ଏମ୍‌କେସିଜିର କରୋନା ଓ୍ଵାର୍ଡରେ ଗୋଟିଏ ପରିବାରର ୩ ସନ୍ଦିଗ୍ଧଙ୍କୁ ଭର୍ତ୍ତି

ବ୍ରହ୍ମପୁର:  ବ୍ରହ୍ମପୁର  ଏମ୍‌କେସିଜିର କରୋନା ୱାର୍ଡ଼ରେ ପୁଣି ୩ ଜଣ ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ସେମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ୩ଜଣଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ଅନ୍ୟପଟେ ପୂର୍ବରୁ ଭର୍ତ୍ତି ହୋଇଥିବା କାଜାଗ୍‌ସ୍ଥାନ ଫେରନ୍ତା ଛାତ୍ର ଓ ଦିଗପହଣ୍ଡିର ବୃଦ୍ଧାଙ୍କ ନମୁନା ନେଗେଟିଭ୍‌ ଆସିଛି। ତେବେ ରେଳ ଷ୍ଟେସନ୍‌ ନିକଟରୁ ଉଦ୍ଧାର ଯୁବକଙ୍କ ରିପୋର୍ଟ ଆସି ନାହିଁ। ଛାତ୍ର ଓ ବୃଦ୍ଧାଙ୍କ ନମୁନା ନେଗେଟିଭ୍‌ ଥିଲେ ମଧ୍ୟ ସେମାନଙ୍କୁ ନିରୀକ୍ଷଣରେ ରଖାଯାଇଛି। ସ୍ୱାସ୍ଥ୍ୟାବସ୍ଥା ଦେଖି ଆସନ୍ତାକାଲି ସେମାନଙ୍କୁ ଡିସ୍‌ଚାର୍ଜ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି ।

ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଅଞ୍ଚଳର ଏକ ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ କିଛିଦିନ ତଳେ ମୁମ୍ବାଇ ଯାଇଥିଲେ। ସେଠାରେ ସେମାନେ କିଛିଦିନ ରହିଥିଲେ। ଗତ ୪ଦିନ ହେଲା ସେମାନେ ଘରକୁ ଫେରିଛନ୍ତି। ଗତକାଲି ରାତିରେ ହଠାତ୍‌ ୩ଜଣଙ୍କୁ ଜ୍ୱର ହୋଇଥିଲା। ତୁରନ୍ତ ସେମାନେ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ପରିବାରର ୩ଜଣ ସଦସ୍ୟଙ୍କ କାଉନେ୍‌ସଲିଂ ପରେ ସମସ୍ତଙ୍କୁ ଆଇସୋଲେସନ୍‌ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା।

ଆଜି ସକାଳେ ୩ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି ବୋଲି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ନିକଟରେ କରୋନାର ଲକ୍ଷଣ ଦେଖା ଯାଇ ନାହିଁ। ତେଣୁ ସେମାନଙ୍କର ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର