କୋକସରା : ଧାନଖଳାରେ ଅଗ୍ନିକାଣ୍ଡ ଘଟି ଜିଅନ୍ତା ଜଳି ଯାଇଛନ୍ତି ୩ ଶିଶୁକନ୍ୟା। ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ମହିମା ପଞ୍ଚାୟତ ବିଜମରା ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟ‌‌ା ଖେଳିଯାଇଛି।

Advertisment

ଆଜି ପୂର୍ବାହ୍ନରେ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଧାନଖଳାରେ ଶନିବାର ତାଙ୍କର ଦୁଇ ଯାଆଁଳା ଶିଶୁକନ୍ୟା ରୋଜି(୪), ଡେଜି(୪) ଓ ଭାଣିଜୀ ଜୟପାଟଣା ବ୍ଲକ କୁଣ୍ତିଗୁଡ଼ା ଗାଁର ଧନୁର୍ଯ୍ୟ ରାଉତଙ୍କ ଝିଅ ରଚନା(୪) ଖେଳୁଥିଲେ। ହେମରାଜ ବିଲରେ ଧାନ କାଟୁଥିଲେ ଏବଂ ତାଙ୍କ ସ୍ତ୍ରୀ ‌ଘରେ ରୋଷେଇ କାମରେ ବ୍ୟସ୍ତ ଥିଲେ। ଦିନ ପ୍ରାୟ ୧୧ଟା ସମୟରେ ଖଳାରେ ଥିବା କୁଡ଼ିଆ ଭିତରେ ତିନି ଭଉଣୀ ଥିବା ସମୟରେ ପାଖରେ ଥିବା ‘ଅଁତରା’ (ନିଆଁ ପୋଇବା ପାଇଁ ଧୁନି)ର ନିଆଁରେ କୁଡ଼ିଆ ଜଳି ଯାଇଥିଲା। ଆଉ ତିନିଜଣ ଯାକ ଶିଶୁ ବାହାରି ନପାରି ପୋଡ଼ି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ବିଜମରା ଗାଁର ପ୍ରମୋଦ ବାଗ, ସଞ୍ଜୟ ପଣ୍ତା, କ୍ଷୀରସିନ୍ଧୁ ଦିଶାରୀ, ମଦନ ମୋହନ ବାଗ, ଡମ୍ବରୁଧର ରାଉତ, ସମନାଥ ବାଗ ଓ ସୁଦର୍ଶନ ଦିଶାରୀ ପ୍ରମୁଖ ପହ‌ଞ୍ଚି ଶିଶୁମାନଙ୍କୁ ନିଆଁ ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ଏକ କାର୍‌ ଯୋଗେ ସେମାନଙ୍କୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ତିନିଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ତିନି ଶିଶୁଙ୍କୁ ଆଇସିୟୁରେ ରଖି ଚିକିତ୍ସା ଆରମ୍ଭ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣ ଯାକ ପ୍ରାଣ ହରାଇଥିଲେ। ଏହି ଅଘଟଣ ସଂପର୍କରେ ଖବର ପାଇ କୋକସରା ଡାକ୍ତରଖାନାରେ ସିଡିପିଓ ଜୟନ୍ତ ମହାନ୍ତି ପହଞ୍ଚି ତଦନ୍ତ କରିଥିବାବେଳେ ସନ୍ଧ୍ୟାରେ କୋକସରା ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଗୀ ପହଞ୍ଚି ତଦନ୍ତ କରିଛନ୍ତି।