ତିନିରଥର ଦକ୍ଷିଣମୋଡ଼

ପୁରୀ : ମହାପ୍ରଭୁଙ୍କ ଉପରେ ଅଭିମାନ କରି ମା’ ଲକ୍ଷ୍ମୀ ଠାକୁରାଣୀ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରି ଆସିବା ପରେ ମହାପ୍ରଭୁଙ୍କ ମନ ଅଥୟ ହୋଇଛି। ଶ୍ରୀମନ୍ଦିର ଫେରିବା ପାଇଁ ମହାପ୍ରଭୁ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରାରମ୍ଭିକ କାର୍ଯ୍ୟ ଭାବେ ଶନିବାର ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଦକ୍ଷିଣ ମୋଡ଼ ନେଇଛନ୍ତି। ରଥଯାତ୍ରାଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରେ ରହିଥିବା ତିନି ରଥକୁ ନାକଚଣା ଦ୍ୱାର ସମ୍ମୁଖରେ ଦକ୍ଷିଣମୋଡ଼ ଦେଇ ରଖାଯାଇଛି। ଜୁଲାଇ ୨୦ରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି ବିଜେ ହୋଇ ଶ୍ରୀମନ୍ଦିରକୁ ବାହୁଡ଼ଯାତ୍ରା କରିବେ।

ନବବିବାହିତା ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟି ନଥିବା ବେଳେ କିଛି ନ ଜଣାଇ ମହାପ୍ରଭୁ ଭାଇ-ଭଉଣୀଙ୍କୁ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ପଳାଇ ଆସିଛନ୍ତି। ଏହା ଜାଣିବା ପରେ ମା’ ଲକ୍ଷ୍ମୀ ଠାକୁରାଣୀ ମା’ ବିମଳାଙ୍କ ପରାମର୍ଶକ୍ରମେ ଗତକାଲି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ପାଖରେ ମହାପ୍ରଭୁଙ୍କୁ ଭେଟିବାକୁ ମା’ ଲକ୍ଷ୍ମୀ ଠାକୁରାଣୀ ଅପେକ୍ଷା କରିଥିବାବେଳେ ଧୂପନୀତି ପାଇଁ ଜୟବିଜୟ ଦ୍ୱାର ବନ୍ଦ କରି ଦିଆଯାଇଥିଲା। ମହାପ୍ରଭୁଙ୍କ ଭେଟ ନ ପାଇ ଅପମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଫେରି ଆସିଥିଲେ। ଏହା ଜାଣିବା ପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା।

ଆଜି ସକାଳ ୬ଟା ୫୦ରେ ଦ୍ୱାରଫିଟା ନୀତି ସମ୍ପନ୍ନ ପରେ ଅନ୍ୟାନ୍ୟ ନୀତି ବଢ଼ିବା ସହ ଦକ୍ଷିଣମୋଡ଼ ପାଇଁ ପୂର୍ବାହ୍ଣ ୧୧ଟା ୫୫ରେ ଆଡ଼ପମଣ୍ଡପରୁ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ବିଜେ ପରେ ତିନି ରଥରେ ଲାଗି ହୋଇଥିଲା। ପରେ ତିନି ରଥକୁ ଦକ୍ଷିଣମୋଡ଼ ଦିଆଯାଇଥିଲା। ପ୍ରଥମ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣମୋଡ଼ ନେଇଥିଲେ। ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଶେଷରେ ମହାପ୍ରଭୁଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ ନେଇଥିଲେ। ସଂଧ୍ୟା ୬ଟା ୫୦ରେ ରଥଟଣା ଶେଷ ହୋଇଥିଲା। ପୁଲିସ ଓ ଓଏସ୍‌ଏଏଫଙ୍କ ସହଯୋଗରେ ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟ-ବିଜୟ ଦ୍ବାରରୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର