ଭୁବନେଶ୍ୱରରେ ଛିଡ଼ିଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିନି ବ୍ଳକ୍ ବିଜେଡି କଳି : ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ସମସ୍ତେ କରିବେ ସମର୍ଥନ

ବିଜେଡି ପ୍ରାର୍ଥୀ ଘୋଷଣା ପାଇଁ ବାଟ ଫିଟିଲା
କଂଗ୍ରେସ ନିଷ୍ପତ୍ତି ସ୍ଥିର
ରମାକାନ୍ତଙ୍କୁ ନେଇ ଅଡ଼ୁଆରେ ବିଜେପି

ଜଗତସିଂହପୁର ଟାଉନ୍ : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିନି ବ୍ଲକ୍‌ରେ ଲାଗି ରହିଥିବା ବିଜେଡିର ଦଳୀୟ ବିଶୃଙ୍ଖଳା, କନ୍ଦଳ ଉପରେ ପରଦା ପଡ଼ିଛି । ପୂର୍ବରୁ ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକ୍‌ର ବିଜେଡି ଦୁଇ ଗୋଷ୍ଟୀଙ୍କ ବିବାଦର ସମାଧାନ ହୋଇଥିବା ବେଳେ ଆଜି ବିରିଡ଼ି ବ୍ଳକ୍‌ର ଦୁଇ ଗୋଷ୍ଟୀଙ୍କ ଭିତରେ ବୁଝାମଣା ହୋଇଛି । ଭୁବନେଶ୍ୱର ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନରେ ଉଭୟ ସ୍ୱର୍ଗତ ବିଷ୍ଣୁ ଦାସ ଓ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକଙ୍କୁ ଡାକି ଦଳର ତୁଙ୍ଗ ନେତୃତ୍ୱ ପ୍ୟାଚ୍ ପକାଇଛନ୍ତି । ଚୂଡ଼ାନ୍ତ ନିଷ୍ପତ୍ତି ଅନୁସାରେ ମନମାଳିନ୍ୟ ଭୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ବି ପ୍ରାର୍ଥୀ କରିବେ ତାଙ୍କୁ ସମସ୍ତେ ସମର୍ଥନ କରିବେ ବୋଲି ନୀତିଗତ ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ୟପଟେ ତିର୍ତ୍ତୋଲର ପ୍ରାର୍ଥୀ ଘୋଷଣା ପାଇଁ ଏବେ ପଥ ପରିସ୍କାର ହୋଇଛି ।

ତିର୍ତ୍ତୋଲରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଗୋଷ୍ଠୀ ଓ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଗୋଷ୍ଠୀ ମଧ୍ୟରେ କଥା କଟା କଟି, ଆକ୍ଷେପ, ଆରୋପ ପତ୍ୟାରୋପ ଦୀର୍ଘ ଦିନ ଧରି ଚାଲି ଆସିଛି । ଏମିତିକି ଅନେକ ଥର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସିଧାସଳଖ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ମଧ୍ୟ ଏହି ବିବାଦ ଥମିନାହିଁ । ଉପ ନିର୍ବାଚନ ପାଇଁ ପ୍ରଥମେ ମୁନି ଗୋସେଇଁ ମଠରେ ହୋଇଥିବା ବୈଠକ ଦୁଇ ଗୋଷ୍ଠୀଙ୍କ ବିବାଦ ଉଗ୍ରରୂପ ନେଇଥିଲା । ବ୍ଲକ୍ ସଭାପତି ବିଦାଦ ସବୁ ସୀମା ସରହଦ ଡେଇଁ ଯାଇଥିଲା । ପର୍ଯ୍ୟବେକ୍ଷକଙ୍କୁ ବିରୋଧ ସହ ଚେୟାର ଫିଙ୍ଗା, ଧସ୍ତାଧସ୍ତି, ଠେଲାମପେଲା, ମାଡଗୋଳ ପ୍ରବଳ ଉତ୍ତେଜନା ସୃଷ୍ଟି କରିଥିଲା । ବିଷ୍ଣୁ ଦାସ ଗୋଷ୍ଠୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିବାକୁ ଦାବି କରୁଥିବା ବେଳେ ରାଜଶ୍ରୀ ମଲ୍ଲିକଙ୍କ ଗୋଷ୍ଠୀ ବିଷ୍ଣୁ ଦାସଙ୍କ ପୁଅକୁ ବାଦ୍ ଦେଇ ଅନ୍ୟ ଯାହାକୁ ଟିକେଟ୍ ଦେବା ପାଇଁ ଦାବି କରୁଥିଲେ । ଯାହାକୁ ନେଇ ଚିନ୍ତାରେ ପଡ଼ିଥିଲେ ଦଳର ବରିଷ୍ଠ ନେତାଙ୍କ ସହ ସୁପ୍ରିମୋ । ଏହି ଘଟଣାରୁ ବିଜେଡି ସତର୍କତାର ସହ ଆରମ୍ଭ କରିଥିଲା ଗୁପ୍ତ ରଣନୀତି ।

ଉଭୟ ଗୋଷ୍ଠୀଙ୍କୁ କିଭଳି ଏକ କରାଯାଇ ନିର୍ବାଚନ ଲଢ଼ି ହେବ ନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଗତ ରବିବାର ଦିନ ପ୍ରଥମେ ତିର୍ତ୍ତୋଲ ବ୍ଳକ୍‌ରେ ଟଣା ଭିଡ଼ା ହେଉଥିବା ଦୁଇ ଗୋଷ୍ଠୀଙ୍କୁ ଡକାଯାଇଥିଲା । ଭୁବନେଶ୍ୱରରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ଜିଲ୍ଲା ବିଜେଡି ସଭାପତି ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ବିଧାୟକ ସମ୍ବିତ ରାଉତରାୟ ଯୋଗଦେଇଥିଲେ । ତିର୍ତ୍ତୋଲ ନେତା ବସନ୍ତ ମହାପାତ୍ର, ଗଙ୍ଗାଧର ବିଶ୍ୱା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶୀନୀ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟା ଲିପାଲି ରାଉଳ, ସନାତନ ଦେଇ, ପ୍ରବୀର ରାୟଙ୍କ ସମେତ ସରପଂଚ, ସମିତି ସଭ୍ୟା/ସଭ୍ୟା ପ୍ରାୟ ୮୦ ଜଣ କର୍ମୀ ନେତା ଯୋଗ ଦେଇଥିଲେ । ଉଭୟ ପକ୍ଷଙ୍କ କଥା ଶୁଣା ଯିବା ପରେ ଅତନୁ ସବ୍ୟସାଚୀ ନାୟକ ଉଭୟଙ୍କୁ ବୁଝାସୁଝା କରି ଏକ ମନ ହୋଇ କାମ କରିବାକୁ ନିବେଦନ କରିଥିଲେ ।

ଗତ ୬ ତାରିଖ ଦିନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବାସଭବନରେ ରଘୁନାଥପୁର ବିଜେଡି ନେତାଙ୍କୁ ଏକାଠି କରି ଆଲୋଚନା ହୋଇଥିଲା । ଆଜି ବାଲିକୁଦା-ଏରସମା ବିଧାୟକ, ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘଉନନ୍ଦନ ଦାସଙ୍କ ବାସଭବନରେ ବୈଠକ ଡକାଯାଇଥିଲା । ଏଥିରେ ବିଷ୍ଣୁ ଦାସଙ୍କ ସମର୍ଥକ ଛାତ୍ର ବିଜେଡି ସଭାପତି ପ୍ରଦୀପ୍ତ ଭୂୟାଁ, ବିଜେଡି ନେତା ନୃସିଂହ ଦାସ, ନେତ୍ରାନନ୍ଦ ପାତ୍ରଙ୍କ ସମେତ ରାଜଶ୍ରୀ ଗୋଷ୍ଠୀର ବ୍ଲକ୍ ବିଜେଡି ସଭାପତି ରବିନ୍ଦ୍ର ରାଉଳଙ୍କ ସମେତ ଅନ୍ୟ ସମର୍ଥକ ପ୍ରାୟ ୭୦ ଜଣ ଯାଇଥିଲେ । ସେଠାରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅରୁଣ ସାହୁ, କଟକ-ସଦର ଚନ୍ଦ୍ର ସାରଥୀ ବେହେରା, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରୀପାଠୀଙ୍କ ସମେତ ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି, ସାଂସଦ ଡ. ରାଜଶ୍ରୀ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଟଣା ଓଟରା କଥାକଟାକଟି ହୋଇଥିଲା । ହେଲେ ଦଳୀୟ ନେତୃତ୍ୱ ମାନେ ଏହାର ସମାଧାନର ବାଟ ବାହାର କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ସମସ୍ତେ ମାନି ସହଯୋଗ କରିବେ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ।

ତିନୋଟି ବ୍ଲକ୍‌ରେ ଥିବା ବିବାଦର ସମାଧାନ ହେବା ପରେ ବିଜେଡି ଦିନେ ଦୁଇ ଦିନ ଭିତରେ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣା ପଡ଼ିଛି । ଅନ୍ୟ ପଟେ କଂଗ୍ରେସ ଆଜି ବିରିଡ଼ିରେ ହେବିୱେଟ୍‌ଙ୍କୁ ନେଇ ସମ୍ମିଳନୀ କରି ନିଜ ପ୍ରାର୍ଥୀ ଚୂଡ଼ାନ୍ତ କରି ସାରିଥିବା ଇଙ୍ଗିତ କରିଛି । କିନ୍ତୁ ବିଜେପିରୁ ରମାକାନ୍ତ ଇସ୍ତଫା ଦେବା ପରେ ବିଜେପିରେ ଅସ୍ଥିରତା ଦେଖା ଦେଇଛି । ଦଳ କଣ ନିଷ୍ପତ୍ତି ନେବ ତାହା ଏଯାଏ ଠିକ୍ ହୋଇ ନାହିଁ । ପୁଣି ଥରେ ରମାକାନ୍ତଙ୍କୁ ଦଳକୁ ଫେରାଇ ନେବା ପାଇଁ ମଧ୍ୟ ଉଦ୍ୟମ ହେଉଛି । ତେବେ ଦଳ ଭିତରେ ଥିବା ବିଦ୍ରୋହକୁ ପ୍ରତିହତ କରି କିଏ ବାଜି ମାରିବ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର