ନିୟନ୍ତ୍ରଣ ବାହାରେ କନ୍ଧମାଳ ଜିଲ୍ଲାର ବନାଗ୍ନି; ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ୩ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବ୍ୟାପକ ଭାବେ ନିଆଁ ଲାଗିଛି। ଅପରପକ୍ଷେ, ଜଙ୍ଗଲ ନିଆଁ ଲିଭାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଜଙ୍ଗଲ ନିଆଁ ଲିଭାଇବା ପାଇଁ ଜିଲ୍ଲା ପ୍ରଶାସନ ନାନା ପ୍ରକାର ପଦକ୍ଷେପ ଗ୍ରହଣ କରିବା ସତ୍ତ୍ବେ ବନାଗ୍ନି ନିୟନ୍ତ୍ରଣକୁ ଆସିପାରୁନାହିଁ। ଜଙ୍ଗଲ ନିଆଁ ଲିଭାଇବା ପାଇଁ ଜିଲ୍ଲାପାଳ ବୃନ୍ଦା ଡି. ଜିଲ୍ଲାର ଦୁଇ ଜଣ ବନଖଣ୍ଡ ଅଧିକାରୀଙ୍କୁ ଡାକି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ବନାଗ୍ନି ନିୟନ୍ତ୍ରଣକୁ ଆସିବା ବଦଳରେ ବ୍ୟାପକ ହୋଇଛି।
ଦୀର୍ଘ ପନ୍ଦର ଦିନ ଧରି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଘାଟି, ରାଣୀପଥର ସଂରକ୍ଷିତ ଜଙ୍ଗଲ, ଗୋଛାପଡ଼ା, ଫିରିଙ୍ଗିଆ, ତୁମୁଡ଼ିବନ୍ଧ, ବେଲଘର, କୋଟଗଡ଼, ବାଲିଗୁଡ଼ା, କ.ନୂଆଗାଁ, ସାରଙ୍ଗଡ଼, ଟିକାବାଲି, କଳିଙ୍ଗା ଘାଟି ଓ ଚକାପାଦର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ମାତ୍ର ତାହା ଆଜି ପର୍ଯ୍ୟନ୍ତ ଲିଭିପାରି ନାହିଁ। ରାତି ସମୟରେ ଏସବୁ ଅଞ୍ଚଳ ନିଆଁର ପ୍ରକୋପରେ ଆଲୋକିତ ହୋଇ ଉଠୁଛି। ପାହାଡ଼ରେ ଲାଗିଥିବା ନିଆଁ ଦୂରରୁ ଆଲୋକମାଳ ସଦୃଶ ଦୃଶ୍ୟମାନ ହେଉଛି। ଏସବୁ ପାହାଡ଼ ଓ ଜଙ୍ଗଲରେ ହୁତୁ ହୁତୁ ହୋଇ ନିଆଁ ଜଳୁଛି। ମାତ୍ର ବନ ବିଭାଗ କିମ୍ବା ସ୍ଥାନୀୟ ଲୋକେ ନିଆଁ ଲିଭାଇବାରେ ବିଫଳ ହୋଇଛନ୍ତି। ବିଭିନ୍ନ ଜଙ୍ଗଲ ଜଳୁଥିବାରୁ କନ୍ଧମାଳ ଜିଲ୍ଲାର ଆକାଶ ବ୍ୟାପକ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି। ଦିନତମାମ କନ୍ଧମାଳ ଜିଲ୍ଲାର ଆକାଶ ମେଘାଚ୍ଛନ୍ନ ଭଳି ଦେଖାଯାଉଛି। ବିଷାକ୍ତ ଧୂଆଁରେ ଲୋକେ ଅଣନିଶ୍ବାସୀ ହୋଇ ପଡୁଛନ୍ତି। ସେହିଭଳି ଜଙ୍ଗଲ ନିଆଁ ଯୋଗୁଁ ବହୁ ମୂଲ୍ୟବାନ ଗୁଳ୍ମ, ଔଷଧୀୟ ବୃକ୍ଷ ସମ୍ପୂର୍ଣ୍ଣ ଧ୍ବଂସ ପାଇଯିବା ସହ ଜଙ୍ଗଲୀ ଜୀବଜନ୍ତୁ ମଧ୍ୟ ଅଗ୍ନିରେ ଦଗ୍ଧ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବନ ବିଭାଗର ସଚେତନତା ଓ ଗଣମାଧ୍ୟମରେ ଖବର ପ୍ରଚାରପ୍ରସାର ‌ସତ୍ତ୍ବେ ଦୁର୍ବୃତ୍ତ ମାନେ ବିଭିନ୍ନ ଜଙ୍ଗଲ‌ରେ ନିଆଁ ଲଗାଇ ଦେଉଛନ୍ତି।
ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଫୁଲବାଣୀ ଓ ଫିରିଙ୍ଗିଆ ବନାଞ୍ଚଳରୁ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ସୁଡ୍ରୁକୁମ୍ପା ରେଞ୍ଜ ଅଧୀନସ୍ଥ ରାଣୀପଥର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବନପାଳ ରଞ୍ଜିତ କୁମାର ଆପଟଙ୍କ ନେତୃତ୍ବରେ ଗଠିତ ପାଟ୍ରୋଲିଂ ଟିମ୍‌ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ୨ ଜଣ ଯୁବକ ନିଆଁ ଲଗାଉଥିବାର ଦେଖିବାକୁ ପାଇଥିଲେ। ଏହି‌ ପାଟ୍ରୋଲିଂ ଟିମ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ ଜଣ ବୌଦ୍ଧ ଜିଲ୍ଲାର ବୋଲି ଜଣାପଡ଼ିଛି। ସେହିଭଳି ଆଜି ଫିରିଙ୍ଗିଆ ରେଞ୍ଜର ବିଜୟ କୁମାର ମଲିକଙ୍କ ନେତୃତ୍ବରେ ଗଠିତ ଏକ ଟିମ୍‌ ବନ୍ଧଗଡ଼ ପଞ୍ଚାୟତ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରି ଜଙ୍ଗଲରେ ନିଆଁ ଲଗାଉଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ସଚ୍ଚିଦାନନ୍ଦ ପ୍ରଧାନ। ତାଙ୍କ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଦ୍ରିପଡ଼ାରେ ବୋଲି ଜଣାପଡ଼ିଛି।
ସମ୍ବନ୍ଧିତ ଖବର