ତିନି କ୍ଲାସ୍‌ ୱାନ୍‌ ଅଧିକାରୀ ଗିରଫ, ନଗଦ ୨୩ ଲକ୍ଷ ଟଙ୍କା ଜବତ

ବାଲେଶ୍ୱର ପ୍ରଦୂଷଣ ବୋର୍ଡ ଅଧିକାରୀଙ୍କ ପାଖରୁ ୧୦ଲକ୍ଷ ଜବତ

କଟକ : ଦଶହରା ପୂର୍ବରୁ ବିଡ଼ା ବିଡ଼ା ଟଙ୍କା ଧରି ଘର ମୁହାଁ ହୋଇଥିବା ରାଜ୍ୟର ତିନିଜଣ କ୍ଲାସ-ୱାନ୍‌ ଅଧିକାରୀ ଗତକାଲି ଭିଜିଲାନ୍‌ସ ଜାଲରେ ଧରାପଡିବା ପରେ ଆଜି ସେମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ବିରୋଧରେ ଭୁବନେଶ୍ବର ଓ କଟକ ଭିଜିଲାନ୍‌ସରେ ତିନୋଟି ପୃଥକପୃଥକ ମାମଲା ରୁଜୁ କରାଯାଇଛି। ତେବେ ଗୋଟିଏ ଦିନରେ ତିନିଜଣ କ୍ଲାସ-ୱାନ୍‌ ଅଧିକାରୀ ଭିଜିଲାନସ ଦ୍ବାରା ଗିରଫ ହେବା ଭିଜିଲାନସ ପାଇଁ ଏକ ବଡ଼ ସଫଳତା। ଆଜି ଭିଜିଲାନସ ପକ୍ଷରୁ ଏ ସମ୍ପର୍କରେ ଏହି ବିବରଣୀ ଦିଆଯାଇଛି। ଗତକାଲି ସେମାନଙ୍କ ନିକଟରୁ ମୋଟ ୨୨ଲକ୍ଷ ୬୧ ହଜାର ୭୨୦ ଟଙ୍କା ଜବତ କରାଯାଇଥିବା ସୂଚନା ଦିଆଯାଇଛି।

ଗତକାଲି କେନ୍ଦୁଝର ଜଳସେଚନ ବୈତରଣୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଧାନଚନ୍ଦ୍ର ସାହୁଙ୍କୁ ଭିଜିଲାନ୍‌ସ ଅଟକ ରଖିଥିଲା। ତାଙ୍କଠାରୁ ପ୍ରଥମେ ୧୦ଲକ୍ଷ ୭ ହଜାର ୬୨୦ ଟଙ୍କା ଜବତ କରାଯାଇଥିଲା। ପରେ ପଚରାଉଚରା କରାଯିବାରେ କଟକ ମହତାବରୋଡ୍‌ସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରି ୬୪ ହଜାର ଟଙ୍କା ଜବତ କରିଥିଲା। ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସାହୁଙ୍କଠାରୁ ମୋଟ ୧୦ଲକ୍ଷ ୭୧ ହଜାର ୬୨୦ ଟଙ୍କା ଜବତ କରାଯାଇଥିଲା। କଟକ ଭିଜିଲାନ୍‌ସ ବିଭାଗ ପକ୍ଷରୁ ଦୁର୍ନୀତି ନିରୋଧ ଆଇନ-୧୦୧୮ରେ ଏକ ମାମଲା (ନମ୍ବର-୧୬) ରୁଜୁ କରାଯାଇ ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ସେହିପରି, ରାଉରକେଲା ଆଞ୍ଚଳିକ ପ୍ରଦୂଷଣ‌ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ରଙ୍କଠାରୁ ଗତକାଲି ୧ଲକ୍ଷ ୭୫ ହଜାର ୮୧୦ ଟଙ୍କା ଜବତ କରାଯାଇଥିଲା। ତାଙ୍କ ବିରୋଧରେ ଭୁବନେଶ୍ବର ଭିଜିଲାନସ ପି.ଏସ କେସ୍ ନମ୍ବର ୧୯ରେ ମାମଲା ରୁଜୁ କରାଯାଇ ତାଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ତେବେ ତାଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ରଖାଯାଇଛି। ଅନ୍ୟ ଏକ ଘଟଣାକ୍ରମରେ ବାଲେଶ୍ବର ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ମଧ୍ୟ ଧରା ପଡିଥିଲେ। ତାଙ୍କ ନିକଟରୁ ପ୍ରଥମେ ୮୯ ହଜାର ୨୯୦ ଟଙ୍କା ଜବତ କରାଯାଇ ଅଟକ ରଖାଯାଇଥିଲା। ପରେ ତାଙ୍କ ଭୁବନେଶ୍ବର ସତ୍ୟନଗର ଘରେ ଚଢ଼ଉ କରାଯାଇ ୯ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଥିଲା। ନରୋତ୍ତମ ବେହେରାଙ୍କ ନିକଟରୁ ମୋଟ ୧୦ଲକ୍ଷ ୧୪ ହଜାର ୨୯୦ ଟଙ୍କା ଜବତ କରାଯାଇଛି। କଟକ ଭିଜିଲାନସ ପିଏସ କେସ୍ ନଂ ୧୭ରେ ମାମଲା ରୁଜୁ କରାଯାଇ ନରୋତ୍ତମଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର