କରୋନା ମାର୍ଗଦର୍ଶିକା ଉଲ୍ଲଙ୍ଘନ ଅଭିଯୋଗ: ୩ କୋଚିଂ ସେଣ୍ଟର ସିଲ, ୨୩ ହଜାର ଟଙ୍କା ଜରିମାନା ଆଦାୟ

ବାରିପଦା : ମୟୂରଭଞ୍ଜରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇସାରିଛି । ଏହି ଦ୍ୱିତୀୟ ଲହର ଅଧିକ ଘାତକ ହୋଇଥିବା କାରଣରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା, କୋଭିଡ ନିୟମାବଳୀକୁ ପାଳନ କରିବା, ପରସ୍ପର ମଧ୍ୟରେ ଶାରୀରିକ ଦୂରତା ରକ୍ଷା କରିବା ଓ ସଠିକ୍ ଭାବେ ମାସ୍କ ପିନ୍ଧିବା ନିମନ୍ତେ ବାରମ୍ବାର ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇ ଆସୁଛି। ଏଥିସହିତ ସରକାର ସମସ୍ତ ସ୍କୁଲ, କଲେଜ କୋଚିଂ ସେଣ୍ଟର୍ ଆଦି ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଏହି ସମୟରେ ବାରିପଦା ପୌରପରିଷଦରେ କେତେକ କୋଚିଂ ସେଣ୍ଟର କରୋନା ମାର୍ଗଦର୍ଶିକାକୁ ଖୋଲାଖୋଲି ଉଲଂଘନ କରି ପିଲାମାନଙ୍କୁ ନେଇ ସେଣ୍ଟର୍ ଚଲାଉଥିବା ଅଭିଯୋଗ ଆସିଥିଲା ।

ଏନେଇ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ପୁଲିସର ଏକ ଟିମ ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟର ଉପରେ ଗତକାଲି ଓ ଆଜି ଚଢ଼ଉ କରିଥିଲେ । ଏହି ସମୟରେ ବୀଣାପାଣୀ, ବିଶ୍ୱାସ ଓ ଏକ୍ସଲେନ୍ସ୍ ଆଦି ୩ଟି କୋଚିଂ ସେଣ୍ଟର କରୋନା ମାର୍ଗଦର୍ଶୀକା ଉଲଂଘନ କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ବୀଣାପାଣି କୋଚିଂ ସେଣ୍ଟରରୁ ୫ ହଜାର, ବିଶ୍ୱାସରୁ ୧୦ ହଜାର ଏବଂ ଏକ୍ସଲେନ୍ସ ନିକଟରୁ ୮ ହଜାର ଟଙ୍କା କରି ମୋଟ ୨୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏଥିସହିତ କୋଚିଂ ସେଣ୍ଟରଗୁଡ଼ିକୁ ସିଲ କରାଯାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର