କଟକ: ରାଜ୍ୟ ଅବକାରୀ ବିଭାଗରେ ଏବେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ଗଲା ଏକ ବର୍ଷ ହେବ ତିନି ଅବକାରୀ ରେଞ୍ଜ କେନ୍ଦ୍ରାଞ୍ଚଳ, ଉତ୍ତାରାଞ୍ଚଳ ଓ ଦକ୍ଷିଣାଞ୍ଚଳ ରେଞ୍ଜରେ ଡେପୁଟି କମିସନର ପଦବି ଖାଲି ପଡ଼ିଛି। ଓଡ଼ିଶା ରାଜ୍ୟ ପାନୀୟ ନିଗମ ସମେତ ଅବକାରୀ କମିସନରଙ୍କ କାର୍ଯ୍ୟାଳୟରେ ବି ପଦବି ଖାଲି ପଡ଼ିଛି। ଯାହା ଫଳରେ ରେଞ୍ଜଗୁଡ଼ିକରେ ଏବେ ଅଚଳାବସ୍ଥା ସୃଷ୍ଟି ହେଲାଣି। ରେଞ୍ଜରେ ଏନ୍ଫୋର୍ସମେଣ୍ଟ କାମଗୁଡ଼ିକ ଏକ ପ୍ରକାର ବନ୍ଦ ହୋଇଯାଇଛି। ଡେପୁଟି କମିସନର ପାହ୍ୟାକୁ ଅଧିକାରୀମାନେ ପଦୋନ୍ନତି ପାଇଥିବା ସତ୍ତ୍ବେ ଏମାନଙ୍କ ନୂଆ ନିଯୁକ୍ତିକୁ ଝୁଲାଇ ରଖିବା ଘଟଣାରେ ଏବେ ବିଭାଗରେ ଦିନକୁ ଦିନ ଅସନ୍ତୋଷ କୁହୁଳିବାକୁ ଲାଗିଲାଣି।
ଅବକାରୀ ବିଭାଗରେ ଜାନୁଆରିରେ ୯ଜଣଙ୍କ ଇନ୍ସ୍ପେକ୍ଟର ପାହ୍ୟାରୁ ଡେପୁଟି ସୁପରିନ୍ଟେଣ୍ଡେଣ୍ଟ ପାହ୍ୟାକୁ ଯିବାକୁ ପଦୋନ୍ନତି ବୋର୍ଡ ବସିଥିଲା। କିନ୍ତୁ ନୂଆ ନିଯୁକ୍ତି ହେଲାନାହିଁ। ମାର୍ଚ୍ଚ ୨୯ରେ ୭ ଜଣ ଅବକାରୀ ଏସ୍ପିଙ୍କ ଡେପୁଟି କମିସନର ପାହ୍ୟାକୁ ପଦୋନ୍ନତି ହେଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅବସର ନେଲେଣି। ଅବକାରୀ ବିଭାଗରେ ପୂର୍ବରୁ ୩ଟି ଡେପୁଟି କମିସନର ପଦବି ଥିଲା। ୨୦୧୮ରେ ପଦବି ସଂଖ୍ୟା ଗୋଟିଏ ବୃଦ୍ଧି ପାଇଥିଲା। ୨୦୨୧ରେ ଆହୁରି ୪ଟି ପଦବି ସୃଷ୍ଟି କରାଗଲା। ଏବେ ମୋଟ ୮ଟି ମଞ୍ଜୁରିପ୍ରାପ୍ତ ଡେପୁଟି କମିସନର ପଦବି ରହିଛି।
ବର୍ଷେ ହେବ ନାହାନ୍ତି ୮ ଡେପୁଟି କମିସନର
ଅବକାରୀ ଏନ୍ଫୋର୍ସମେଣ୍ଟ କାମ ବନ୍ଦ
କେମିତି ଦମନ ହେବେ ନିଶା ମାଫିଆ?
ଏମାନଙ୍କ ମଧ୍ୟରେ ଜଣେ ଓଏଏସ୍ କ୍ୟାଡର୍ ଓ ୭ ଜଣ ଅବକାରୀ କ୍ୟାଡର୍ର। ପୂର୍ବରୁ ୩ଟି ପଦବି ଥିବା ଯୋଗୁ ବିଭାଗରେ ଅଚଳାବସ୍ଥା ଲାଗି ରହିଥିଲା। ତେଣୁ ଡେପୁଟି କମିସନର ପଦବିକୁ ବୃଦ୍ଧି କରାଯାଇଥିଲା। ଏବେ ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ(୧୩ ଜିଲ୍ଲା), କଟକ କେନ୍ଦ୍ରାଞ୍ଚଳ(୧୧ ଜିଲ୍ଲା), ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜ(୯ ଜିଲ୍ଲା) ମୁରବି ଶୂନ୍ୟ ହୋଇପଡ଼ିଛି। ଏହି ପଦବିଗୁଡ଼ିକ ଖାଲି ପଡ଼ିଥିବାରୁ ଡେପୁଟି କମିସନରଙ୍କ ଦ୍ବାରା ମାମଲାର ଅନୁଧ୍ୟାନ ହୋଇପାରୁନାହିଁ। ଜଣେ ଯୁଗ୍ମ କମିସନର ରାଜେନ୍ଦ୍ର ଭୋତ୍ରାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ତିନି ରେଞ୍ଜର ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଥିବା ବେଳେ ସାରା ରାଜ୍ୟ ମାମଲା ଅନୁଧ୍ୟାନ କରିବା ବଡ଼ ଆହ୍ବାନ ସୃଷ୍ଟି ହୋଇଛି।
ଏପ୍ରିଲ ୧୭ରେ ଡିଏସ୍ପି ପାହ୍ୟାରୁ ଏସ୍ପି ପାହ୍ୟାକୁ ୧୩ ଜଣ ଅବକାରୀ ଅଧିକାରୀଙ୍କର ପଦୋନ୍ନତି ହୋଇଥିଲା। କିନ୍ତୁ ସେମାନଙ୍କୁ ନୂଆ ନିଯୁକ୍ତି ମିଳିଲା ନାହିଁ। ଏମାନେ ଜିଲ୍ଲାରେ ୩ ବର୍ଷ ବିତାଇ ସାରିଲେଣି। ରାଜ୍ୟରେ ୪୬ ମଞ୍ଜୁରିପ୍ରାପ୍ତ ଅବକାରୀ ଏସ୍ପି ପଦବି ଥିବାବେଳେ ଏବେ ୨୫ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩୩ଟି ଅବକାରୀ ଜିଲ୍ଲାରେ ୨୨ ଜଣ ଏସ୍ପି ଅଛନ୍ତି। ୧୧ ଅବକାରୀ ଜିଲ୍ଲାରେ ଏବେ ବି ଡିଏସ୍ପିଙ୍କୁ ଅସ୍ଥାୟୀ ଦାୟିତ୍ବ ଦିଆଯାଇଛି। ଏଭଳି ସ୍ଥିତିରେ ପାର୍ବଣରେ କେମିତି ରାଜ୍ୟରେ ନିଶା ମାଫିଆଙ୍କୁ ଦମନ କରାଯିବ, ତାହା ଏବେ ବଡ଼ ପ୍ରଶ୍ନ।