ରାଉରକେଲା : ସ୍ବାମୀ ନିୟମିତ ଡ୍ରଗ୍‌ସ ସେବନ କରୁଥିଲେ। କ୍ରମେ ଡ୍ରଗ୍‌ସ କିଣିବାକୁ ଟଙ୍କା ନମିଳିବାରୁ ଶେଷରେ ପତ୍ନୀଙ୍କୁ ପର ପୁରୁଷ ହାତକୁ ଟେକିଦେଲା ସ୍ବାମୀ। ପ୍ରାୟ ବର୍ଷାଧିକ କାଳ ଏହିପରି ଚାଲିଥିଲା। ସ୍ବାମୀ ବାଦ ଦୁଇ ଦୁଇ ଜଣ ପୁରୁଷଙ୍କ ​​ଯୌନକ୍ଷୁଧା ମେଣ୍ଟାଇ ମେଣ୍ଟାଇ ପୀଡ଼ିତା ଜଣଙ୍କ ଅତିଷ୍ଠ ହୋଇ ପଡ଼ିଥିଲେ। ପୀଡ଼ିତା ମହିଳା ଜଣଙ୍କ ପୁଲିସର ଦ୍ବାରସ୍ଥ ହେବା ପରେ ଏହିଭଳି ଏକ ସ୍ପର୍ଶକାତର ଘଟଣା ସ୍ମାର୍ଟସିଟିରେ ଲୋକଲୋଚନକୁ ଆସିଛି। ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟାଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ପାନପୋଷ ଜାମିଆ କଲୋନିର ମୋଜାମିଲ୍‌ ହୁସେନ୍‌ (୩୧), ଆଜାଦ ମହଲ୍ଲାର ମହମ୍ମଦ ଆଫ୍ରୋଜ୍‌ ଅଖତର (୩୮) ଓରଫ୍‌ ପପୁ, ରଘୁନାଥପାଲି ଜାମିଆ କଲୋନିର ଦାନିସ ହୁସେନ୍‌ (୨୯)।

Advertisment

ପୁଲିସ ସୂଚନା ଅନୁଯାୟୀ, ମହିଳା ଜଣକ ୨୦୧୭ ମସିହାରେ ଅଭିଯୁକ୍ତ ମୋଜାମିଲ୍‌ ହୁସେନ୍‌ଙ୍କୁ ବିବାହ କରିଥିଲେ। ଡ୍ରଗ୍ସ ବ୍ୟବସାୟୀ ଅଭିଯୁକ୍ତ ଆଫ୍ରୋଜ୍‌ ନିଶା ସେବନ ପାଇଁ ନିୟମିତ ଭାବେ ମୋଜାମିଲଙ୍କୁ ଡ୍ରଗ୍ସ ଯୋଗାଉଥିଲେ। କିଛି ଦିନ ପୂର୍ବରୁ ମୋଜାମିଲ୍‌ ଆଫ୍ରୋଜଙ୍କୁ ଟଙ୍କା ନଦେବାରୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଟଙ୍କା ନଦେଇପାରିବାରୁ ଶେଷରେ ମୋଜାମିଲ୍‌ ନିଜ ପତ୍ନୀଙ୍କୁ ଆଫ୍ରୋଜ୍‌ଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଏ ସଂପର୍କରେ ଜାଣିବା ପରେ ପତ୍ନୀ ତାଙ୍କ ବାପାଙ୍କ ଘରକୁ ପଳାଇ ଯାଇଥିଲେ। ଶୁକ୍ରବାର ଦିନ ବାହାନା କରି ଅଭିଯୁକ୍ତ ଆଫ୍ରୋଜ୍‌ ଓ ଦାନିସ ଏକ କାର୍‌ରେ ମୋଜାମିଲଙ୍କ ପତ୍ନୀଙ୍କୁ ନାଲାରୋଡ଼କୁ ଆଣିଥିଲେ। ପୀଡ଼ିତା ଜଣକ ଅଭିଯୁକ୍ତଙ୍କ କବଳରୁ କୌଶଳକ୍ରମେ ଖସିଆସି ପ୍ଲାଣ୍ଟସାଇଟ୍‌ ଥାନାରେ ଘଟଣା ସଂପର୍କରେ ଜଣାଇଥିଲେ। ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ତନାଘନା ଚଳାଇବା ସହ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।