ଜାଲ୍ ଦସ୍ତଖତରେ ଜନ୍ମମୃତ୍ୟୁ ପ୍ରମାଣପତ୍ର, ଦୁଇ ଆଇନଜୀବୀଙ୍କ ସମେତ ୩ ଗିରଫ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲ ଅଫିସ୍‌ ଜାଲ ଦସ୍ତଖତ ରାକେଟରେ ସଂପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠୁ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍, କମ୍ପ୍ୟୁଟର୍, ପ୍ରିଣ୍ଟର୍ ଓ ମନିଟର୍ ଆଦି ଜବତ କରାଯାଇଛି। ଜନସେବା କେନ୍ଦ୍ରର ମ‌ାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କିଛି ଦଲାଲ୍ ଜାଲିଆତି କରି ଜନ୍ମମୃତ୍ୟୁ ପ୍ରମାଣପତ୍ର ହାତେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ୪ ମାସ ପରେ ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡ଼ୁ ଗତ ୮ ତାରିଖରେ ପୁରୁଷୋତ୍ତମପୁର ଥାନାରେ ଏତଲା ଦାୟର କରିଥିଲେ। ଏହାକୁ ଆଧାର କରି କେସ୍ ନମ୍ବର ୪୧୭/୨୧ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଏହାର ତଦନ୍ତ ଜାରି ରଖିଥିବା ବେଳେ ଏଥିରେ ସଂପୃକ୍ତ ଦୁଇ ଆଇନଜୀବୀଙ୍କ ସମେତ ମୋଟ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ପୁରୁଷୋତ୍ତମପୁର ଓକିଲ ସଂଘର ପୂର୍ବତନ ଉପସଭାପତି ରାମଚନ୍ଦ୍ର ଆଚାର୍ଯ୍ୟ, ଓକିଲ ସଂଘର ବର୍ତ୍ତମାନର ଉପସଭାପତି ସୀମାଞ୍ଚଳ ସେଠୀ ଓ ଜନସେବା କେନ୍ଦ୍ରର ମାଲିକ ମହେନ୍ଦ୍ର ବେହେରା। ସେମାନଙ୍କଠୁ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍, କମ୍ପ୍ୟୁଟର୍, ପ୍ରିଣ୍ଟର୍ ଓ ମନିଟର୍ ଆଦି ଜବତ ହୋଇଥିବା ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ସେହିପରି ଏହି ରାକେଟ୍‌ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ଏସଂକ୍ରାନ୍ତରେ ଅଧିକ ଛାନ୍‌ଭିନ୍ ଜାରି ରହିଥିବା ସୂଚନା ମିଳିଛି।

ଚଳିତବର୍ଷ ଜୁନ୍ ମାସରେ ତହସିଲ ଅଫିସର୍ ଜାଲ କେସ୍ ନମ୍ବର, ଜାଲ୍ ଦସ୍ତଖତ ଓ ଅତିରିକ୍ତ ତହସିଲଦାରଙ୍କ ନକଲି ଦସ୍ତଖତ ସମେତ ଅର୍ଡ଼ର୍ କାଗଜପତ୍ର (ମିସ୍ କେସ୍ ନମ୍ବର) ନେଇ କିଛି ଦଲାଲ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜନ୍ମମୃତ୍ୟୁ ପ୍ରମାଣପତ୍ର ନେଇଯାଇଥିଲେ। ମୋଟ ୪ ଜଣ ଆବେଦନକାରୀଙ୍କ ପ୍ରମାଣପତ୍ରକୁ ଦଲାଲ୍ ମାନେ ଜୁନ୍ ୩ ତାରିଖରେ ନେଇଥିଲେ। ସେହିମାସ ୧୯ ତାରିଖରେ ଆବେଦନକାରୀ ଡାକ୍ତରଖାନାକୁ ଯାଇଥିବା ବେଳେ ପ୍ରମାଣପତ୍ର ଇସ୍ୟୁ ହୋଇ ନଥିବା ଜାଣିବାକୁ ପାଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ତହସିଲ ଅଫିସ୍ ଓ ଡାକ୍ତରଖାନା ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା।

ସ୍ଥାନୀୟ ତହସିଲଦାର ନୀତିଶ କୁମାର ତ୍ରିପାଠୀ ଏହାର ତଦନ୍ତ ଆରମ୍ଭ କରିଥିଲେ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଜିଲ୍ଲା ପ୍ରଶାସନର ଅନୁମତି ନିଆଯାଇ ଗତ ୮ ତାରିଖରେ ପୁରୁଷୋତ୍ତମପୁର ଥାନାରେ ଏତଲା ଦିଆଯାଇଥିଲା। ପ୍ରଥମ ଦଫାରେ ଦୁଇ ଆଇନଜୀବୀ ରାମଚନ୍ଦ୍ର ଆଚାର୍ଯ୍ୟ, ସୀମାଞ୍ଚଳ ସେଠୀ ଓ ଜନସେବା କେନ୍ଦ୍ରର ମାଲିକ ମହେନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଛି। ସେମାନେ ଜାଲ୍ ଦସ୍ତଖତ ସହ ନକଲି କାଗଜପତ୍ର ପ୍ରସ୍ତୁତ କରିଆସୁଥିବା ଜଣାପଡ଼ିଛି। ଏହା ପଛରେ କୌଣସି ଏକ ବଡ଼ଧରଣର ରାକେଟ୍ କାମ କରୁଥିବା ଜଣାପଡ଼ିଛି। ଏହା ଆଧାରରେ ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିଛି।

ସମ୍ବନ୍ଧିତ ଖବର