କଟକ: ଗ୍ୟାଙ୍ଗ୍‌ଷ୍ଟର୍‌ ହାଇଦରର ଆଉ ଜଣେ ବନ୍ଧୁକ ଡିଲର୍ କଟକ କମିସନରେଟ୍ ପୁଲିସ ହାବୁଡ଼ରେ ପଡ଼ିଛି। ହାଇଦରର ବଡ଼ପୁଅ ସେକ୍ ମୁନ୍ନାର ଖାସ୍ ସହଯୋଗୀ ଜଗତସିଂହପୁର ବିରିଡ଼ି ଅଞ୍ଚଳର କୁଖ୍ୟାତ ଅପରାଧୀ ମିଲନ ଓରଫ ସୁଜିତ କୁମାର ସ୍ବାଇଁକୁ ଲାଲବାଗ ଥାନା ପୁଲିସ ଗିରଫ କରିଛି। ଚୋରା ବଂଧୁକ କାରବାର ଘଟଣାରେ ମିଲନ ସମେତ ଜଗତସିଂହପୁର ଥାନା ଅଞ୍ଚଳର କାଳିଆ ଓରଫ ସୌଭାଗ୍ୟ ଜେନା ଏବଂ ଖୋର୍ଧା ଜିଲ୍ଲା ଚନ୍ଦକା ଅଞ୍ଚଳର ଜିତୁ ଓରଫ ଦିବ୍ୟ ସ୍ବରୂପ ସାହୁକୁ ଲାଲବାଗ ଥାନା ପୁଲିସ ଗିରଫ କରିଛି। ଏମାନଙ୍କ ନିକଟରୁ ୩ଟି ୯ ଏମ୍‌ଏମ୍‌ ପିସ୍ତଲ, ୨ଟି ୭.୬୫ ଏମ୍‌ଏମ୍‌ ପିସ୍ତଲ, ୩୦ ରାଉଣ୍ଡ ଗୁଳି, ଗୋଟିଏ ମହିନ୍ଦ୍ରା ଟିୟୁଭି କାର୍(ଓଡି ୩୩ ଡବ୍ଲୁ ୮୪୬୬) ଓ ୩ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଗଲା ଅକ୍ଟୋବର ୧୬ ତାରିଖରେ ମାଲଗୋଦାମ ଥାନା ପୁଲିସ ହାଇଦରର ଖାସ୍ ବନ୍ଧୁକ ଡିଲର୍ ଚାଉଳିଆଗଞ୍ଜ ଅପର୍ଣ୍ଣାନଗରର ସୌଭାଗ୍ୟ ଦାସ ଓରଫ ବବୁଲୁ ଏବଂ ସହଯୋଗୀ ଯୋବ୍ରା ପାରେଶ୍ବର ସାହିର ମୁନ୍ନା ରାଓକୁ ଗିରଫ କରିଥିଲା।

Advertisment

ସୂଚନା ଅନୁଯାୟୀ, ଗ୍ୟାଙ୍ଗ୍‌ଷ୍ଟର୍‌ ହାଇଦର ପାଇଁ ସୌଭାଗ୍ୟ ଭଳି ୨୦୦୩ ମସିହାରୁ ମିଲନ୍ ବି କାମ କରୁଥିଲା। ହାଇଦର ଜେଲ୍‌କୁ ଯିବାପରେ ପୁଅ ମୁନ୍ନା ସହିତ ମିଶି ମିଲନ୍ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଉତ୍ପାତ କରୁଥିଲା। ମିଲନ ବିହାରର କୁଖ୍ୟାତ ବନ୍ଧୁକ ମାଫିଆ ଗୁଞ୍ଜନ ମାଧ୍ୟମରେ କଟକକୁ ବନ୍ଧୁକ ଓ ଗୁଳି ଆମଦାନୀ କରି ଆସୁଥିବା କୁହାଯାଉଛି। ମିଲନ୍ ଅନ୍ୟ ଦୁଇ ସହଯୋଗୀ ସହିତ ଭୁବନେଶ୍ବରରୁ ତ୍ରିଶୂଳିଆ ସେତୁ ଦେଇ କଟକ ଆଡ଼କୁ ଗଲା ୧୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ ବେଳେ ବନ୍ଧୁକ ବିକ୍ରି କରିବାକୁ ଆସୁଥିଲା। ଏ ସଂକ୍ରାନ୍ତରେ ଲାଲାବାଗ ଥାନା ଆଇଆଇସି ରବିନାରାୟଣ ଭଞ୍ଜ ଖବର ପାଇ ବେଲଭ୍ୟୁ ଛକ ନିକଟରେ ଚଢ଼ଉ କରି ଏହି ବନ୍ଧୁକ ମାଫିଆ ଗ୍ୟାଙ୍ଗକୁ ଗିରଫ କରିଥିଲେ। ଏମାନେ ଏକ ମହିନ୍ଦ୍ରା ଟିୟୁଭି ଗାଡ଼ିରେ କଟକ ଆସୁଥିଲେ। ଲାଲବାଗ ଥାନା ପୁଲିସ ଗାଡ଼ି ଜବତ କରିବା ସହିତ ୩ ଜଣ ବନ୍ଧୁକ ମାଫିଆଙ୍କୁ ଗିରଫ କରିଥିଲା। ମିଲନର ଅପରାଧିକ ମିଲନ୍ ଓଡ଼ିଶାର ଜଣେ ମଧ୍ୟସ୍ଥି ମାଧ୍ୟମରେ ମୁଙ୍ଗେରରୁ ବନ୍ଧୁକ ଆମଦାନୀ କରୁଥିଲା। ପୁଲିସ ସ୍କାନରରେ ଏବେ ଉକ୍ତ ମଧ୍ୟସ୍ଥି ଥିବା କୁହାଯାଉଛି। କଟକ କମିସନରେଟ୍ ପୁଲିସରେ ୨୦୨୦ରେ ୫୦ଟି ବନ୍ଧୁକ ଓ ୧୭ ଶହ ରାଉଣ୍ଡ ଗୁଳି ଜବତ ହୋଇଥିଲା। ଚଳିତବର୍ଷ ୧୧ ମାସ ଭିତରେ ଜବତ ବନ୍ଧୁକ ସଂଖ୍ୟା ୬୯ ଛୁଇଁଲାଣି। ଗୁଳି ବର୍ତ୍ତମାନ ସୁଦ୍ଧା ୨୭୦ ରାଉଣ୍ଡ ଟପିବାକୁ ବସିଲାଣି। ମାତ୍ର ଦୁଇ ବର୍ଷ ଭିତରେ କଟକ ସହରରୁ ୧୧୯ଟି ବିହାରୀ ବନ୍ଧୁକ ଜବତ ଘଟଣା କମିସନରେଟରେ ଚହଳ ସୃଷ୍ଟି କରିଛି।