ସଂଗ୍ରହାଳୟରେ ରହିଲାନି ତିନି ରଥ

ପୁରୀ : ସଂଗ୍ରହାଳୟରେ ରହିବ ମହାପ୍ରଭୁଙ୍କ ରଥଯାତ୍ରାର ତିନି ରଥ। ଜଗନ୍ନାଥବଲ୍ଲଭ ପରିସରରେ ପ୍ରସ୍ତାବିତ ସଂଗ୍ରହାଳୟରେ ଏହି ତିନି ରଥ ରହିବ ବୋଲି ନିଷ୍ପତ୍ତି ନେଇଥିଲା ପରିଚାଳନା କମିଟି। ପୁନର୍ବାର ମହାରଣା, ଭୋଇ ସେବକଙ୍କୁ ଲଗାଇ ତିନି ରଥର ବିଭିନ୍ନ ଅଂଶକୁ ଅକ୍ଷତ ଖୋଲାଗଲା। ପର୍ଯ୍ୟାୟକ୍ରମେ ଜଗନ୍ନାଥବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଏହା ସ୍ଥାନାନ୍ତର କରାଗଲା। ସବୁକିଛି ପ୍ରସ୍ତୁତି ପରେ ଟେକ୍ନିକାଲ୍‌ କମିଟି ଏହାକୁ ଖାରଜ କରି ଦେଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି।

ଗତବର୍ଷ କୋଭିଡ୍‌ଜନିତ କଟକଣା ଓ ଦୀର୍ଘ ଦିନର ହଁ, ନାହିଁ ଭିତରେ ଶେଷ ମୁହୂର୍ତ୍ତରେ ଅନୁଷ୍ଠିତ ହୋଇଥିଲା ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା। କୋଭିଡ୍‌ ପାଇଁ ୧୪୪ ଧାରା ଜାରି କରି ରଥଯାତ୍ରା କରାଯାଇଥିଲା। ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ବିଶ୍ବପ୍ରସିଦ୍ଧ ଏହି ରଥଯାତ୍ରା। ଭକ୍ତଙ୍କ ବଦଳରେ ପ୍ରଥମ ଥର ପାଇଁ ରଥ ଟାଣିଥିଲେ ସେବାୟତ, ଯାହା ଇତିହାସ ସୃଷ୍ଟି କରିଥିଲା। ଯେହେତୁ ଏହି ରଥଯାତ୍ରା ଐତିହାସିକ ରଥଯାତ୍ରା ଥିଲା, ସେଥିପାଇଁ ମନ୍ଦିର ପ୍ରଶାସନ ଏହି ରଥଯାତ୍ରାର ସ୍ମୃତିକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସାଇତି ରଖିବାକୁ ଯୋଜନା କରିଥିଲା। ସେ ସମୟରେ ଏହି ନିଷ୍ପତ୍ତିକୁ ପ୍ରଂଶସା କରିଥିଲେ ଭକ୍ତ ଓ ସେବାୟତ। କିନ୍ତୁ ସାମାନ୍ୟ ଭୁଲ୍‌ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ଖର୍ଚ୍ଚ କରିଥିବା ଲକ୍ଷାଧିକ ଟଙ୍କା ପାଣ‌ିରେ ପଡ଼ିଛି। ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନର ପ୍ରାଥମିକ କାର୍ଯ୍ୟ ଥିଲା, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଷୟିକ କମିଟି ସହ ଏ ସମ୍ପର୍କରେ ଆଲୋଚନା କରିବା। କିନ୍ତୁ ‌ବୈଷୟିକ କମିଟି ସହ ଆଲୋଚନା ନ କରି ସଂରକ୍ଷଣ ଚିନ୍ତା କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ରଥର ବିଭିନ୍ନ ଅଂଶକୁ ଅକ୍ଷତ ଖୋଲିବାକୁ ଲକ୍ଷାଧିକ ଟଙ୍କା ବି ଅନୁମୋଦନ କରାଗଲା। ଏହି ଅର୍ଥ ରଥ ଖୋଲିବାରେ ନିୟୋଜିତ ଥିବା ମହାରଣା, ଭୋଇ ସେବକ, ବିଭିନ୍ନ ଶ୍ରମିକଙ୍କ ମଜୁରୀ ସହ ବ୍ୟବହୃତ ଗାଡ଼ି, କ୍ରେନ୍‌ ବାବଦରେ ଖର୍ଚ୍ଚ କରାଗଲା। ଓବିସିସି ଜରିଆରେ ପ୍ରାୟ ୫ ଲକ୍ଷ ଟଙ୍କା ଏ ବାବଦକୁ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ଏତେ ସବୁ ଆୟୋଜନ ପରେ ବୈଷୟିକ କମିଟି ଶେଷ ମୁହୂର୍ତ୍ତରେ ସ୍ଥାନାଭାବର କାରଣ ଦର୍ଶାଇ ଏହି ନିଷ୍ପତ୍ତିକୁ ଖାରଜ କରି ଦେଇଥିଲା। ଯାହାକୁ ଭକ୍ତ ମହଲ ସମାଲୋଚନା କରିଛନ୍ତି। ପ୍ରଶାସନର ଭୁଲ ପାଇଁ ବ୍ୟୟ ହୋଇଥିବା ଏହି ଟଙ୍କାର କିଏ ଭରଣା କରିବ ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ବି ଶ୍ରୀମନ୍ଦିର ପ୍ରଶାସନର ଏଭଳି ଭୁଲ୍‌କୁ ସମାଲୋଚନା କରିଛି। ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି ଯେ ସେ ସମୟରେ ଓବିସିସି ଜରିଆରେ ଏହି ଅର୍ଥ ଖର୍ଚ୍ଚ କରାଯାଇଥିଲା। ବିସିସି ହିଁ ଏ ସମ୍ପର୍କରେ ଅଧିକ କହିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର