ଖୋର୍ଦ୍ଧା ପୌର ନିର୍ବାଚନ: ଅଧ୍ୟକ୍ଷ ପଦବି ପାଇଁ ପ୍ରମୁଖ ୩ ଦଳର ନେତ୍ରୀ

ମୈଦାନରେ ବିଜେଡିର କନକଲକ୍ଷ୍ମୀ, ବିଜେପିର କୁନିଲତା ଓ କଂଗ୍ରେସର ବିନୋଦିନୀ 

ଖୋର୍ଦ୍ଧା: ଆଜି ପୌର ପରିଷଦ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ୫ମ ଦିନ। ସୋମବାର ଅପରାହ୍ନ ୩ଟା ପରେ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ଶେଷ ହେବ । ଗୋଟିଏ ପଟେ କଂଗ୍ରେସ ନିଜର ଅଧ୍ୟକ୍ଷ ଓ ୬ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେପି ମଧ୍ୟ ଅନୁରୂପ ଭାବେ ନିଜର ଅଧ୍ୟକ୍ଷ ପ୍ରାର୍ଥୀ ଓ ୪ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କିନ୍ତୁ ପଂଚାୟତ ନିର୍ବାଚନରେ ବିରୋଧୀ ଦଳଙ୍କୁ ବାଜିମାତ ଦେଇଥିବା ଶାସକ ବିଜେଡି ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ଘୋଷଣା ଶେଷ ହୋଇଥିଲେ ମଧ୍ୟ କାଉନ୍ସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ ।

ଖୋର୍ଦ୍ଧା ପୌର ପରିଷଦ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଆଜି ୨୦ଜଣ କାଉନ୍ସିଲର ପ୍ରାର୍ଥୀ ଓ ଜଣେ ଅଧ୍ୟକ୍ଷ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲର ପ୍ରଥମ ଦୁଇ ଦିନ, ୨ ଓ ୩ ତାରିଖରେ କେହି ନାମାଙ୍କନପତ୍ର ଦାଖଲ କରିନଥିଲେ । ୪ତାରିଖରେ ଜଣେ କାଉନ୍ସିଲର ଦାଖଲ କରିଥିବା ବେଳେ ୫ ତାରିଖରେ ଜଣେ କାଉନ୍ସିଲ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଆଜି ତିନି ପ୍ରମୁଖ ରାଜନୈତିକ ଦଳ ବିଧିବଦ୍ଧ ଭାବେ ନିଜର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବିଜେଡି ପକ୍ଷରୁ ପୂର୍ବତନ କାଉନ୍ସିଲର କନକଲକ୍ଷ୍ମୀ ମହାନ୍ତିଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ବିଜେପି ପକ୍ଷରୁ କୁନିଲତା ସ୍ୱାଇଁଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏହାସହ ୩ନମ୍ବର ୱାର୍ଡ଼ ପାଇଁ ମନୋରଂଜନ ମହାପାତ୍ର, ୪ ନମ୍ବର ୱାର୍ଡ଼ ପାଇଁ ବିମଳ ଦାସ, ୫ ନମ୍ବର ୱାର୍ଡ଼ ପାଇଁ ନଗର ବିଜେପି ସଭାପତି ଲୋକନାଥ ପ୍ରଧାନ ଓ ୧୨ ନମ୍ବର ୱାର୍ଡ଼ ପାଇଁ ପୂର୍ବତନ କାଉନ୍ସିଲର ଜାନକୀବଲ୍ଲଭ ବେହେରାଙ୍କ ନାମ ଘୋଷଣା କରାଯାଇଛି । କଂଗ୍ରେସ ପକ୍ଷରୁ ଗତକାଲି ଖୋର୍ଦ୍ଧା ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ରଙ୍କ ପତ୍ନୀ ବିନୋଦିନୀ ମହାପାତ୍ରଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ କରାଯାଇଥିବା ବେଳେ ଆଜି ୩ନମ୍ବର ୱାର୍ଡ଼ ପାଇଁ ଗିରିଜା ଭୂଷଣ ମହାପାତ୍ର, ୬ ନମ୍ବର ୱାର୍ଡ଼ ବିଷ୍ଣୁ ଚରଣ ଦାସ, ୭ ନମ୍ବର ୱାର୍ଡ଼ ଆଶିଷ ନାୟକ, ୧୫ ନମ୍ବର ୱାର୍ଡ଼ ଜୟନ୍ତୀ ରାୟ, ୨୧ ନମ୍ବର ୱାର୍ଡ଼ ଗୁଲସନ ବେଗମ ଓ ୨୨ ନମ୍ବର ୱାର୍ଡ଼ ନିମନ୍ତେ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନାମ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର