ଶରଧା ବାଲିରେ ତିନି ରଥ; ଆଜି ଆଡ଼ପମଣ୍ଡପ ବିଜେ, ମିଳିବ ଆଡ଼ପ ଅବଢ଼ା

ଭକ୍ତ ବିହୁନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା

କେବଳ ସେବାୟତ ଟାଣିଲେ ରଥ
ତିନି ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ
ସନ୍ଧ୍ୟା ପୂର୍ବରୁ ଗୁଣ୍ଡିଚା ଚକଡ଼ାରେ ତିନି ରଥ

ପୁରୀ : ବର୍ଷକର ପ୍ରତୀକ୍ଷାର ଅନ୍ତ ଘଟାଇ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି କାଳିଆ ସାଆନ୍ତ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି କଳା ଠାକୁର। ଘଣ୍ଟ, ଘଣ୍ଟାର ତାଳେ ତାଳେ ହରିବୋଲ, ଜୟ ଜଗନ୍ନାଥ ଧ୍ବନିର ଭାବମୟ ପରିବେଶ ଭିତରେ ହଲି ହଲି ଝୁଲି ଝୁଲି ରତ୍ନ ସିଂହାସନ ଛାଡ଼ି ଜନ୍ମବେଦି ଅଭିମୁଖେ ଯାତ୍ରା କରିଛନ୍ତି ମହାପ୍ରଭୁ। କୋଭିଡ୍‌ ମହାମାରୀର କଟକଣା ତଥା କର୍ଫ୍ୟୁ ଭିତରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ସେଭଳି ଅପୂର୍ବ ମିଳନ ଦେଖିବାକୁ ମିଳିନି। ରଥଉପରେ ଘଣ୍ଟୁଆ ଘଣ୍ଟ ବାଜ‌ାଉଥିଲେ ସତ, ମାତ୍ର ସେହି ଘଣ୍ଟ ଶବ୍ଦରେ ବିମୋହିତ ହୋଇ ହରିବୋଲ, ହୁଳହୁଳି ଦେବାକୁ ବଡ଼ଦାଣ୍ଡରେ ଭକ୍ତ ନ ଥିଲେ। କାଳିଆ ସାଆନ୍ତ ଡାକରେ ମୁଖରିତ ହେଉ ନ ଥିଲା ଗଗନପବନ କିମ୍ବା ଲକ୍ଷଲକ୍ଷ ଭକ୍ତଙ୍କ ଆନନ୍ଦାଶ୍ରୁରେ ସିକ୍ତ ହେଉନ ଥିଲା ବଡ଼ଦାଣ୍ଡ। ଅବଶ୍ୟ ରଥ ଟାଣିଲା ବେଳେ ସେବାୟତଙ୍କ ହରିବୋଲ ଧ୍ବନିରେ ପୁଲକ ସୃଷ୍ଟି ହେଉଥିଲା, ମାତ୍ର ଯେଉଁ ପତିତଜନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁଙ୍କ ଏହି ଲୀଳାଖେଳା, ତାହା ଅନୁଭବ ହେଉ ନ ଥିଲା। ତଥାପି ଆଜିର ଶୃଙ୍ଖଳିତ ରଥଯାତ୍ରାରୁ ମହାପ୍ରଭୁଙ୍କ ପ୍ରତି ଜନସାଧାରଣଙ୍କ ରହିଥିବା ଭଲପାଇବା ଓ ଭକ୍ତିଭାବ ସ୍ପଷ୍ଟ ବାରି ହୋଇପଡ଼ିଛି। ସୋମବାର ସୂର୍ଯ୍ୟାସ୍ତ ପୂର୍ବରୁ ତିନି ରଥ ଶରଧାବାଲିରେ ବିଜେ ହୋଇଛନ୍ତି।

କରୋନା ପାଇଁ ସୋମବାର ଦିନ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ କଟକଣାଯୁକ୍ତ ରଥଯାତ୍ରା। ଯେଉଁ ରଥଯାତ୍ରା‌ ସମୟରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡ ଫାଟିପଡ଼େ, ସେଠାରେ ଆଜି କେବଳ ସେବାୟତ, ପୁଲିସ ଓ ସରକାରୀ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା। ତଥାପି ନିଜ ଆବେଗକୁ ଚାପି ନ ପାରି ବଡ଼ଦାଣ୍ଡ ଗଳିରେ ଭକ୍ତମାନେ ଅପେକ୍ଷା କରିଥିଲେ କାଳିଆ ସାଆନ୍ତଙ୍କୁ। ରଥରେ ଚଢ଼ି ଗଳାବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଇଚ୍ଛାକୁ ଦମନ କରି ନ ପାରି କିଏ ଘରର ଛାତ ଉପରେ ଲୁଚି ରହି ଦେଖିଥିଲା ତ କିଏ ଘରର ବାଲ୍‌କୋନିରେ ରହି ମହାପ୍ରଭୁଙ୍କୁ ଡାକୁଥିଲା।

ଶ୍ରୀଜିଉମାନେ ରଥାରୂଢ଼ ହେବା ପରେ ରଥଉପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିଥିଲା। ରଥ ଉପରେ ମା’ ସୁଭଦ୍ରା, ବଡ଼ଠାକୁର ଶ୍ରୀବଳଭଦ୍ର ଓ କେଟି କୈବଲ୍ୟନାଥ ଶ୍ରୀଜଗ୍ନାଥଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେବା ପାଇଁ ପହଞ୍ଚିଥିଲେ ଜଗଦ୍‌ଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ। ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବା ସହ ଚାମରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରାଜନଅରକୁ ଲେଉଟି ଯାଇଥିଲେ। ପରେ ପରେ ରଥରୁ ଚାରମାଳ ଫିଟାଯାଇ ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା। ପରେପରେ ମା ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ସେବାୟତମାନେ ଟାଣିଟାଣି ସଂଧ୍ୟା ପୂର୍ବରୁ ଶରଧାବାଲିରେ ବିଜେ କରାଇଥିଲେ। ରଥାରୂଢ଼ ମହାପ୍ରଭୁ ଆଜି ରଥରେ ରହିବା ପରେ ମଙ୍ଗଳବାର ଆଡ଼ପମଣ୍ଡପକୁ ବିଜେ କରିବେ। ଆଜିଠାରୁ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି।

ଗତବର୍ଷ ଭଳି ଚଳିତବର୍ଷ ବି କୋଭିଡ୍‌ କଟକଣା ଭିତରେ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଇନଶୃଙ୍ଖ‌ଳା ଦୃଷ୍ଟିରୁ ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଜନସାଧାରଣ ତଥା ଯାନବାହନ ଚଳାଚଳରେ ରୋକ୍‌ ଲଗାଯାଇଥିଲା। ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଥିଲା। ବଡ଼ଦାଣ୍ଡ ସଂଲଗ୍ନ ଗଳିକନ୍ଦିକୁ ବି ସିଲ୍‌ କରି ଦିଆଯାଇଥିଲା। ମାଳ ମାଳ ପୁଲିସ ବଡ଼ଦାଣ୍ଡରେ ପଇଁତରା ମାରିଥିଲେ। ଏହାରି ଭିତରେ ଚଳିତବର୍ଷର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ବଦଳରେ କେବଳ ସେବାୟତ ରଥ ଟାଣିଛନ୍ତି।

ସମ୍ବନ୍ଧିତ ଖବର