କେନ୍ଦୁଝର: ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଢେଙ୍କିକୋଟ/ପଦ୍ମପୁର : କେନ୍ଦୁଝର ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି।

ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ଓଭରବ୍ରିଜ୍‌ ଉପରେ ଟ୍ରକ୍‌ ପଛରେ ଏକ ବାଇକ୍‌ ପିଟି ହେବାରୁ ଦୁଇଜଣ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଘଟଗାଁ ବ୍ଲକ୍‌ ମୁକୁନ୍ଦପୁରପାଟଣା ଗ୍ରାମର ଲୁଲୁ ସେଠୀ (୨୫) ଏବଂ ଯାଜପୁର ଜିଲ୍ଲା ଟମକା ଅଞ୍ଚଳର ପ୍ରତାପ ମହରଣା (୨୬)।

ସୋମବାର ଅପରାହ୍‌ଣ ୩ଟାବେଳେ ଏକ ବାଇକ୍‌ରେ ଲୁଲୁ ଏବଂ ପ୍ରତାପ କେନ୍ଦୁଝରରୁ ଘଟଗାଁ ଫେରୁଥିଲେ। ଢେଙ୍କିକୋଟ ଓଭରବ୍ରିଜ୍‌ ଉପରେ ଠିଆ ହୋଇଥିବା ଏକ ୧୨ ଚକିଆ ଟ୍ରକ୍‌ ପଛରେ ବାଇକ୍‌ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଘଟଣା‌ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଘଟଗାଁ ଥାନା ଏସ୍‌ଆଇ ତପନ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଓ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିବା ସହ ମୃତଦେହ ଉଦ୍ଧାର କରି ଘଟଗାଁ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ସେହିପରି ସଦର ଥାନା ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗ‍ା ଓଭରବ୍ରିଜ ନିକଟରେ ଟ୍ରକ୍ ମାଡ଼ିଯିବାରୁ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବଣୁଆଁ ଗ୍ରାମର ମୁକୁନ୍ଦ ସୁଣ୍ଢି(୨୬)। ଗୁରୁତର ଜଣଙ୍କ ହେଲେ କ୍ଷୀରସାଗର ମୁଣ୍ତା(୨୫)।
ଆଜି ଉଭୟ ଝୁମ୍ପୁରା ବଜାରକୁ ହଣ୍ତା ଏସ୍‌ପି ୧୨୫ ବାଇକ୍ (ଓଡି-୦୯-ଏକ୍ସ-୨୮୦୦)ରେ ଯାଇଥିଲେ। ସେଠାରୁ କାମ ସାରି ଘରକୁ ଫେରୁଥିବାବେଳେ ବାଇକ୍ ନିୟନ୍ତ୍ରଣ ହରାଇ ପଳାସପଙ୍ଗା ଓଭର ବ୍ରିଜ୍ ବ୍ୟାରିକେଡ଼ରେ ଚଢ଼ିଯାଇଥିଲା। ଫଳରେ କ୍ଷୀରସାଗର ଲଟାବୁଦାରେ ଛିଡ଼ିକି ପଡ଼ିଥିବାବେଳେ ମୁକୁନ୍ଦ ରାସ୍ତାରେ ପଡ଼ିଯାଇଥିଲେ। ପଳାସପଙ୍ଗା ପଟୁ ଝୁମ୍ପୁରା ଅଭିମୁଖେ ଯାଉଥିବା ଏକ ଟ୍ରକ ମୁକୁନ୍ଦଙ୍କ ମୁଣ୍ତରେ ମାଡ଼ି ଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ପଳାଶପଙ୍ଗା ବିଟ୍ ପୁଲିସ ପହଞ୍ଚି ମୃତ ଓ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧିତ ଖବର