ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ‌ରେ ତିନି ଓଡ଼ିଆ ଝିଅଙ୍କୁ ମିଳିବ ଆଇସିସିଡବ୍ଲ୍ୟୁ ଜାତୀୟ ସାହସିକତା ପୁରସ୍କାର

ପୁରସ୍କାର ପାଇବେ ଓଡ଼ିଆ ଝିଅ ଶ୍ରୀମତି, ପୂର୍ଣ୍ଣିମା ଓ ସବିତା

ନୂଆଦିଲ୍ଲୀ: ତିନି ଜଣ ଓଡ଼ିଆ ଝିଅଙ୍କୁ ଇଣ୍ଡିଆନ୍‌ କାଉନ୍‌ସିଲ ଫର୍‌ ଚାଇଲ୍ଡ ୱେଲଫେୟାର (ଆଇସିସିଡବ୍ଲ୍ୟୁ) ଜାତୀୟ ସାହସିକତା ପୁରସ୍କାର-୨୦୧୯ ମିଳିବ। ଏ ନେଇ ଆଇସିସିଡବ୍ଲ୍ୟୁ ପକ୍ଷରୁ ଘୋଷଣା କରାଯାଇଛି। ଓଡ଼ିଶାର ଶ୍ରୀମତୀ ବଦରାଙ୍କୁ ‘ପ୍ରହଲ୍ଲାଦ ସମ୍ମାନ’ ମିଳୁଥିବା ବେଳେ କେନ୍ଦ୍ରାପଡ଼ାର ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ‘ଧ୍ରୁବ’ ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଇସିସିଡବ୍ଲ୍ୟୁ ଦ୍ୱାରା ଅୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସାହସୀ ବାଳକ-ବାଳିକାଙ୍କୁ ପୁରସ୍କାର ଦିଆଯିବ।

ସଂକ୍ଷେପରେ ପୂର୍ଣ୍ଣିମା ଓ ସବିତା

୨୦୧୯ ଜାନୁଆରି ୨ ତାରିଖ ଶୀତୁଆ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲାରୁ ୫୨ ଜଣ ଲୋକ ପିକନିକ ସାରି କୁଜଙ୍ଗ ଫେରୁଥିଲେ। ଫେରନ୍ତା ସମୟରେ ନିପାଣିଆ ନଦୀରେ ଡଙ୍ଗା ବୁଡ଼ି ଯାଇଥିଲା।  ସମସ୍ତ ଯାତ୍ରୀ ବୁଡ଼ିଯାଇ ବଞ୍ଚିବା ପାଇଁ ଚିତ୍କାର କରୁଥିଲେ। ଏହି ସମୟରେ ନଦୀକୂଳରେ ଥିବା ୨ ଜଣ ଝିଅ ପୂର୍ଣ୍ଣିମା ଓ ସବିତା ଲୋକଙ୍କୁ ସାହାଯ୍ୟ ଲାଗି ଦୌଡ଼ି ଆସିଥିଲେ। ସେମାନେ ପରିସ୍ଥିତିକୁ ମୁକାବିଲା କରି ତଥା ଜୀବନକୁ ବାଜି ଲଗାଇ ଥଣ୍ଡା ପାଣି ଭିତରକୁ ଡେଇଁ ପଡ଼ିଥିଲେ। ସେମାନେ ବହୁ କଷ୍ଟ କରି କିଛି ଲୋକଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ସବିତା ଓ ପୂର୍ଣ୍ଣିମାଙ୍କର ସାହସିକତାକୁ ରାଜ୍ୟ ତଥା ଦେଶରେ ଚାରିଆଡ଼େ ପ୍ରଶଂସା କରାଯାଇଥିଲା।

ଜାଣନ୍ତୁ ଶ୍ରୀମତୀ ବଦରା କ’ଣ କରିଥିଲେ

ବର୍ଷ ୨୦୧୮ ନଭେମ୍ବର ୨ ତାରିଖର ଘଟଣା। ଅନୁଗୁଳ ଜିଲ୍ଲା ତାଳଚେର ହାଇସ୍କୁଲର ଛାତ୍ରୀ ଶ୍ରୀମତୀ ବଦରା ଓ ପ୍ରମିଳା ମୁଣ୍ଡା ନିଜ ଘରକୁ ଫେରୁଥିବା ବେଳେ ରେଳଧାରଣା ଅତିକ୍ରମ କରୁଥିଲେ। ସେହି ସମୟରେ ରେଳ ଧାରଣାରେ ଏକ ମାଲଗାଡ଼ି ଛିଡ଼ା ହୋଇଥିଲା। ଛିଡ଼ା ହୋଇଥିବା ମାଲଗାଡ଼ି ହଠାତ୍ ଚାଲିବ‌ା ଆରମ୍ଭ କରିଥିଲା । ଶ୍ରୀମତୀ ରେଳଧାରଣା ଅତିକ୍ରମ କରିବାରେ ସଫଳ ହୋଇଥିବା ବେଳେ ପ୍ରମିଳା ରେଳଧାରଣା ଉପରେ ଖସି ପଡ଼ିଥିଲେ। ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ।  ଶ୍ରୀମତୀ ଡରି ନ ଯାଇ ସାହସିକତାର ସହିତ ପ୍ରମିଳାକୁ ରେଳଧାରଣାରୁ ଟାଣି ଆଣିଥିଲେ। ଏହାପରେ  ଗୁରୁତର ଆହତ ପ୍ରମିଳାକୁ କାନ୍ଧରେ ବୋହି ସେ ୩୦୦ ମିଟର ଦୂରରେ ଥିବା ନିଜ ଘରକୁ ନେଇଥିଲେ। ପ୍ରମିଳାକୁ  ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରମିଳାକୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରମିଳାର ଅପରେସନ କରାଯାଇ ଆଣ୍ଠୁ ତଳକୁ ଥିବା ଗୋଡ଼କୁ କଟାଯାଇଥିଲା।

ସୂଚନାଯୋଗ୍ୟ, ଆଇସିସିଡବ୍ଲ୍ୟୁ ୨୦୧୯ ପାଇଁ ଦେଶର ୧୨ଟି ରାଜ୍ୟରୁ ୨୨ ଜଣ ପିଲାଙ୍କୁ  ୬ଟି ବର୍ଗରେ ପୁରସ୍କାର ପ୍ରଦାନ କରୁଛି। ସେଗୁଡ଼ିକ ହେଲା ଭରତ ସମ୍ମାନ, ମାର୍କଣ୍ଡେୟ ସମ୍ମାନ, ଧ୍ରୁବ ସମ୍ମାନ, ଅଭିମନ୍ୟୁ ସମ୍ମାନ, ପ୍ରହଲ୍ଳାଦ ସମ୍ମାନ ଓ ଶ୍ରବଣ ସମ୍ମାନ। ଚଳିତ ବର୍ଷ ୧୦ ଜଣ ଝିଅ ଓ ୧୨ ଜଣ ପୁଅ ପୁରସ୍କାର ଲାଭ କରୁଛନ୍ତି । ଏହି ତାଲିକାରେ ସାହସୀକ କାର୍ଯ୍ୟ କରିଥିବା ୩ ଜଣ ଓଡ଼ିଆ ଝିଅ ମଧ୍ୟ  ସାମିଲ ହୋଇଛନ୍ତି।

ଆଇସିସିଡବ୍ଲ୍ୟୁ ପକ୍ଷରୁ କେରଳର ଆଦିତ୍ୟ କେଙ୍କୁ ସର୍ବୋଚ୍ଚ ସମ୍ମାନ ‘ଭରତ ସମ୍ମାନ’ରେ ପୁରସ୍କୃତ କରାଯିବ। ୨୦୧୯ରେ ନେପାଳରୁ ଫେରୁଥିବା କେରଳ ଏକ ତୀର୍ଥଯାତ୍ରୀ ବସରେ ଅଚାନକ ନିଆଁ ଲାଗିଯାଇଥିଲା। ଆଦିତ୍ୟ ସାହାସିକତାର ସହ ୪୦ରୁ ଅଧିକ ତୀର୍ଥ ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ।

ସମ୍ବନ୍ଧିତ ଖବର