ଏମ୍‌ସିଏଲ୍‌ ଇତିହାସର ସବୁଠୁ ବଡ଼ ଠକେଇ: ଠକିନେଲେ କୋଟିଏ ୧୬ ଲକ୍ଷ ଟଙ୍କା, ୩ ଗିରଫ

ଭୁବନେଶ୍ବର: ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍‌ସିଏଲ୍‌) ଇତିହାସରେ ସବୁଠୁ ବଡ଼ ଠକେଇ ହୋଇଥିବା ନେଇ ଅଭିଯୋଗ। କ୍ଲେମ୍ସ କମିସନର ପୂର୍ବତନ ସେକ୍ରେଟାରି ଆଇଏଏସ୍‌ ବେଣୁଧର ବିଶ୍ବାଳଙ୍କ ନାଁରେ ଜାଲ୍‌ ଦସ୍ତଖତ କରି ଏକ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କାର ଠକେଇ ହୋଇଛି। ଜଣେ ମହାନଦୀ କୋଲ ଫିଲଡ଼ ଲିମିଟେଡ଼ର ଅଧିକାରୀ ତ୍ରିଲୋଚନ ଦଣ୍ଡସେନା, କ୍ଲେମ୍ସ କମିସନର ଜଣେ କ୍ଳର୍କ ସ୍ୱାଗତ ପ୍ରକାଶ ବରାଳ ଓ କ୍ଲେମ୍ସ କମିସନର ଟେକନିକାଲ ଇନ୍ସପେକ୍ଟର ଦୁଷ୍ମନ୍ତ ପଟେଲକୁ ଖାରବେଳ ନଗର ପୁଲିସସ ଗିରଫ କରିଛି।

ଅଭିଯୋଗ ଅନୁସାରେ ଏମ୍‌ସିଏଲ୍‌ ପାଇଁ ଯେଉଁ ଲୋକଙ୍କ ଜମି ଯାଇଥାଏ ତାଙ୍କୁ କ୍ଲେମ୍ସ କମିସନ ମାଧ୍ୟମରେ ଟଙ୍କା ମିଳିଥାଏ। ମଙ୍ଗଶିର ଧ୍ରୁଆ ନାମକ ଜଣେ ବ୍ୟକ୍ତିଙ୍କର ଜମି ମଧ୍ୟ ଏମ୍‌ସିଏଲ ନେଇଥିଲା। ଏହି ତିନି ଜଣ ଅଭିଯୁକ୍ତ ମଙ୍ଗଶିରଙ୍କ ସହ ଯୋଗାଯୋଗ କରିଥିଲେ ଓ ତାଙ୍କୁ କହିଥିଲେ ଯେ ଜମି ଟଙ୍କା ଶୀଘ୍ର ମିଳିବାରେ ସେମାନେ ସାହାଯ୍ୟ କରିବେ ଓ ବଦଳରେ କିଛି ଟଙ୍କା ନେବେ। ଏଥିରେ ମଙ୍ଗଶିର ରାଜି ହୋଇଥିଲେ। ଏହା ପରେ ଏହି ତିନିଜଣ ଅଭିଯୁକ୍ତ ଜାଲ୍ ଅର୍ଡର ପ୍ରସ୍ତୁତ କରି ସେଥିରେ କ୍ଲେମ୍ସ କମିସନର ତତ୍କାଳୀନ ସେକ୍ରେଟାରି ତଥା ନୋଡାଲ ଅଫିସର ଆଇଏଏସ୍‌ ବେଣୁଧର ଦାସଙ୍କ ଜାଲି ଦସ୍ତଖତ କରି ସୁନ୍ଦରଗଡ଼ରେ ଥିବା ଏମ୍‌ସିଏଲ୍‌ର ଏଡିଏମ ଙ୍କ ନିକଟକୁ ଟଙ୍କା ସାଂସନ କରିବା ପାଇଁ ପଠାଇଥିଲେ।

ଅର୍ଡର ପାଇବା ପରେ ତୁରନ୍ତ ଏକ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା ମଙ୍ଗଶିର ଆକାଉଣ୍ଟକୁ ଏଡିଏମ ପଠେଇ ଦେଲେ। ଟଙ୍କା ପାଇବା ପରେ ମଙ୍ଗଶିର ୨୦ ଲକ୍ଷ ଟଙ୍କା ତ୍ରିଲୋଚନ ଆକାଉଣ୍ଟକୁ ଦେଇଥିବା ବେଳେ ୧୦ ଲକ୍ଷ ଟଙ୍କା ସ୍ୱାଗତ ବରାଳଙ୍କୁ ଦେଇଥିଲେ। ତ୍ରିଲୋଚନ ସେହି ଟଙ୍କାରୁ ୫ ଲକ୍ଷ ଟଙ୍କା ଦୁଷ୍ମନ୍ତ ପଟେଲକୁ ଦେଇଥିଲେ। ସମସ୍ତ ଘଟଣା ଜାଣିବା ପରେ ବେଣୁଧର ଏନେଇ ଗତ ଡିସେମ୍ବର ୩୧ ତାରିଖରେ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଗତକାଲି ଏହି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର