ଦିନ ଦି’ପହରେ ରାଜପଥରେ ଆତଙ୍କରାଜ : ତିନି ଭାଇଙ୍କୁ ହତ୍ୟା, ପୁରୀ-ଭୁବନେଶ୍ବର ରାସ୍ତାରେ ତୀବ୍ର ଉତ୍ତେଜନା

ଚାରି ଘଣ୍ଟାରୁ ଉର୍ଧ୍ବ ସମୟ ରାଜପଥ ଅବରୋଧ, ମୃଦୁ ଲାଠିଚାଳନା, ୪ ପ୍ଲାଟୁନ୍ ଫୋର୍ସ ମୁତୟନ, କାରଣ ଜାଣିପାରୁନି ପୁଲିସ, ତିନି ଜଣ ଅଟକ

ସାକ୍ଷୀଗୋପାଳ/ପୁରୀ : ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ପଟ୍ଟନାଇକିଆ ଛକ ନିକଟରେ ଆଜି ଏକ ବର୍ବୋରୋଚିତ ହତ୍ୟାକାଣ୍ଡ ସମସ୍ତଙ୍କର ଛାତି ଥରାଇ ଦେଇଛି। ସ୍ପଷ୍ଟ ଦିବାଲୋକରେ ସଦାସର୍ବଦା ଗହଳଚହଳ ୩୧୬ ନମ୍ବର ଜାତୀୟ ରାଜପଥ ଓ ପୁଲିସ୍‌ କ୍ୟାମ୍ପ ନିକଟରେ ତିନି ଭାଇଙ୍କୁ ଖଣ୍ଡାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଜୀବନ ଯିବା ପର୍ଯ୍ୟନ୍ତ ଖଣ୍ଡାରେ ତିନି ଭାଇଙ୍କୁ ହଣାଯିବା ଦୃଶ୍ୟ ଆଖପାଖ ଲୋକଙ୍କୁ ହତବାକ୍‌ କରିଦେଇଛି।

ଦୁର୍ବୃତ୍ତମାନେ କାଠ ଫାଳିଆ, ଲୁହା ରଡ୍‌ ଓ ଖଣ୍ଡାରେ ତିନିଟି ମୁଣ୍ଡ ଗଡ଼ାଇବା ପରେ ସେଠାରୁ ନିର୍ବିଘ୍ନରେ ଫେରାର ହୋଇ ଯାଇଛନ୍ତି। ଜାତୀୟ ରାଜପଥରେ ଏଭଳି ଆତଙ୍କରାଜକୁ ନେଇ ଆଜି ସତ୍ୟବାଦୀ ତଥା ଆଖପାଖ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ୪ ପ୍ଲାଟୁନ ପୁଲିସ ମୁତୟନ ହୋଇଥିବାବେଳେ ରାସ୍ତା ଅବରୋଧ ହଟାଇବା ପାଇଁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି।

ଉତ୍ତ୍ୟକ୍ତ ଜନତା ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକୁ ଅପରାହ୍ନ ସାଢେ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅବରୋଧ କରି ରଖିବା ଫଳରେ ଦୀର୍ଘ ୪ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା। ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ଏବଂ ଯାଉଥିବା ଲୋକ ଅଧା ବାଟରେ ଅଟକି ରହିଥିଲେ। ହଜାର ହଜାର ଗାଡି ବାଟରେ ଅଟକି ରହିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହତ୍ୟାକାଣ୍ଡରେ ସଂପୃକ୍ତି ସନ୍ଦେହରେ ଉତ୍ତ୍ୟକ୍ତ ଲୋକମାନେ ଜ‌ଣେ ବ୍ୟବସାୟୀଙ୍କ କ୍ୟାବିନ୍‌କୁ ପୋଡ଼ି ଦେଇଛନ୍ତି। ରଥଯାତ୍ରା ବେଳେ ପଟ୍ଟନାଇକିଆ ଛକ ନିକଟ ପୁଲିସ କ୍ୟାମ୍ପରେ ୮ ଜଣ ଉପସ୍ଥିତ ଥିବା ବେଳେ ଏଭଳି ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଛି। ପୁରୀ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଏହା ଏକ ଜ୍ବଳନ୍ତ ଦୃଷ୍ଟାନ୍ତ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।

ରବିବାର ଅପରାହ୍ନ ୪ଟା ୩୦। ସତ୍ୟବାଦୀ ଥାନା ସଦାନନ୍ଦପୁର ଗ୍ରାମର ଗୋଟିଏ ପରିବାରର ତିନି ଭାଇ କୃଷ୍ଣଚନ୍ଦ୍ର ବେହେରା (୪୨), ପୂର୍ଣ୍ଣଚନ୍ଦ୍ର ବେ‌ହେରା (୪୪) ଓ ଦାଦା ପୁଅ ଭାଇ ପଞ୍ଚୁ ବେହେରା (୪୫)ଙ୍କର ପଟ୍ଟନାଇକିଆ ଛକ ନିକଟରେ ଏକ ଢାବା ରହିଛି। ଅପରାହ୍ନରେ ତିନି ଭାଇ ଢାବା ନିକଟରେ ଥିବା ବେ‌ଳେ ତିନି ଜଣ ଯୁବକ ହାତରେ ଲୁହାରଡ଼, କାଠ ଫାଳିଆ ଓ ଖଣ୍ଡା ଧରି ସେମାନଙ୍କ ନିକଟକୁ ମାଡ଼ି ଆସିଥିଲେ। କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମେ ପୂର୍ଣ୍ଣଚନ୍ଦ୍ରଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେ ରାଜପଥରୁ ତଳକୁ ଗଡୁଥିବା ବେ‌ଳେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ର ଟଳି ପଡିବା ଦେଖି ଦୁର୍ବୃତ୍ତମାନେ ସାନଭାଇ କୃଷ୍ଣଚନ୍ଦ୍ର ଓ ଦାଦାପୁଅ ଭାଇ ପଞ୍ଚୁଙ୍କୁ ମଧ୍ୟ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଉଭୟଙ୍କ ମୁଣ୍ଡ ଓ ଗୋଡ଼କୁ ଖଣ୍ଡାରେ ବୀଭତ୍ସ ଭାବେ ହାଣିବାରୁ ସେମାନଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ବିଚ୍ ରାସ୍ତାରେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖି ଆଖପାଖ ଲୋକ ଭୟଭୀତ ହୋଇ ପଡ଼ିଥିଲେ। ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଭିଆଇବା ପରେ ତିନି ଦୁର୍ବୃତ୍ତ ସେଠାରୁ ଫେରାର ‌ହୋଇ ଯାଇଥିଲେ।

ସୂଚନାଯୋଗ୍ୟ, ହତ୍ୟାକାଣ୍ଡର ଶିକାର ହୋଇଥିବା ତିନି ଭାଇଙ୍କର ଆଉ ଜଣେ ଭାଇ ଅଜୟ ବେହେରା (ସରପଞ୍ଚ ଥିଲେ)ଙ୍କୁ ମଧ୍ୟ ପୂର୍ବରୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ଅଜୟଙ୍କ ଶବକୁ ରେଳ ଲାଇନ ଉପ‌ରେ ପକାଇ ଦିଆଯାଇଥିବା ବେଳେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଆଜି ଏଭଳି ଜଘନ୍ୟ କାଣ୍ଡ ଘଟିଥିବା କୁହାଯାଉଛି। ହେଲେ ପୁଲିସ ଏଯାଏ େଠାସ୍ କାରଣ େଖାଜି ପାଉନାହିଁ। ସବୁଠାରୁ ବଡ଼ କଥା ହେଲା, ଅଜୟ ମୃତ୍ୟୁ ରହସ୍ୟ ମଧ୍ୟ ଏଯାଏ ଉନ୍ମୋଚିତ େହାଇନାହିଁ। ଆଜି ଆଉ ତିିନିଟି ମୁଣ୍ଡ ଗଡ଼ିବା ପରେ ସମଗ୍ର ଘଟଣା ଅଧିକ ରହସ୍ୟମୟ ହୋଇ ଉଠିଛି।

ଅନ୍ୟପକ୍ଷରେ ଏହି ଟ୍ରିପଲ ମର୍ଡରକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ଦୀର୍ଘ ୪ ଘଣ୍ଟା ଧରି ସତ୍ୟବାଦୀଠାରେ ଜାତୀୟ ରାଜପଥ ଅବରୋଧ କରିବା ପରେ ରାତି ୯ଟା ବେଳେ ପୁଲିସ ମୃଦୁ ଲାଠିଚାଳନା କରିବାରୁ ରାସ୍ତା ଅବରୋଧକାରୀ ଛତ୍ରଭଙ୍ଗ ଦେଇଥିଲେ। ଏହି ଘଟଣାରେ ପୁଲିସ ତିନି ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୁରୀ ଏସ୍‌ପି ଉମାଶଙ୍କର ଦାଶ, ଅତିରିକ୍ତ ଏସ୍‌ପି, ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନା ଆଇଆଇସି ତପନ କୁମାର ରାଉତ, ପିପିଲି ଥାନା ଆଇସି ଶରତ ସାହୁଙ୍କ ସମେତ ୪ ପ୍ଲାଟୁନ୍ ଫୋର୍ସ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର