ମନୋରଞ୍ଜନ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ମୁଖ୍ୟ ଅଭିଯୁକ୍ତ ସହ ୩ ଗିରଫ, ଅନ୍ୟ ତିନି ଫେରାର

ରାଉରକେଲା: ସେକ୍ଟର-୬ ନେପାଳି ବସ୍ତିର ମନୋରଞ୍ଜନ ଓରଫ ମନ ହତ୍ୟାକାଣ୍ଡର ଆଜି ଫର୍ଦ୍ଦାଫାସ୍‌ କରିଛି ସେକ୍ଟର-୭ ପୁଲିସ। ହତ୍ୟାକାଣ୍ଡରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁଖ୍ୟ ହତ୍ୟାକାରୀ ସେକ୍ଟର-୬ ନେପାଳୀ ବସ୍ତିର ଆକାଶ ଓରଫ ଭୋଳା ପ୍ରଧାନ (୨୭), ସେକ୍ଟର-୬ ଏଚ୍‌ ବ୍ଲକ ଏକତା କ୍ଲବ ବସ୍ତିର ଅଜୟ ଚୌଧୁରୀ (୪୭) ଓ ମହିମା ଆଶ୍ରମ ବସ୍ତିର ସୁରେଶ ଚୌଧୁରୀ (୩୦)। ଏମାନଙ୍କ ନିକଟରୁ ଗୋଟିଏ ବୋଲେରୋ (ଓଡି୧୪ଡବ୍ଲୁ ୪୩୮୯), ହିରୋହୁଣ୍ଡା ପ୍ଲେଜର ସ୍କୁଟି (ଓଡି ୧୪ କେ୬୬୯୦), ସ୍କୁଟି (ଓଡି୧୪ ଏମ୍‌-୮୧୭୬) ଓ ଭଙ୍ଗା ଚୋରି ଜବତ ହୋଇଛି।

ଅଭିଯୁକ୍ତ ସୁରେଶ ନାଁରେ ୬ଟି ଅପରାଧିକ ମାମଲା ରହିଛି। ଅଜୟ ନାଁରେ ସେକ୍ଟର-୭ ଓ ସେକ୍ଟର-୧୯ରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରହିଛି। ଅନ୍ୟ ତିନି ହତ୍ୟାକାରୀ ଫେରାର ଅଛନ୍ତି। ହତ୍ୟା ପାଇଁ ଦେଢ଼ଲକ୍ଷ ଟଙ୍କା ଡିଲ୍‌ ହୋଇଥିଲା। ଅଗ୍ରୀମ ଆକାରରେ ୨୫ ହଜାର ଟଙ୍କା ସୁପାରି ନେଇଥିଲେ। ପରକିୟା ପ୍ରୀତିରୁ ମନୋରଞ୍ଜନକୁ ମଦ ପିଆଇ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା ଥିଲେ। ବିଳମ୍ବିତ ରାତିରେ ମନୋରଞ୍ଜନଙ୍କ ଶବକୁ ସେକ୍ଟର-୫ ଦିପୀକା ଇଂରାଜୀ ମାଧ୍ୟମ ସ୍କୁଲ ପଛପାର୍ଶ୍ବ ବୁଦାରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ବନ୍ଧମୁଣ୍ଡା କୁକୁଡା ଗେଟ୍‌ ପର୍ଯ୍ୟନ୍ତ ଯାଇଥିଲେ। ‌ସେଠାରେ ଅଜୟ ଠାରୁ ପୁଣି ୧୦ ହଜାର ଟଙ୍କା ନେଇଥିଲେ। ପରେ ସେଠାରୁ ଝାଡ଼ଖଣ୍ଡର ଚାଇବସା ଓ ପରେ ଚକ୍ରଧରପୁର ପହଞ୍ଚିଥିଲେ। ଧରାପଡିବା ଭୟରେ ଚକ୍ରଧରପୁରରୁ ଚାଲି ଆସିଥିଲେ ଭୁବନେଶ୍ବର । ସେକ୍ଟର-୭ ଥାନା ସ୍ବତନ୍ତ୍ର ଟିମ୍‌ ସୂଚନା ପାଇ ଭୁବନେଶ୍ବରରୁ ତିନି ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା।

ଆଜି‌ ସେକ୍ଟର-୧୯ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତରିକ୍ତ ଏସ୍‌ପି ସଂଗ୍ରାମ କେ‌ଶରୀ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ସେକ୍ଟର-୬ ବସ୍ତିରେ ଗିରଫ ତିନି ହତ୍ୟାକାରୀ ରହନ୍ତି। ଗତ ଅଗଷ୍ଟ ୪ରେ ଗିରଫ ଅଭିଯୁକ୍ତ ସୁରେଶ ଚୌଧୁରୀ ବେଆଇନ ମଦ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଜେଲ୍‌ରେ ଥିବାବେଳେ ମୃତ ମନୋରଞ୍ଜନ ସୁରେଶଙ୍କ ଘରକୁ ଯିବା ଆସିବା କରୁଥିଲା। ଏପରିକି ସୁରେଶ ପତ୍ନୀଙ୍କ ଶାରିରୀକ ସମ୍ପର୍କ ରଖିଥିଲା। କକା ଅଜୟ ଚୌଧୁରୀ ଏ ସଂକ୍ରାନ୍ତରେ ଜାଣିବା ପରେ ଜେଲ୍‌ରେ ସୁରେଶକୁ ସବୁ କଥା ଜଣାଇଥିଲା। ସୁରେଶ ଜେଲ ଭିତରେ ଥାଇ ମନୋରଞ୍ଜନକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଯୋଜନା ମୁତାବକ କାକା ଅଜୟକୁ ସୁପାରି କିଲର ଠିକ୍‌ କରିବାକୁ କହିଥିଲା।

ଅଜୟ ମୁଖ୍ୟ ହତ୍ୟାକାରୀ ଭୋଳା ସମେତ ଅନ୍ୟ ତିନିଜଣ ସୁପାରି କିଲର ଠିକ୍‌ କରିବା କରିବା ପରେ ସୁରେଶକୁ ଜଣାଇଥିଲା। ସୁରେଶ ସୁପାରି କିଲରଙ୍କ ଦାବି ମୁତବାକ ଦେଢ଼ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲା। ଅଗ୍ରୀମ ୧୫ ହଜାର ଟଙ୍କା ଅଜୟକୁ ଦେଇଥିଲା। ଅଜୟ ଠାରୁ ହତ୍ୟାକାରୀ ଭୋଳା ଓ ତା’ର ଅନ୍ୟ ତିନି ସହଯୋଗୀ ୧୫ ହଜାର ଟଙ୍କା ପାଇବା ପରେ ହତ୍ୟାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଗତ ୧୪ ତାରିଖ ସଂଧ୍ୟାରେ ଭୋଳା ଓ ତା’ର ତିନି ସହଯୋଗୀ ମନୋରଞ୍ଜନକୁ ସେକ୍ଟର-୬ ତାରାତାରିଣୀ ମନ୍ଦିର ନିକଟ ଦୁର୍ଗାପୁର ପାହାଡ ଉପରକୁ ଡାକିଥିଲେ। ମନୋରଞ୍ଜନ ଯୋଜନା ସଂକ୍ରାନ୍ତରେ କିଛି ଜାଣି ନଥିବାରୁ ପାହାଡ ଉପରକୁ ଯାଇଥିଲା। ସେଠାରେ ଚାରି ଜଣ ମିଶି ମଦ ଓ ଚିକେନ ଖାଇଥିଲେ। ରାତି ପ୍ରାୟ ୮ଟାରେ ଚାରିଜଣ ଏକାଠି ହୋଇ ପୁଣି ଅବତାର ଢ଼ାବାରେ ପହଞ୍ଚିଥିଲେ।

ସେଠାରେ ଏକାଠି ପିଇବା ସହ ଖାଇଥିଲେ। ଯେତିକି ଖର୍ଚ୍ଚ ହୋଇଥିଲା ମୃତ ମନୋରଞ୍ଜନ ଦେଇଥିଲା। ରାତି ପ୍ରାୟ ସାଢ଼େ ୧୨ଟାରେ ମନୋରଞ୍ଜନକୁ ସେକ୍ଟର-୫ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲ ପଛପାର୍ଶ୍ବ ନିଛାଟିଆ ସ୍ଥାନକୁ ଡାକି ଆଣିଥିଲେ। ଭୋଳା ପକେଟରୁ ଛୁରା ବାହାର କରି ମନୋରଞ୍ଜନର ତଣ୍ଟିକୁ କାଟି ପକାଇଥିଲା। ମନୋରଞ୍ଜନ ଗୁରୁତର ହୋଇ ତଳେ ପଡିଯିବା ପରେ ଭୋଳା ଓ ତା’ର ଅନ୍ୟ ତିନି ସହଯୋଗୀ ମିଶି ଛୁରା ଭୁଷି ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିଲେ। ସେଠାରୁ ଦୁଇଟି ସ୍କୁଟିରେ ବନ୍ଧମୁଣ୍ଡା ଦେଇ କୁକୁଡା ଗେଟ୍‌ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଦରଭଙ୍ଗା ଛୁରିକୁ ଫିଙ୍ଗି ଦେଇଥିଲେ। ସ୍କୁଟି ଛାଟି ବ‌ୋଲେରୋରେ ଝାଡ଼ଖଣ୍ଡର ଚାଇଁବସା ଦେଇ ଚକ୍ରଧରପୁରରେ ପହଞ୍ଚିଥିଲେ। ପୁଲିସ ପିଛା କରୁଥିବା ଜାଣବା ପରେ ଚକ୍ରଧରପୁର ଛାଡି ରାଜଧାନୀ ଭୁବନେଶ୍ବରକୁ ଚାଲି ଆସିଥିଲେ। ପୁଲିସ ସେମାନଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇ ଭୁବନେଶ୍ବର ପହଞ୍ଚି ଗିରଫ ତିନି ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର