ସାଙ୍ଗ ଜନ୍ମଦିନ ପାଳିବା ପରେ ଟାଣିନେଲା ମୃତ୍ୟୁ : କୋଲାବରେ ବୁଡ଼ିଗଲେ ୩ କଲେଜ ଛାତ୍ର

କୋରାପୁଟ : ସାଙ୍ଗର ଜନ୍ମଦିନ ପାଳିସାରି ମୁହଁ ଧୋଇବାକୁ ଯାଇଥିଲେ। ହେ‌ଲେ କୋଳକୁ ଟାଣିନେଲା ମୃତ୍ୟୁ। ଜନ୍ମଦିନ ଉତ୍ସବର କେଇ ମୁହୂର୍ତ୍ତ ପରେ କୋଲାବ ଜଳଭଣ୍ଡାର‌ରେ ବୁଡ଼ି କୋରାପୁଟ ସରକାରୀ କଲେଜର ୩ ଜଣ ଛାତ୍ରଙ୍କ ସଲିଳ ସମାଧି ହୋଇଗଲା। ଏମିତି ଏକ ଦୁଃଖଦ ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବାବେଳେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ମୃତ ଛାତ୍ରମାନେ ହେଲେ ରମାକାନ୍ତ ପଟ୍ଟନାୟକ, ସଂଦୀପ ପୂଜାରୀ ଓ ମନ୍ମଥ ସାସମଲ। ୩ଜଣ ଯାକ ଯୁକ୍ତ ୩ କଂପ୍ୟୁଟର ବିଜ୍ଞାନ ବିଭାଗର ଦ୍ବିତୀୟ ବର୍ଷର ଛାତ୍ର।

କୋରାପୁଟ ସରକାରୀ ମହାବିଦ୍ୟାଳୟର ଏହି ୩ ଛାତ୍ର ଆଉ କିଛି ଛାତ୍ରଛାତ୍ରୀଙ୍କ ସହ ମିଶି ଆଜି ଜଣେ ସାଙ୍ଗର ଜନ୍ମଦିନ ପାଳୁଥିଲେ। କଲେଜ ନିକଟ‌ରେ ଏହି ଜନ୍ମ ଦିନ ପାଳନ କରାଯାଇଥିଲା। ମୁହଁରେ କେକ୍‌ ଲାଗିଥିବାରୁ ଛାତ୍ରଛାତ୍ରୀମାନେ ମୁହଁ ଧୋଇବାକୁ ନିକଟସ୍ଥ ଜଳଭଣ୍ଡାରକୁ ଯାଇଥିଲେ। ହେଲେ ପାଣିରେ ଧୋଇ ହେବା ସମୟରେ ଗୋଡ଼ ଖସି ଯିବାରୁ ଏହି ୩ ଜଣ ଜଳଭଣ୍ଡାର ଭିତରକୁ ଚାଲି ଯାଇଥିଲେ। ଅନ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀମା‌ନେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରି ତୁରନ୍ତ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। କିନ୍ତୁ ଏଠାରେ ଡାକ୍ତର ସେମ‌ାନଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଛାତ୍ର ରମାକାନ୍ତ ପଟ୍ଟନାୟକଙ୍କ ଘର ମାଲକାନଗିରି ଜିଲ୍ଲାରେ ହୋଇଥିଲା ବେଳେ ସଂଦୀପ ପୂଜାରୀଙ୍କ ଘର ମାଥିଲି ଅଂଚଳରେ। ମନ୍ମଥ ସାସମଲଙ୍କ ଘର ବୁଗୁଡ଼ାରେ ହୋଇଥିଲା ବେଳେ ସେ ଦୀର୍ଘଦିନ ହେଲା କୋରାପୁଟରେ ତାଙ୍କ ମାମୁ ଘରେ ରହି ଆସୁଥିଲେ। ଖବର ପାଇ ମୃତକଙ୍କ ସଂପର୍କୀୟ ଓ ଛାତ୍ରଛାତ୍ରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହି ଅଭାବନୀୟ ଘଟଣା ପରେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ଛାତ୍ରଙ୍କ ସାଙ୍ଗସାଥୀ କୋହ ସମ୍ବରଣ କରି ନ ପାରି ଭୋ ଭୋ ହୋଇ କାନ୍ଦୁଥିଲେ। ସାଙ୍ଗସାଥୀ, ପରିବାର ଓ ସଂପର୍କୀୟଙ୍କ କାନ୍ଦବୋବାଳିରେ ଫାଟି ପଡ଼ୁଥିଲା ଡାକ୍ତରଖାନା ପରିସର।

ଅପରପକ୍ଷ‌ରେ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଅତିରିକ୍ତ ଏସ୍‌ପି ଉତ୍କଳ ରଂଜନ ଦାଶଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ। ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକଂପା ରାଶି ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅପରପକ୍ଷରେ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ତା’ର ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର