ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟାରେ ୩ ବାଲ୍ୟ ବିବାହ ବନ୍ଦ, ସଭାଗୃହରେ ସଚେତନତା ବାର୍ତ୍ତା ସୀମିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା, କୁକୁଡ଼ାଖଣ୍ଡି ଓ ଶେରଗଡ଼ ବ୍ଲକ୍‌‌ ଇଲାକାରେ ଚାଲିଥିବା ୩ଟି ବାଲ୍ୟ ବିବାହକୁ ପ୍ରଶାସନ ୨୪ ଘଣ୍ଟା ଭିତରେ ରୋକିବାରେ ସଫଳ ହୋଇଛି। କୁକୁଡ଼ାଖଣ୍ଡି ବ୍ଲକ ବଉଳ‌ଝୋଳି ଗ୍ରାମରେ ଜଣେ ନାବାଳିକା (୧୬)ଙ୍କ ବିବାହ ଆଜି ରାତିରେ ହେବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଦିନରେ ଭୋଜିଭାତ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ କୁକୁଡ଼ାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ଚାଇଲଡଲାଇନ ଓ ପୁଲିସ ପହଞ୍ଚି ଉକ୍ତ ବାହାଘରକୁ ବନ୍ଦ କରିଥିଲେ। ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିବା ପରେ ତାଙ୍କୁ ଉତ୍କଳ ବାଳାଶ୍ରମରେ ଛଡ଼ାଯାଇଥିବା ତହସିଲଦାର ଶ୍ରୀମତି ମିଶ୍ର ସୂଚନା ଦେଇଛନ୍ତି। ତେବେ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ନାବାଳିକାଙ୍କ ବାପା ଏକ ସୋସାଇଟିର ସମ୍ପାଦକ ବୋଲି ଜଣାପଡ଼ିଛି। ଜଣେ ସରକାର କର୍ମଚାରୀ ହୋଇ ଯଦି ସଚେତନ ନୁହନ୍ତି, ତେବେ ସାଧାରଣ ଲୋକ କିଭଳି ସଚେତନ ହେବେ ବୋଲି ପ୍ରଶ୍ନ ଉଠିଛି।

ସେହିପରି ଶେରଗଡ଼ ବ୍ଲକ୍ ପଦ୍ମପୁର ଗ୍ରାମରେ ଆସନ୍ତାକାଲି ଜଣେ ନାବାଳିକାଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ଆଜି ଭୋଜିଭାତ ଆୟୋଜନ କରାଯାଇଥିଲା। ସୂଚନା ପାଇ ଜିଲ୍ଲା ଶିଶୁ ସୁରକ୍ଷା ସେଲ ସଂଯୋଜକ ସାଇପ୍ରସାଦ ସାମଲ, ଶେରଗଡ଼ ସିଡ଼ିପିଓ ଜୟନ୍ତୀ ପାଟପୁଙ୍ଗିୟା, ଶେରଗଡ଼ ଥାନା ଏଏସଆଇ ବିଷ୍ଣୁ ପ୍ରସାଦ ଦାଶ, ସୁପରଭାଇଜର ସ୍ମିତାମୟୀ ପ୍ରଧାନ ଓ ମଞ୍ଜୁ କୁମାରୀ ପଟ୍ଟନାୟକ ପ୍ରମୁଖ ପଦ୍ମପୁର ଗ୍ରାମକୁ ଯାଇ ନାବାଳିକାଙ୍କ ବିବାହକୁ ବନ୍ଦ କରିବା ସହ ପରିବାରବର୍ଗଙ୍କୁ ସଚେତନ କରିଥିଲେ। ୧୮ ବର୍ଷ ହେଲେ ହିଁ ନାବାଳିକାଙ୍କ ବିବାହ କରାଯିବ ବୋଲି ଲିଖିତନାମା ସଂଗ୍ରହ କରିଥିଲେ। କମ୍ ବୟସରେ ଝିଅ ବିବାହ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଲ୍ୟ ବିବାହ ନିଷେଧ ଅଧିକାରୀ ଜୟନ୍ତୀ ପାଟପୁଙ୍ଗିୟା ସୂଚନା ଦେଇଛନ୍ତି।

ସେହିପରି ବେଗୁନିଆପଡ଼ା ବ୍ଲକ୍ ଅଧୀନ ବୁରୁଝରୀ ପଞ୍ଚାୟତ କନିଆରିବାଡ଼ି ଗ୍ରାମରେ ମଧ୍ୟ ଏକ ବାଲ୍ୟ ବିବାହକୁ ବନ୍ଦ କରାଯାଇଥିଲା। କନିଆରିବାଡ଼ି ଗ୍ରାମର ଜଣେ ଯୁବକଙ୍କ ସହ ନାବାଳିକାଙ୍କ ବିବାହ ଠିକ୍ ହୋଇଥିବା ବେଳେ ଗତକାଲି ବେଗୁନିଆପଡ଼ା ସିଡ଼ିପିଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ପୁଲିସ ସହ ପହଞ୍ଚିଥିଲେ। ସେତେବେଳେକୁ ନାବାଳିକା କନ୍ୟା ବିବାହ ନିମନ୍ତେ ଶ୍ୱଶୁର ଘରେ ପହଞ୍ଚିସାରିଥିଲେ। କିନ୍ତୁ ସିଡିପିଓ ସଂଗେ ସଂଗେ ଟିମ୍ ସହ ଯାଇ ନାବାଳିକାଙ୍କ ପରିବାରବର୍ଗକୁ ସଚେତନ କରିବା ସହ ବାଲ୍ୟବିବାହ ଏକ ଅପରାଧ ବୋଲି କହିଥିଲେ। ସାବାଳିକା ହେବା ପରେ କୋର୍ଟରେ ବିବାହ ହେବ ଲିଖିତ ଚୁକ୍ତିନାମା ପରିବାରବର୍ଗ ପକ୍ଷରୁ ଦିଆଯାଇଥିଲା।

ଅନ୍ୟପକ୍ଷରେ ବାଲ୍ୟ ବିବାହ ଆଇନ୍ ସିଦ୍ଧ ନୁହେଁ ବୋଲି ସରକାର ଘୋଷଣା କରିବା ସହ ବିଭିନ୍ନ ମାଧ୍ୟମରେ ସଚେତନ କରୁଥିଲେ ମଧ୍ୟ ଏହା କେବଳ ସଭାଗୃହରେ ସୀମିତ ହୋଇ ରହିଛି। ଗାଁ ଗାଁ ରେ ଏବେବି ବାଲ୍ୟ ବିବାହ ଜାରି ରହିଛି। ଦାୟିତ୍ୱରେ ଥିବା ପ୍ରତିନିଧିଙ୍କ ଅବହେଳା ଯୋଗୁଁ କେଉଁଠି ବିବାହ ପୂର୍ବରୁ ବନ୍ଦ ହେଉଛି, ତ ଆଉ କେଉଁଠି ଭୋଜି ଚାଲିଥିବା ବେଳେ ବନ୍ଦ ହେଉଛି। ଯାହା ଫଳରେ ବରପକ୍ଷ ଖର୍ଚ୍ଚାନ୍ତ ହେଉଛନ୍ତି ।

ସମ୍ବନ୍ଧିତ ଖବର