ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରୁ ଜଣେ ନାବାଳିକା(୧୩)ଙ୍କୁ ଅପହରଣ କରି ନେଇ ସୋମବାର ଜଙ୍ଗଲ ଭିତରେ ଦୁଷ୍କର୍ମ କରାଯାଇଥିବା ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ପୁଲିସ୍ର ତଦନ୍ତ ପରେ ନାବାଳିକାଙ୍କୁ ଦୁଷ୍କର୍ମ ନୁହେଁ ବରଂ ଗଣଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଝାରସୁଗୁଡ଼ା ପୁଲିସ୍ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କୋଲାବିରା ଥାନା ଠର୍କିମାଲର ଶଶୀ ପିଙ୍ଗ(୨୪), ଜିତେନ କିଷାନ(୨୩) ଓ ପ୍ରକାଶ କିଷାନ(୨୧)। ଆଜି ନାବାଳିକାଙ୍କର କୋର୍ଟରେ ବୟାନ୍ ରେକର୍ଡ କରାଯାଇଥିବା ବେଳେ ଅଭିଯୁକ୍ତଙ୍କର ଡାକ୍ତରୀମାଇନା ମଧ୍ୟ କରାଯାଇଥିବା ଜଣାପଡ଼ିଛି।

Advertisment

ପୁଲିସ୍ ସୂଚନା ଅନୁସାରେ, ନାବାଳିକା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ। ତାଙ୍କ ବାପା ଝାରସୁଗୁଡ଼ାର ଏକ କମ୍ପାନିରେ କାମ କରୁଥିବାରୁ ସେମାନେ ଝାରସୁଗୁଡ଼ା ଥାନାଞ୍ଚଳରେ ରହୁଥିଲେ। ୬ ତାରିଖ ସନ୍ଧ୍ୟାରେ ନାବାଳିକା ଚାଲି ଚାଲି ଘର ପାଖ ଏକ ଦୋକାନକୁ ଯାଇଥିଲେ। ସେଠାରୁ ଜଣେ ଅଭିଯୁକ୍ତ ତାଙ୍କୁ ବୁଲିଯିବାକୁ କହି ବାଇକ୍ରେ ବସାଇ କୋଲାବିରା ଥାନା ଅନ୍ତର୍ଗତ ସିରିଆପାଲି ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଆଉ ୨ ଜଣ ଯୁବକ ବି ସେଠାରେ ପହଞ୍ଚିଯିବା ପରେ ରାତିତମାମ୍ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସକାଳୁ ମୁମୁର୍ଷୁ ଅବସ୍ଥାରେ ତାଙ୍କୁ ଆଣି ଜାତୀୟ ରାଜପଥ କଡ଼ରେ ଛାଡ଼ି ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ। ନାବାଳିକା କୌଣସି ଏକ ଦୋକାନରୁ ଫୋନ୍ ମାଗି ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ମା’ ଅଟୋ ଯୋଗେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ନାବାଳିକାଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ସନ୍ଧ୍ୟାରେ ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ।