ଚିକିତ୍ସା ନିମନ୍ତେ ଆସିଥିଲେ। ମାସକ ତଳେ ନିଜ ପିତାଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଘରକୁ ଯାଇଥିଲେ। ତେବେ ନିଶା ନିବାରଣ କେନ୍ଦ୍ରରେ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିବା‌ ସେତେବେଳେ ସେ ଘରେ କହିଥିଲେ। ହେଲେ ଚିକିତ୍ସା ପାଇଁ ପୁନର୍ବାର ଉକ୍ତ କେନ୍ଦ୍ରକୁ ଫେରିଥିଲେ ମୃତକ। ତେବେ ଶନିବାର ରାତିରେ ତାଙ୍କ ଭାଇଙ୍କୁ ନିଶା ନିବାରଣ କେନ୍ଦ୍ରରୁ ଫୋନ୍‌ ଆସିଥିଲା ଯେ ଦୀପକ ଅସୁସ୍ଥ ଅଛନ୍ତି। ଏହାର ମାତ୍ର ୧୫ ମିନିଟ୍‌ ପରେ ତାଙ୍କ ଭାଇ ମରିଯାଇଥିବା କୁହାଯାଇଥିଲା। ତେବେ ଭାଇ ଦେହରେ ନିର୍ଘାତ ମାଡ଼ ଚିହ୍ନ ଥିବା ଦେଖି ମୃତକଙ୍କ ଭାଇ ସିପୁନ୍‌ ବାରିପଦା ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ମୃତ ଯୁବକଙ୍କ ଶରୀରରେ ମାଡ଼ର ଗଭୀର କ୍ଷତଚିହ୍ନ ଥିବା ଦେଖାଯାଇଛି। ତେଣୁ କେନ୍ଦ୍ରରେ ତାଙ୍କୁ ମାଡ଼ ଦିଆଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର