ପୁରୀ : ଶେଷ ହୋଇଛି ଲୀଳାମୟ ମହାବାହୁଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା। ଜନ୍ମବେଦିରେ ନବଦିନର ଲୀଳାଖେଳ ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ସିଂହଦ୍ବାରକୁ ବାହୁଡ଼ିଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର। ବଡ଼ଦାଣ୍ଡକୁ ନିସ୍ବାର୍ଥ ଭକ୍ତିଭାବରେ ବୁଡ଼ାଇଛନ୍ତି ଭାବଦିଆ କାଳିଆ ଠାକୁର। ପୁଣିଥରେ ଭକ୍ତ-ଭଗବାନଙ୍କ ହୋଇଛି ଅପୂର୍ବ ମିଳନ। ୬ ଲକ୍ଷରୁ ଶ୍ରଦ୍ଧାଳୁଙ୍କ କୋଳାହଳରେ ଭରି ଉଠିଛି ବଡ଼ଦାଣ୍ଡ। ଜୟ ଜଗନ୍ନାଥ, ହରିବୋଲ, ମଣିମା ଡାକରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ। ବର୍ଷା-ଖରାର ଲୁଚକାଳି ଖେଳ ଭିତରେ ଡାହୁକର ବୋଲି, ଘଣ୍ଟୁଆର ଘଣ୍ଟନାଦର ତାଳେ ତାଳେ ଭକ୍ତଙ୍କ ସହ ପୁଣିଥରେ ବଡ଼ଦାଣ୍ଡରେ ଗଡ଼ିଛନ୍ତି ତିନି ରଥ।

Advertisment

ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଥିବା ମହାବାହୁ, ସତେ ଯେପରି ଶ୍ରୀମନ୍ଦିର ଫେରିବାକୁ ବ୍ୟଗ୍ର ଥିଲେ। ଏଥିପାଇଁ ବୁଧବାର ଦିନ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ଶ୍ରୀଜିଉମାନେ ରଥାରୂଢ଼ ହୋଇଥିଲେ।। ନିର୍ଦ୍ଧାରିତ ସମୟର ସାଢ଼େ ୩ ଘଣ୍ଟା ଆଗରୁ ବି ରଥଟଣା ହୋଇଛି। ଘଣ୍ଟୁଆର ଘଣ୍ଟନାଦ, ଡାହୁକର ବୋଲି, ଚକର ଘର୍ଘର ନାଦ ସହ ଭକ୍ତଙ୍କ ହରିବୋଲ ଡାକର ଦିବ୍ୟ ପରିବେଶ ଭିତରେ ସନ୍ଧ୍ୟା ୬ଟା ୪୫ ସୁଦ୍ଧା ତିନି ରଥ ସିଂହଦ୍ବାରରେ ବିରାଜମାନ କରିଛନ୍ତି। ସ୍ବର୍ଗଲୋକରୁ ୩୩ କୋଟି ଦେବତା ବି ଯେଭଳି ଏହି ଦିବ୍ୟ ଦର୍ଶନ ପାଇ ପହଣ୍ଡି ଆରମ୍ଭରୁ ବର୍ଷାଞ୍ଜଳି ଅର୍ପଣ କରିଛନ୍ତି। ଝିପିଝିପ ବର୍ଷା ଆଜି କିଛି ସମୟ ଭକ୍ତଙ୍କୁ ଭକ୍ତିର ଭାବରେ ବୁଡ଼ାଇଛି।

publive-image

ଦଇତାପତି ସେବକମାନେ ବୁଧବାର ଭୋର ୪ଟା ୩୫ରେ କୁସୁମୀ ଲାଗି ନୀତି ସାରି ବାହାରିବା ପରେ ୪ଟା ୫୦ରେ ମଙ୍ଗଳଆଳତି ସହ ଅନ୍ୟାନ୍ୟ ନୀତି ବଢ଼ିଥିଲା। ସକାଳ ୭ଟା ୫୦ରେ ଡୋରଲାଗି ପରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ରଥ ଉପରକୁ ବିଜେ କରିଥିଲେ। ସକାଳ ୭ଟା ୫୫ରେ ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପରେ ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ପହଣ୍ଡିରେ ରଥକୁ ବିଜେ କରିଥିଲେ। ପୂର୍ବାହ୍ଣ ୧୧ଟା ୫ରେ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଶେଷ ପରେ ପୂର୍ବାହ୍ଣ ୧୧ଟା ୪୦ରେ ତିନି ରଥରେ ଛେରାପହଁରା ଆରମ୍ଭ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ସ୍ବତନ୍ତ୍ର ମେହେଣାରେ ଆସି ଶରଧାବାଲିରେ ପହଞ୍ଚିବା ପ୍ରଥମେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ପରେ ସୁବର୍ଣ୍ଣ ସମାର୍ଜନୀରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥରେ ଛେରାପହଁରା କରିଥିଲେ। ପରେ ପରେ ନନ୍ଦିଘୋଷ ରଥ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା କରିଥିଲେ। ମଧ୍ୟାହ୍ନ ୧୨ଟା ୪୦ରେ ଛେରାପହଁରା ଶେଷ ଓ ଗଜପତି ଫେରିଯିବା ପରେ ରଥଟଣା ଆରମ୍ଭ ହୋଇଥିଲା।

publive-image

ତିନି ରଥର ଚାରମାଳ ଫିଟାଯାଇ ଘୋଡ଼ା, ସାରଥି ଲାଗି ହୋଇ ପ୍ରଥମେ ପୂର୍ବାହ୍ଣ ୧୨ଟା ୪୭ରେ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା। ବଡ଼ଭାଇଙ୍କ ବାହୁଡ଼ାଯାତ୍ରାର ପରେ ପରେ ଭଉଣୀ ଦେବୀ ସୁଭଦ୍ରା ଓ ସାନ ଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ବାହୁଡ଼ାଯାତ୍ରାରେ ବାହାରିଥିଲେ। ଅପରାହ୍ଣ ସାଢ଼େ ଗୋଟାଏରେ ଦର୍ପଦଳନ ରଥ ଓ ଅପରାହ୍ଣ ୧ଟା ୪୫ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ପୂର୍ବରୁ ଅର୍ଥାତ୍‌ ଅପରାହ୍ଣ ୪ଟା ୪୦ରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ୪ଟା ୪୫ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ବାରରେ ପହଞ୍ଚିଥିଲେ। ଶେଷରେ ସନ୍ଧ୍ୟା ୬ଟା ୪୫ରେ ନନ୍ଦିଘୋଷ ରଥ ପହଞ୍ଚିଥିଲା। ତିନି ରଥ ସିଂହଦ୍ବାରରେ ପହଞ୍ଚିବା ପରେ ଆଜି ରଥ ଉପରେ ଠାକୁରଙ୍କ ସମସ୍ତ ଦୈନନ୍ଦିନ ନୀତି ସମ୍ପନ୍ନ ହୋଇଛି। ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ପାଇଁ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗହଳି ଲାଗିଥିବା ଦେଖିବାକୁ ମିଳିଛି।