ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ଦୁଇ ବର୍ଷ ପରେ ପୁଣି ବଡ଼ଦାଣ୍ଡରେ ଭକ୍ତ-ଭଗବାନ ଏକାଠି ହୋଇଛନ୍ତି। ଆଜି ଭକ୍ତ-ଶ୍ରଦ୍ଧାଳୁଙ୍କ ଗହଳରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସମୟ ପୂର୍ବରୁ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ନୀତିକାନ୍ତି। ସଂଧ୍ୟ ସାଢ଼େଛଅଟା ସୁଦ୍ଧା ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲିରେ ତିନି ରଥ ପହଞ୍ଚି ଯାଇଛି। ପ୍ରଥମେ ତାଳଧ୍ବଜ ଓ ପରେ ଦର୍ପଦଳନ ଏବଂ ଶେଷରେ କାଳିଆ ସାଆନ୍ତ ନନ୍ଦିଘୋଷ ଚଢ଼ି ଶରଧାବାଲିରେ ପହଞ୍ଚିଛନ୍ତି। ଲକ୍ଷଲକ୍ଷ ଭକ୍ତ-ଶ୍ରଦ୍ଧାଳୁଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ମାନ୍ୟଗଣ୍ୟବ୍ୟକ୍ତି ରଥ ଟାଣିଛନ୍ତି।
ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ରୁଣ୍ଡ ହୋଇଥିବା ଲକ୍ଷଲକ୍ଷ ଭକ୍ତ ରଥଗୁଡ଼ିକୁ ଅତି ଶ୍ରଦ୍ଧାର ସହିତ ସିଂହଦ୍ବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ପ୍ରବଳ ଆଗ୍ରହ ଓ ଉତ୍ସାହର ସହ ଟାଣି ନେଇଥିଲେ। ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ବନି ପୁରୀ ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ସେହିପରି ତୁରୀ-ଭେରୀ, ଘଣ୍ଟ-ଘଣ୍ଟା ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା। ପୁଣି ଶ୍ରଦ୍ଧାଳୁଙ୍କ କୀର୍ତ୍ତନ ଓ ନର୍ତ୍ତନ ପରିବେଶକୁ ଭାବବିହ୍ବଳ କରିଥିଲା। ଉଲ୍ଲେଖଯୋଗ୍ୟ କଥା ହେଲା ଆଜି ମହାପ୍ରଭୁଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩ ଘଣ୍ଟା ପୂର୍ବରୁ ଅନେକ ନୀତିକାନ୍ତି ଶେଷ କରାଯାଇଥିଲା। ଫଳରେ ସନ୍ଧ୍ୟା ୬ଟା ୩୪ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରିଛି ତିନିରଥ। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା। ତା’ ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥିଲା। ଘଣ୍ଟଘଣ୍ଟା, ହୁଳୁହୁଳି ଓ ହରିବୋଲ ଧ୍ବନିରେ କମ୍ପିଉଠିଥିଲା ବଡ଼ଦାଣ୍ଡ।
/sambad/media/post_attachments/wp-content/uploads/2022/07/FWjy1HFaMAAnpek.jpg)
ଏହା ପୂର୍ବରୁ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ‘ଛେରାପହଁରା’ କରିଥିଲେ। ଗଜପତି ମହାରାଜ ଶ୍ରୀନଅରରୁ ତାମଯାନରେ ଆସି ସିଂହଦ୍ବାରରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି ସଂପନ୍ନ କରିଥିଲେ। ପରମ୍ପରା ଅନୁଯାୟୀ ସେ ପ୍ରଥମେ ତାଳଧ୍ବଜ ରଥରେ ଛେରାପହଁରା ସଂପନ୍ନ କରିଥିଲେ। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ସୁବାସିତ ଜଳ ସିଞ୍ଚନ କରି ରଥକୁ ସୁବର୍ଣ୍ଣ ସମାର୍ଜନୀରେ ପରିଷ୍କୃତ କରିଥିଲେ। ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମାପନ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା।
ସୂଚନାଯୋଗ୍ୟ, ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୩ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ଘୋଷଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିରରୁ ଧାଡି ପହଣ୍ଡିରେ ଆଜି ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ ହୋଇଥିଲେ। ଏହାପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଥିଲେ।
ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ସକାଳୁ ସକାଳୁ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଓ ବେଶ ଶେଷ, ଖେଚୁଡ଼ି ଭୋଗ ନୀତି ଶେଷ ହୋଇଥିଲା । ପରେ ରଥ ପ୍ରତିଷ୍ଠା ହୋଇ ମଙ୍ଗଳାର୍ପଣ, ପହଣ୍ଡି ସଂପନ୍ନ ହୋଇଥିଲା। ରଥକୁ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ କରିଥିଲେ। ଏଥିସହ ଚିତା ଲାଗି ନୀତି ଓ ବେଶ ଶେଷପରେ ଛେରା ପହଁରା ସରିଥିଲା।
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ସଂପନ୍ନ କରାଯିବ । ପରଦିନ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/caef416a-c2bd-4797-a057-b98d3ae2c503.jpg)