ପାରିବାରିକ କଳହର କରୁଣ ପରିଣତି: ବରଗଡ଼ରେ ବିଷପିଇ ଜୀବନ ହାରିଲେ ମା’ ଓ ୨ପୁଅ

ବରଗଡ଼: ପାରିବାରିକ କଳହର କରୁଣ ପରିଣତି ଆଜି ବରଗଡ଼ ଜିଲ୍ଲାର ସଦର ଥାନା ଅଂଚଳରେ ଦେଖିବାକୁ ମିଳିଛି। ବିଷପିଇ ମା’ ଓ ୨ ପୁଅ ଜୀବନ ହରାଇଛନ୍ତି। ମୃତ ମହିଳା ଜଣକ ହେଲେ ଉତ୍ତରା ବନଛୋର (୫୫) ଯମଜ ଭାଇ ବଳିଆ ଓ ଜଗା (୨୩)।

ସୂଚନା ଅନୁସାରେ ଖୁଣ୍ଟପାଲି ଗ୍ରାମପଂଚାୟତ ଅନ୍ତର୍ଗତ ଚାରପାଲି ଗାଁରେ ଗୋପୀନାଥ ବନଛୋରଙ୍କ ସ୍ତ୍ରୀ ଉତ୍ତରା ବନଛୋର ଓ ତାଙ୍କର ଦୁଇ ପୁଅ ବଳିଆ ଏବଂ ଜଗା ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବିଲରେ କାମ କରୁଥିଲେ। କୌଣସି କାରଣକୁ ନେଇ ତିନି ଜଣ ବିଷପାନ କରିଥିଲେ। ଅଳ୍ପ ସମୟ ପରେ ସେମାନେ ଗୁରୁତର ହୋଇପଡ଼ିବାରୁ ଗାଁର ଲୋକମାନଙ୍କ ଦ୍ୱାରା ଉଦ୍ଧାର କରାଯାଇ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।

ଡାକ୍ତରଖାନାରେ ତିନି ଜଣ ପହଞ୍ଚିବା ପରେ ଡାକ୍ତର ପ୍ରଥମେ ଉତ୍ତରାଙ୍କୁ ମୃତ ଘୋଷଣା କରିଥିଲେ। ପରେ ୨ ଭାଇ ବଳିଆ ଓ ଜଗାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ମା’ ଓ ୨ ପୁଅଙ୍କ ମୃତ୍ୟ ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଥିବା ବେଳେ ଆସନ୍ତାକାଲି ପୋଷ୍ଟମର୍ଟମ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର