ଖୋର୍ଦ୍ଧା: ପୁବୁସାହି ନିକଟ କପିଳେଶ୍ୱର କବାଡ଼ି ଗୋଦାମରେ କାମ କରୁଥିବା ଗରିବ ବାସୁଦେବ ପ୍ରଧାନର ହତ୍ୟା ମାମଲାରେ ଆଜି ବିଧିବଦ୍ଧ ଭାବେ ମୁହଁ ଖୋଲିଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ତଥା କବାଡ଼ି ଗୋଦାମର ମାଲିକ ରବି ମୁଦୁଲି ସହ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି, ବାସୁଦେବ ପ୍ରଧାନ ପ୍ରାୟ ୨ଏକରରୁ ଉଦ୍ଧ୍ୱର୍ ସରକାରୀ ଓ କାଜୁ ନିଗମର ଜମି ଜବର ଦଖଲ କରି ନିଜର ସାମ୍ରାଜ୍ୟ ବିସ୍ତାର କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ବେଳେ ଜବରଦଖଲକୁ କିଏ ଅନୁମତି ଦେଇଛି ।
ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ବାସୁଦେବ ପ୍ରଧାନ ଅପହରଣ ଓ ହତ୍ୟା ମାମଲା ଉପରୁ ପରଦା ଉଠାଇଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ମୁଦୁଲି (୪୫) ସହ ଛବି ସାହୁ ଓରଫ ଆଲୋକ (୨୫) ଓ ରବି ମୁଦୁଲିର ଭାଇ ମାନସ ମୁଦୁଲି (୪୨)କୁ ଗିରଫ କରି ଦଫା ୩୪୨, ୩୦୨, ୨୦୧ ଓ ୩୪ ଆଇପିସିରେ କୋର୍ଟ ଚାଲାଣ କରିଛି । ପୁଲିସର କହିବାନୁସାରେ, ଗୋଦାମର ତମ୍ବା ସାମଗ୍ରୀ ଚୋରି କରିବା ଘଟଣାରେ ମାଲିକ ପ୍ରଦୀପ ପ୍ରଧାନ ଓ ବାସୁଦେବ ପ୍ରଧାନକୁ ସନେ୍ଦହ କରୁଥିଲା । ଏଣୁ ଉଭୟଙ୍କୁ ଆଣି ଅଟକ ରଖି ନିସ୍ତୁକ ମାଡ଼ କରିଥିଲା । ମାଡ଼ ଖାଇ ପ୍ରଦୀପ ନିଜର ଦୋଷ ସ୍ୱୀକାର କରିଥିବା ବେଳେ ବାସୁଦେବ କିନ୍ତୁ ଏହି ଚୋରିରେ ସମ୍ପୃକ୍ତ ନଥିବା କହିଥିଲା । ଏଥିରେ ରବି ମୁଦୁଲି ଓ ତା ଭାଇ ମାନସ ମୁଦୁଲି ବାସୁଦେବକୁ ଏକ ପିଭିସି ପାଇପ୍ରେ ମରଣାନ୍ତକ ମାଡ଼ ମାରିଥିଲେ । ୨୩ ତାରିଖରେ ବାସୁଦେବଙ୍କ ମୃତ୍ୟୁ ଘଟିବା ପରେ ତାଙ୍କୁ ବଲେରୋ (ଓଡି ୦୨ ଏଏଚ୍ ୨୭୩୭)ରେ ନେଇ ନୟାଗଡ଼ ସିଦ୍ଧମୂଳ ନିକଟ ମହାନଦୀରେ ଫିଙ୍ଗିଦେଇଥିଲେ । ତେବେ ୨୬ ତାରିଖରେ ବାସୁଦେବଙ୍କ ମୃତ ଦେହ କଟକ ଜଗତପୁର ଥାନା ଅଂଚଳରୁ ମିଳିଥିଲା । ୨୭ ତାରିଖରେ ହତ୍ୟାରେ ବ୍ୟବହୃତ ପିଭିସି ପାଇପ୍, ବଲେରୋ ସମେତ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଟାଉନ୍ ଥାନାର ଭାରପ୍ରାପ୍ତ ଅଧିକାରୀ ଡିଏସ୍ପି ସଂଜୟ କୁମାର ପଟ୍ଟନାୟକ କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ୧୦ ବର୍ଷ ପୂର୍ବେ କପିଳେଶ୍ୱରର ସ୍ପଳ୍ପ ସ୍ଥାନକୁ ଜବରଦଖଲ କରି କବାଡ଼ି ଗୋଦାମ ଆରମ୍ଭ କରିଥିବା ରବି ମୁଦୁଲି ଏବେ ପ୍ରାୟ ୩ ଏକର ସରକାରୀ ଜମି ଜବରଦଖଲ କରିଛି । ଗାଁ ଲୋକଙ୍କ କହିବା କଥା ଏନେଇ ପୂର୍ବେ ସେମାନେ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏଭଳି ସରକାରୀ ଜାଗା ବେଆଇନ ଅକ୍ତିଆର କରି ଗୋଦାମ ବସାଇଥିବା ନେଇ ବର୍ତମାନର ତହସିଲଦାର ଜାଣି ଘଟଣାସ୍ଥଳ ପରିଦର୍ଶନ କରି ଫେରିବାର ୪ ଦିନ ବିତିଯାଇଥିଲେ ମଧ୍ୟ ଏହାକୁ ହଟାଇବାକୁ କୌଣସି ପଦକ୍ଷେପ ନିଆଯାଇନାହିଁ । ରବି ମୁଦୁଲି କାହାର ସୁରକ୍ଷାରେ ଏଭଳି ସରକାରୀ ଜମି ହଡ଼ପ କରି ନିଜର ବ୍ୟବସାୟ ଚଳାଉଛି ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।