କଟକ/ଆଠଗଡ଼ : ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ଓ ବଡ଼ମ୍ବାରୁ ମାଟି ତଳୁ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଏବେ ଆକ୍ସନ ମୋଡ୍କୁ ଆସିଛନ୍ତି ଆଠଗଡ଼ ଡିଏଫ୍ଓ। ବଡ଼ମ୍ବା ରେଞ୍ଜ୍ର ଗୋପପୁର ସେକ୍ସନ୍ ଜାନିପଦର ବିଟ୍ରୁ ଗଲା ୧୪ ତାରିଖରେ ଏକ ହନ୍ତାହାତୀର କଙ୍କାଳ ମିଳିବା ଘଟଣାରେ ଆଉ ଜଣେ ଫରେଷ୍ଟଗାର୍ଡଙ୍କୁ ବନବିଭାଗ ନିଲମ୍ବିତ କରିଛି। ନିଲମ୍ବିତ ଫରେଷ୍ଟଗାର୍ଡଙ୍କ ସମେତ ୨ଜଣ ହାତୀ ଜୁଗୁଆଳୀଙ୍କୁ ବନବିଭାଗ ଗିରଫ କରିଛି। ଅନ୍ୟପଟେ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ୍ରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ ଘଟଣାରେ ବନବିଭାଗ ୩ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଏକ ହାତ ତିଆରି ବନ୍ଧୁକ ଜବତ ହୋଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର୍ ଥିବାରୁ ତାକୁ ପୁଲିସ ସହାୟତାରେ ଗିରଫ କରିବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥନ୍ ଯାଦବ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ବଡ଼ମ୍ବାରେ ମାଟି ତଳୁ ହାତୀକଙ୍କାଳ ଓ ହାତୀଙ୍କ ଗଳିତ ମୃତଦେହ ଜବତ ହେବା ଘଟଣାରେ ଆଜି ସୁଦ୍ଧା ବନବିଭାଗ ୯ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ୨ଜଣ ଫରେଷ୍ଟଗାର୍ଡ, ୫ଜଣ ଏଲିଫ୍ୟାଣ୍ଟ ଟ୍ରାକର୍ (ହାତୀ ଜଗୁଆଳୀ) ରହିଛନ୍ତି। ଅନ୍ୟପଟେ ଗିରଫ ହୋଇଥିବା ନିଲମ୍ବିତ ଫରେଷ୍ଟଗାର୍ଡ ପ୍ରଭାତ କୁମାର ପ୍ରଧାନ, ୱାଚର୍ ତଥା ଖୋରଡ଼ ଗ୍ରାମର ଏଲିଫ୍ୟାଣ୍ଟ ଟ୍ରାକର୍ ବ୍ରଜ ବେହେରା ଓ ମାଳତୀପୁରର ଅଶୋକ ବେହେରାଙ୍କୁ ମଧ୍ୟ ଗିରଫ କରାଯାଇଥିବା ବେଳେ ସୋମବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଫରେଷ୍ଟଗାର୍ଡ ଓ ଅନ୍ୟମାନଙ୍କୁ ବନବିଭାଗ ପକ୍ଷରୁ ଜେରା କରାଯାଉଥିବାବେଳେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି, ସେ ସଂପର୍କରେ ବନବିଭାଗ ଅଧିକ ଖୋଳତାଡ଼ ଜାରି ରଖିଛି।
ସେହିପରି ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ୍ର ଜୟପୁର ସଂରକ୍ଷିତ ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତାହାତୀକୁ ଠାବ କରାଯାଇଥିଲା। ଏହାର ଚିକିତ୍ସା ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ୮ଦିନର ଚିକିତ୍ସା ପରେ ଗତ ୧୪ତାରିଖରେ ଉକ୍ତ ହାତୀର ମୃତ୍ୟୁ ଘଟିଥିଲା। ଦନ୍ତାହାତୀ ଦେହରେ ୫ଟି ଗୁଳି ବାଜିଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ଅଛି। ତେବେ ହାତୀ ଶିକାର ଘଟଣାରେ ବନବିଭାଗ ନରସିଂହପୁର ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ସୂର୍ଯ୍ୟମଣି ନାୟକ(୪୨), ନୂଆଭୂଇଁ ଗ୍ରାମର ଗଙ୍ଗାଧର ନାୟକ(୬୨) ଓ ଅନନ୍ତପ୍ରସାଦ ଗ୍ରାମର ଦିବାକର ସାହୁ(୩୫)ଙ୍କୁ ଗିରଫ କରିଛି। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/athagarh.jpg)